ବାଳୁତ ସୂର୍ଯ୍ୟ
ସୀମାଞ୍ଚଳ ପଣ୍ଡା
ସକାଳ ସୂରୁଯ ସୁଢଳ ସହଜ
ବାଳକ ସୁଲଭ ଗୁଣକୁ ଧରି,
କଅଁଳିଆ ଖରା କମନୀୟ ଧରା
କାନ୍ତ ଶାନ୍ତ ଶୋଭା ସୁମନ ଭରି ।
ପୁଷ୍କରିଣୀ ଜଳ ଦିଶେ ସୁନିର୍ମଳ
କମଳ ଉଲ୍ଲସେ ଅରୁଣେ ଚାହିଁ,
ପଶୁ ପକ୍ଷୀ ରୋଳ ଶୁଭେ କୋଳାହଳ
ସକଳ କର୍ମରେ ତତ୍ପର ମହୀ ।
ଭାବରେ ବିଭୋର ବିଶ୍ୱ ନାରୀନର
ରୂପ ରସ ରଙ୍ଗ ମହକ ଭରି,
ସକାଳ ସୂରୁଯ ସୁଢଳ ସହଜ
ବାଳକ ସୁଲଭ ଗୁଣକୁ ଧରି ।
ବାଳୁତ ଅରୁଣ କଅଁଳ କିରଣ
ସୁନାର ବୋଳରେ ସଂସାର ଭୋଳ,
ସ୍ୱାସ୍ଥ୍ୟପ୍ରଦ ତା’ର ଶକତି ଅପାର
କରେ ଉପକାର ରଖେ ଶୀତଳ ।
ସରଳ ସୁଶୀଳ ଶୀତଳ ସକାଳ
ବାଳ ଅରୁଣର ପ୍ରଭାବ ଜାଣି,
ବିମଳ ବିଶୁଦ୍ଧ ଶୁଭ ସୁଖପ୍ରଦ
ହିରଣ୍ମୟ ବେଳ ସ୍ୱଭାବେ ପୁଣି ।
ବାଳାରୁଣ କାର୍ଯ୍ୟ ଅଭାବେ ଉଦ୍ଗାର୍ଯ୍ୟ
ଶାନ୍ତ ସୁମଧୁର ପ୍ରାତଃ ପ୍ରହରୀ,
କଅଁଳିଆ ଖରା କମନୀୟ ଧରା
କାନ୍ତ ଶାନ୍ତ ଶୋଭା ସୁମନ ଭରି ।
ବାଳ କାଳେ ସୂର୍ଯ୍ୟ ସତ୍କାର୍ଯ୍ୟ ସୌନ୍ଦର୍ଯ୍ୟ
ବଳେ ଧରା କୋଳ ସରସ ଅତି,
ସଂସାର ଜୀବନ ପୁଲକିତ ମନ
ପୁଣ୍ୟେ ପ୍ରଲୋଭିତ ଶାଶ୍ୱତେ ଗତି ।
ଗଞ୍ଜାମ