ରକତେ ଲେଖିବି ତୋ ନାଆଁ
ସୀମାଞ୍ଚଳ ପଣ୍ଡା
ଆପଣା ରକତେ ଲେଖି, ଦେବି ତୋତେ
ଚରମ ବେଳର ମରମ କଥା,
ପ୍ରତିଶ୍ରୁତି ତୋର କେତେ ଗୁରୁତର
ଲେଖେ ମୋ କପାଳେ ମରଣ ଗାଥା!
ରାଣ ପକାଇଲୁ ପଣ କରିଥିଲୁ
ସାତ ଜନମର ହେବାକୁ ସାଥୀ,
ଶକ୍ତ ପ୍ରତିଶ୍ରୁତି ରକ୍ତର ଆଶକ୍ତି
ଛିନ୍ନ ହୋଇଗଲା କହ କେମିତି!
ପ୍ରେମ ପାଇଁ ଲଢ଼ି ପ୍ରାଣ ନେଉ କାଢ଼ି
ପ୍ରତାରଣା ଦାଉ ବଢ଼ାଏ ବ୍ୟଥା,
ଆପଣା ରକତେ ଲେଖି ଦେବି ତୋତେ
ଚରମ ବେଳର ମରମ କଥା।
ରକତ ଶପଥ ବରଜି ବିପଥ
ଆଦରି, ବଚନେ ଦେଉଛୁ ବଳି,
ବଚନ ନ ରଖି ଆପେ ହେଉ ବିକି
ବଳି ପଡ଼ିବାକୁ ଆସେ ମୋ ପାଳି!
ରକତେ ତୋ ନାମ କରଇ ଲିଖନ
ତୋ ପ୍ରେମର ସଚ୍ଚା ପାଗଳ ମୁହିଁ,
ପ୍ରେମ ବିନା ତୋର ଜୀବନ ମୋହର
ଅର୍ଥ ବିଅର୍ଥରେ ଝୁରି ମରଇ,
ପାରିବିନି ବଞ୍ଚି ଜୀବନକୁ ସଞ୍ଚି
ମରଣ ବେଳାରେ ସ୍ମରେ ତୋ କଥା,
ପ୍ରତିଶ୍ରୁତି ତୋର କେତେ ଗୁରୁତର
ଲେଖେ ମୋ କପାଳେ ମରଣ ଗାଥା!
ତୋ ପ୍ରେମରେ ଆଜି ଭକତ ମୁଁ ସାଜି
ରକତେ ଲେଖିଇ ନାମ ତୋହର,
ମୋ ମରଣ ଅନ୍ତେ ବଞ୍ଚିବୁ କେମନ୍ତେ
କଥା ରହିଯିବ ସଚ୍ଚା ପ୍ରେମର!
ଶିକ୍ଷକ, ଡେଙ୍ଗାଡି,ଗଞ୍ଜାମ