ସମୟର ଚକ୍ର
ଭାସ୍କର ରାଉତ
ସମୟର ଚକ୍ର ଘୁରେ ଅବିରତ
ଖାଲ ଖମା ନମାନଇ
ସେ ଗତି ବଳରେ ଏଇ ସଂସାରରେ
ଦିନ ରାତି ହେଉଥାଇ।
ସୁଖ ସମ୍ଭୋଗରେ କ୍ଷଣିକ ମଧ୍ୟରେ
ସମୟଟା ସରିଯାଇ
ଦୁଃଖର ସମୟ ଲାଗଇ ମନ୍ଥର
ଗତି ତା’ର କମେନାହିଁ।
ସୁଖରେ ଦୁଃଖରେ ଏକଇ ଗତିରେ
ସଦା ସର୍ବଦା ଘୁରଇ
କାହାକୁ ଅପେକ୍ଷା କରେ ନାହିଁ କେବେ
ନିଜ ପଥେ ଚାଲିଥାଇ।
ସମୟର ଚକ୍ର ଉଠାପକା ଖେଳ
ତଳକୁ ଉପର ହୁଏ
ତଳେ ଯେହୁଥାଇ ଉପରକୁ ଯାଏ
ଉପରଟା ତଳ ହୁଏ।
ତଳ ଉପରର ଖେଳଟି ତାହାର
ସଦା ସରବଦା ଖେଳେ
ରାଜା ଯେ ଭିକାରି ଭିକାରି ବି ରାଜା
ହୁଅଇ ତାହାରି ଖେଳେ।
ବିଚିତ୍ର ତା ଖେଳ କେବେ ହୋଇ କାଳ
କରଇ ସବୁ ନିର୍ମଳ
କେବେ ଚଉ ବର୍ଗ ଦାନୀଟି ହୋଇଣ
କରଇ ସର୍ବ ମଙ୍ଗଳ।
ତା ଖେଳକୁ ଦେଖି ଡରିଯିବୁ ଯେବେ
ଜୀବନେ ବିଫଳ ହେବୁ
ସମୟ ସାଥିରେ ତାଳ ଦେଇ ସଦା
ଜୀବନ ପଥେ ଚାଲିବୁ।
ଦେବମାୟା ଭବନ
ଶେରଗଡ଼ ଗଞ୍ଜାମ