ମନ ଗହନର କଥା
ଜୟ କୁମାର ମିଶ୍ର
କିଏ ବା ବୁଝିଲା, ମନର କଥାକୁ
ମନ ବେଦନାକୁ ଅବା,??
ଯିଏ ଯାହାବାଟ, ବାଟୋଇ ହୋଇଲେ
ନିତ୍ୟ ଆସିବା ଯିବା ll
ମନକୁ କନ୍ଦାଇ, ଲୋତକ ଝରାଇ
ସୁଭିଧା ନେବାକୁ ଆଗ,
ନେବାର ସରାଗ, ଅବା ଅନୁରାଗ
ଦେବାରେ ନଥାଏ ବେଗ ll
ଦୁଃଖ ଦରିଆରେ, ଭାସି ଯିବା କାଳେ
ନଥିଲା କାହାର, ଦେଖା,
ସୁଅର ମୁହିଁରେ, ପତରଟେ ହୋଇ
ଭାସୁଥିଏ ଏକା ଏକା ll
ଆହାସାହା ପଦ, ସରାଗ ଶବଦ
ସହଯୋଗ ବହୁ ଦୂରେ,
ସ୍ୱାର୍ଥ ଓ କ୍ଷମତା, ଅହମିକା ଚିନ୍ତା
ଛନ୍ଦି ବାନ୍ଧିଥିଲା ବlରେ ll
ଆସନ୍ତୁଷ୍ଟ ମନ, ଅନୁଯୋଗେ ଜ୍ଞାନ
ଆପଣା ସ୍ୱାର୍ଥଟି ପାଇଁ,
ପର ସ୍ୱାର୍ଥକଥା,ଚୁଲିକି ଯାଉ ସେ
ନିଜ ପାଇଁ ହାଇଁଫାଇ ll
ବଡ଼ ବଡ଼ିଆଙ୍କ, ବଡ଼ କାରବାର
ଅକୁହା ବେଦନା ତାହା,
ଯାହା ବୁଝିଥିବେ, ଯାହା କରୁଥିବେ
ନାହିଁ ଦିଗବାଗ ରାହା ll
ସେମାନଙ୍କ କଥା,ଅଭିଯୋଗ ବାର୍ତ୍ତା
ସମାଜେ ଶୁଣନ୍ତି ଜନ,
ସପକ୍ଷରେ କହି, ଓକିଲାତି ଥୋଇ
ଘାଇଲା କରନ୍ତି ମନ ll
ଛୋଟ, ଓ କନିଷ୍ଠ, ସେହିତ ନିକୃଷ୍ଟ
ସବୁଠାରେ ପଛ, ହୀନ
ନାହିଁ ସନମାନ, ନାହିଁ ସମ୍ବେଦନ
ନାହିଁ ଦୁଃଖ ଅଭିମାନ ll
ତା ମନ ଶରୀର, ପାଷାଣରେ ଗଢ଼ା
ଆଶା ଅବଶୋଷ ନାହିଁ,
ହୁଏ ଅଣଦେଖା, ହେୟଜ୍ଞାନ ରଖା
ନୀଚ ଭାବନାକୁ ଥୋଇ ll
ଜlଣେନା ସେ କେବେ,
ମାନ, ଅପମାନ
ଅବହେଳା, ଅବିଚାର,
ଜ୍ୟେଷ୍ଟ, ଶ୍ରେଷ୍ଠଙ୍କର,ଚିନ୍ତା, କାରବାର
ଖାମ ଖିଆଲି ବେଭାର ll
ପାହାଡ଼ ସହିବ, କିଛି ନକହିବ
ସୁଖ ଶ୍ରଦ୍ଧା ତାର ଜାଳି,
ପ୍ରତିବାଦ କଲେ, ହୋଇବ ଅଭଦ୍ର
ସଂସ୍କାର ବିହୀନ କଳି ll
ଦୁନିଆଁ କହିବେ, ବାଛି ବାହୁନିବେ
କନିଷ୍ଠଙ୍କୁ କହି କଥା
ଭୟ ବା ଭକତି,ବାଟ ଓଗାଳିବ
ବଡ଼ଙ୍କୁ ନାହିଁଟି ରାସ୍ତା ll
ଏକା ମାଘେ ପରା, ଶୀତ ଯାଏ ନାହିଁ
ଯାଏନା ସମୟ ଭାଗ୍ୟ,
ଉଠା ପକା ଖେଳ, ବିଧାତାଙ୍କ ତାଳ
ବୁଲିଯାଏ ଗତି ମଙ୍ଗ ll
ଧନ ଅହଂକାର, କରେ ଚୁରୁମାର
ମନ ହୋଏ ଫଡା ଫଡା,
କାଚଘର ଯେବେ,ମାଡଖାଏ କେବେ
ଅଉକି ହୋଇବ ଯୋଡ଼ା ???
ଜୟ କୁମାର ମିଶ୍ର
ଗ୍ରାମ-ବୁଦୁରା