ସ୍ବାମୀଜୀ ବିବେକାନନ୍ଦ
ଅଠର ଶହ ଯେ ତେଷଠି ମସିହା
ଜାନୁଆରୀ ବାର ଦିନ
ଭାରତ ମାତାର ସୁଯୋଗ୍ଯ ସନ୍ତାନ
ବିବେକାନନ୍ଦଙ୍କ ଜନ୍ମ ।
ପିତା ବିଶ୍ବନାଥ ମାଁ ଭୂବନେଶ୍ବରୀ
କୋଳକୁ କରି ମଣ୍ଡନ
କଳିକତା ଠାରେ ଜନମ ହୋଇଲେ
ବିଶ୍ୱ ମଙ୍ଗଳ କାରଣ ।
କାଶୀ ବିରେଶ୍ବର ଦେବଙ୍କୁ ପୂଜିଣ
ପୁଅଟିଏ ପାଇଥିଲେ
ସେଥିପାଇଁ ପରା ଅତି ଶରଧାରେ
ବିଲେ ନାମ ଦେଇଥିଲେ ।
ବାଲ୍ୟକାଳୁ ସିଏ ମାତାଙ୍କ ପାଖରୁ
ଶୁଣିଥିଲେ ରାମାୟଣ
ଭାରତୀୟ ଶାସ୍ତ୍ର ସଂସ୍କୃତି ଆଦିରେ
ଥିଲେ ପରା ପାରଙ୍ଗମ ।
ବିଲେରୁ ନରେନ୍ଦ୍ର ନରେନ୍ଦ୍ରରୁ ପୁଣି
ହୋଇଲେ ବିବେକାନନ୍ଦ
ସମାଜ ସଂସ୍କାର ସମାଜ ସେବାକୁ
ମଣିଥିଲେ ମହାନନ୍ଦ ।
ରାମକୃଷ୍ଣଙ୍କର ପରମ ଶିଷ୍ୟ ସିଏ
ଶ୍ରେଷ୍ଠ ହିନ୍ଦୁ ଭାରତୀୟ
ବିଶ୍ୱେ ସତ୍ୟ ଧର୍ମ ପ୍ରଚାର କରି ସେ
ହୋଇଲେ ବିଶ୍ବ ବିଜୟ ।
ଶ୍ରୀ ରାମକୃଷ୍ଣଙ୍କ ଆଶୀର୍ବାଦ ପାଇ
ଯାଇଥିଲେ ଆମେରିକା
ହିନ୍ଦୁ ଧର୍ମ ସେଥି ପ୍ରଚାର କରିଲେ
ଶୁଣାଇ ଜୀବନ ଗୀତା ।
ମାନବ ସେବା ହିଁ ମାଧବଙ୍କ ସେବା
ଏ ବାଣୀ କଲେ ପ୍ରଚାର
ବସୁଧା କୁଟୁମ୍ବ ବିଶ୍ବ ଭ୍ରାତୃତ୍ବ ହିଁ
ଥିଲା ତାଙ୍କ ମୂଳମନ୍ତ୍ର ।
ଡର ଭୟ ତେଜି ଭଲ ମାର୍ଗେ ଗଲେ
ରହେ ନାହିଁ ଦୁଃଖ ଚିନ୍ତା ।
ଜ୍ଞାନ ନିଷ୍ଠାପର ହେବାପାଇଁ ଦେଲେ
ଯୁବ ସମାଜକୁ ବାର୍ତ୍ତା ।
ବେଦବ୍ୟାସ ମେହେର
ଖଇରପାଲି, ପଦ୍ମପୁର,
ବରଗଡ