Lets talk with a young poetic Soul and a youth Literary Drama Artist MS Subhalaxmi Behera, hails from Silver City Cuttack, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଶୁଭ ଲକ୍ଷ୍ମୀ ବେହେରା
ପିତାଙ୍କ ନାମ- କିଶୋର ଚନ୍ଦ୍ର ବେହେରା
ମାତାଙ୍କ ନାମ-ପ୍ରତିମା ବେହେରା
ଜନ୍ମ ତାରିଖ-୨୦.୦୨.୨୦୦୨
ଘର ଠିକଣା– ଗ୍ରାମ – ବଳଭଦ୍ର ପୁର, ପୋଷ୍ଟ୍ – ମହଣ
ଜିଲ୍ଲା-କଟକ
ଶିକ୍ଷାଗତ ଯୋଗ୍ୟତା- ସିଟି ସହ ସ୍ନାତକ
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା::
https://www.facebook.com/profile.php?id=100055917605800&mibextid=ZbWKwL
ସ୍ନେହର ଶୁଭଲକ୍ଷ୍ମୀ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ: ପିଲାବେଳେ ମା ମୋର ଛୋଟ ଛୋଟ କବିତା ଗୀତ ଆଦି ରଚନା କରନ୍ତି। ତାଙ୍କୁ ଲେଖିବାର ସବୁବେଳେ ଦେଖେ। ତାଙ୍କ ପଢ଼ିବା ସମୟ ର ଦ୍ଵିତୀୟ ତୃତୀୟ ଶ୍ରେଣୀ ର କବିତା କୁ ସେ ଖୁବ୍ ଭଲ ଭାବରେ ମନେ ରଖି ମୋ ଆଗରେ ଆବୃତ୍ତି କରନ୍ତି। ସେସବୁ ଦେଖି ସାହିତ୍ୟ ପ୍ରତି କିଞ୍ଚିତ ଭାବନା ମନରେ ଯଦିଓ ଥିଲା ତାହା ୨୦୨୦ ମସିହା ରେ କବିତା ର ରୂପ ନେଇ ମୋ ମଧ୍ୟରୁ ବାହାରି ଆସିଲା। ସେତେବେଳେ ମୋତେ ୧୮ ବର୍ଷ ବୟସ ହୋଇଥିଲା। ତା ପରଠୁ ମୋ ଚତୁଃପାର୍ଶ୍ଵର ସବୁ ଜିନିଷ ସାହିତ୍ୟ ସହ ଜଡ଼ିତ ଭଳି ମନେ ହେଲା।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ: ସବୁ ଜିନିଷ ରୁ ମୋତେ ଶିଖିବାକୁ ଭଲ ଲାଗେ। ସାମାଜିକ ଜୀବନ ଏବଂ ପାଠପଢ଼ା ସାହିତ୍ୟ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବା ଭଳି ମୋତେ ଲାଗେ। ଆମ ସଂସ୍କୃତି ପରମ୍ପରା ଏସବୁ ସାହିତ୍ୟ ର ଅନନ୍ୟ ଅଙ୍ଗ ସଦୃଶ ମୋତେ ଲାଗେ। ତେଣୁ ପାଠ ପଢା ସହ ଏବଂ ସମାଜ ରେ ସାମାଜିକ ପ୍ରାଣୀ ହିସାବରେ ବଞ୍ଚି ସାହିତ୍ୟ କୁ ସବୁଥିରେ ଉପଲବ୍ଧି କରିବାକୁ ମୋତେ ବହୁତ୍ ଭଲ ଲାଗେ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ: ନିଶ୍ଚିତ ଭାବରେ ମୋ ପରିବାର ର ସଦସ୍ୟ ମାନେ ମୋତେ ଏହି ଦିଗରେ ଅନବରତ ସହଯୋଗ କରି ଆସୁଛନ୍ତି। ଯେମିତି କି ମୁଁ ଯେବେ ବି କିଛି ଲେଖେ ମା ଙ୍କୁ ଶୁଣାଏ। ମା ସଂଶୋଧନ କରି ଦିଅନ୍ତି ଏବଂ ବାପା ଅନ୍ୟ କେତେକ ସଂଶ୍ଳିଷ୍ଟ ଶବ୍ଦ ହେଉ ଅବା ବାକ୍ୟ ସେସବୁ କୁ ଏଥିସହ ଯୋଗ କରିବାକୁ ପରାମର୍ଶ ଦିଅନ୍ତି ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ: ବ୍ୟାସ କବି ଫକୀର ମୋହନ ସେନାପତି ଙ୍କ ରଚନା ମୋତେ ବେଶ୍ ଅଭିପ୍ରେରିତ କରେ। ତାଙ୍କ ରଚନା ର ପ୍ରତି ଟି ଶବ୍ଦ ରେ ତାର ଚମକ ବେଶ୍ ଭଲ ଭାବେ ଦିଶେ। ସମସାମୟିକ ସମାଜ ବିଷୟରେ ବର୍ଣ୍ଣନା କରିବା ଶୈଳୀ ତାଙ୍କର ମୋତେ ଭାରି ପସନ୍ଦ। ଯେମିତି କି ରେବତୀ ହେଉ ଅବା ପେଟେଣ୍ଟ ମେଡ଼ିସିନ ସବୁଥିରେ ସେ ତାଙ୍କର ବର୍ଣ୍ଣନା ଚାତୁରୀ ରେ ପଢୁଥିବା ଲୋକ ର ମନକୁ କିଣି ନିଅନ୍ତି।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ: ଗଳ୍ପ, ଉପନ୍ୟାସ, ନାଟକ ଓ ପ୍ରବନ୍ଧ ଅପେକ୍ଷା ମୁଁ କବିତା ସହ ବେଶୀ ଜଡ଼ିତ।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ: ଗଳ୍ପ କବିତା ଗୁଡ଼ିକ ସାଧାରଣତଃ ଅମିତ୍ରାକ୍ଷର ଛନ୍ଦ ରେ ଲିଖିତ ଥାଏ। ଏହା ଗଳ୍ପ ଭଳି ରଚନା କରାଯାଇଥାଏ ହେଲେ କବିତା ଭଳି ପାଠ କରାଯାଇଥାଏ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ: କବିତା ଛନ୍ଦ, ଲୟ ର ସମାହାର ଆଉ ଗଳ୍ପ ଶବ୍ଦ ସବୁ ର।
ଉଭୟ ପଢିବାକୁ ବେଶ୍ ଆନନ୍ଦଦାୟୀ।
ସାମ୍ୟ ଭାବନା ଦେଖିବାକୁ ଗଲେ ଉଭୟ ରେ ଏକ ବିଷୟବସ୍ତୁ ଲୁଚି ରହିଥାଏ। ଆଗକୁ ଆଗକୁ ପଢ଼ିଲେ ବିଷୟ ର ଭାବ କୁ ଆମେ ଧୀରେ ଧୀରେ ବୁଝିବାକୁ ସମର୍ଥ ହେଉ।
ବୈଷମ୍ୟ ଭାବନା କହିଲେ ଗଳ୍ପ ରେ ଲମ୍ବା ରଚନା କରାଯାଇଥାଏ ଏବଂ କବିତା ରେ ସ୍ୱଳ୍ପ ଶବ୍ଦ ମଧ୍ୟରେ ବିଷୟବସ୍ତୁ ରହିଥାଏ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ: ଗଳ୍ପ ରେ ଚରିତ୍ର ଗୁଡ଼ିକ ସାଧାରଣତଃ ବାସ୍ତବ ଥାଆନ୍ତି, ହେଲେ କବିତା ର ପ୍ରାୟ ଚରିତ୍ର କାଳ୍ପନିକ ଥାଆନ୍ତି। ଉଦାହରଣ ସ୍ୱରୂପ ଗଳ୍ପ ରେ ଆମେ ଯେ କୌଣସି ନାମ ନେଇ ଗଳ୍ପ ରଚନା କରି ପାରିବା, ଯେପରିକି ଟୁନା, ମୁନା। ହେଲେ କବିତା ରେ ଆମେ ଖର ସ୍ରୋତା ନଦୀ କୁ ବି ଚରିତ୍ର ହିସାବରେ ନେଇ ପାରିବା।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ: ଆଧୁନିକତା ମନ୍ଦ ନୁହେଁ। ହେଲେ ଆଧୁନିକତା ପାଇଁ ଆମେ ଆମେ ପୁରୁଣା ସଂସ୍କୃତି କୁ ଭୁଲିଯିବା ମଧ୍ୟ ଉଚିତ ନୁହେଁ।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ: ପୁରାତନ କାଳରେ ଭାଷା ପ୍ରୀତି ଆନ୍ଦୋଳନ ପାଇଁ ହିଁ ଆମେ ଆଜି ଗର୍ବ ରେ ନିଜର ଭାଷା ର ପରାକାଷ୍ଠା ଦେଖେଇ ପାରୁଛୁ। ଯଦି ମଧୁବାବୁ, ଫକୀର ମୋହନ ସେନାପତି ଆଦି ଙ୍କ ଅକ୍ଲାନ୍ତ ପରିଶ୍ରମ କାରଣ ରୁ ଆମେ ଆଜି ଓଡ଼ିଆ ବୋଲି ପରିଚୟ ଦେଇ ପାରୁଛେ। ଆଶା କରୁଛି ସେହି ପରି ଯଦି ଭାଷା ର ପ୍ରୀତି ସର୍ବଦା ସଭିଙ୍କ ହୃଦୟ ରେ ଜାଗ୍ରତ ରୁହନ୍ତା ନା ଆମ ଓଡ଼ିଆ ଭାଷା ସବୁ ବେଳେ ସ୍ଵତନ୍ତ୍ର ହୋଇ ରୁହନ୍ତା।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ: ଯେବେ କିଛି ମନକୁ ଆସେ, ମୁଁ ତାକୁ କାଗଜ ରେ ଉତ୍ତାରି ଦେଇ ଅସୀମ ସୁଖ ପାଏ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ: ସାରା ବିଶ୍ବ କୁ ଏକ ପରିବାର ଭଳି କରିବା ହିଁ ଜଗତୀକରଣ। ଏହି ଜଗତୀକରଣ ପ୍ରକ୍ରିୟା ରେ ଆମେ କୌଣସି ପରିସ୍ଥିତି ରେ ଯେମିତି ଆମ ଭାଷା କୁ ନ୍ୟୁନ ନ କରି ଦେବା ସେ ଦାୟିତ୍ଵ ଆମର।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ: ବ୍ୟସ୍ତବହୁଳ ଜୀବନ ଭିତରେ କ୍ଷୁଦ୍ର ଗଳ୍ପ ପାଠକ ମାନଙ୍କର ବେଶ୍ ଉପଯୋଗୀ ହୋଇ ପାରୁଛି। ସମୟ କମ ଖର୍ଚ୍ଚ ହେବା ସଙ୍ଗେ ସଙ୍ଗେ ପାଠ ର ବିଷୟବସ୍ତୁ ଉପଲବ୍ଧି ମଧ୍ୟ ସ୍ୱଳ୍ପ ସମୟ ରେ ହୋଇ ପାରୁଛି।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ: ସାହିତ୍ୟିକ ର କର୍ମ ସର୍ବଦା ସାମାଜିକ ସଂସ୍କାର କୁ ଗୁରୁତ୍ଵ ଦେବା। କଲମ ମୁନ ରେ କିପରି ଗୋଟିଏ ଉନ୍ନତ ଦେଶ ର ପରିକଳ୍ପନା ସେ କରି ପାରିବ ସେଥିପ୍ରତି ସେ ସଜାଗ ରହିବା ଦରକାର।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ: ବିଫଳତା ହିଁ ସଫଳତା ର ପ୍ରଥମ ପାହାଚ। ତେଣୁ ଏଥର ଯଦି ଭଲ ହୋଇନି ତେବେ ଆର ଥର କୁ ଭଲ କରିବା ପ୍ରଚେଷ୍ଟା ରେ ତାର ଶବ୍ଦ ବାକ୍ୟ ଛନ୍ଦ ଲୟ ସବୁଥିରେ ପୂର୍ଣ୍ଣତା ଏବଂ ପରିପକ୍ୱତା ର ଛାପ ଦେଖିବାକୁ ମିଳିବ ବୋଲି ସେ ଭାବି ଆନନ୍ଦିତ ହେବା ଦରକାର।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ: ହଁ ବୟସ କେବେ ବି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଧ୍ରୁବ ଯେତେବେଳେ ଭଗବାନ ଙ୍କୁ ପାଇବା ପାଇଁ ତପସ୍ୟା ଆରମ୍ଭ କରିଥିଲେ ସେ ବି ଛୋଟ ପିଲା ଥିଲେ। ତେଣୁ ସାହିତ୍ୟ ରୂପକ ତପସ୍ୟା ପାଇଁ ଉପଲବ୍ଧି, ଚିନ୍ତନ, ମନନ ଏସବୁ ନିହାତି ଆବଶ୍ୟକ। ଜଣେ କୌଣସି ଉପଲବ୍ଧି ନ କରି ପାରିଲେ ଲେଖା ମନକୁ ହିଁ ଆସିବ ନାହିଁ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ: ପ୍ରଥମତଃ ଏହି ଭଳି ଗୋଟିଏ ଉନ୍ନତ ସଂସ୍ଥା ସହ ଜଡ଼ିତ ହେବି ବୋଲି ମୁଁ ସ୍ବପ୍ନ ରେ ସୁଦ୍ଧା ଭାବି ନଥିଲି। ମନୋଜ ଭାଈ ଏବଂ ଜିତେନ୍ଦ୍ର ଭାଈ ଙ୍କ ଭଳି ଦୁଇ ଜଣ ଭାଈ ଙ୍କ ପ୍ରେରଣାଦାୟୀ ମତାମତ ରେ ମୁଁ ବେଶ୍ ପ୍ରଭାବିତ ହୋଇଥିଲି। ଏହି ଦୁଇ ଭାଈ ଜଗା ବଳିଆ ଙ୍କ ଭଳି ମୋତେ ସର୍ବଦା ଆଶୀର୍ବାଦ କରନ୍ତୁ ବୋଲି ମୋର ଆଶା।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ: ଏହା ଏକ ସ୍ବତନ୍ତ୍ର ଅନୁଷ୍ଠାନ। ଏହାର ସ୍ୱତନ୍ତ୍ରତା ଏହାର ମୁଖବନ୍ଧ ରୁ ହିଁ ସ୍ପଷ୍ଟ ଅନୁମେୟ। ବିଶ୍ଵ ର ସମସ୍ତ କବି ଙ୍କୁ ଏକାଠି କରି ସାହିତ୍ୟ ର ସମ୍ମାନ କୁ ଉଚ୍ଚ କରିବା ଏକ ଛୋଟ କଥା ନୁହେଁ। ତେଣୁ ଏହା ମୋତେ ବହୁତ୍ ଅଭିପ୍ରେରଣା ଯୋଗାଇଲା।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ: ଫେସବୁକ୍ ମାଧ୍ୟମ ରୁ ଭାଗ୍ୟ ଯୋଗେ ଏଭଳି ଅଚାନକ ଏହି ପ୍ରତିଷ୍ଠାନ ସହ ଯୋଡ଼ି ହେବାର ସୁଯୋଗ ପାଇଲି। ବ୍ୟସ୍ତ ବହୁଳ ଜୀବନ ରେ ସାହିତ୍ୟ ର ଭୂମିକା ପ୍ରତି ବ୍ୟସ୍ତତା ମଧ୍ୟରେ ଥାଏ ଏହା ମୁଁ ଅଙ୍ଗେ ନିଭାଇଛି।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ: ସାହିତ୍ୟ ଏକ ସ୍ବତନ୍ତ୍ର ପରିଚୟ ପାଇବା ଦରକାର। କାରଣ ସବୁରି ମୂଳରେ ଏହି ସାହିତ୍ୟ। ସାହିତ୍ୟ ବିନା ସମସ୍ତେ ଅଧୁରା। ତେବେ ଏହି ସାହିତ୍ୟ ସହ ଚାଲିବା ପାଇଁ ଏହି ପ୍ରତିଷ୍ଠାନ ମୋତେ ପ୍ରେରଣା ଦେଉଥାଉ। ବାସ ଏତିକି ଆଶା।
ସ୍ନେହର ଶୁଭଲକ୍ଷ୍ମୀ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ଆପଣଙ୍କର ସାକ୍ଷାତକାର ପଢି ଖୁସି ହେଲି।ସାହିତ୍ୟ ପ୍ରତି ନିଜର କର୍ତ୍ତବ୍ୟ କୁ ମନେ ରଖିବା ସହ ପିତା ମାତାଙ୍କର ପରାମର୍ଶ କ୍ରମେ ସାହିତ୍ୟ କ୍ଷେତ୍ରରେ ଖୁବ୍ ଆଗକୁ ଯାଆନ୍ତୁ ଏଥିପାଇଁ ଆନ୍ତରିକ ଶୁଭେଚ୍ଛା ଆଉ ଶୁଭକାମନା।