May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସମୀକ୍ଷାତ୍ମକ ଆଲେଖ୍ୟ- ରୁଦ୍ର ନାରାୟଣ ଦାଶ*

ସୋପାନ- କ
କବିତା- କଳାମାଣିକରେ

ସମୀକ୍ଷା ଶୀର୍ଷକ- କଳାମାଣିକ କବିତାରେ ମାତା ଯଶୋଦାଙ୍କ ବାତ୍ସଲ୍ୟ ଭାବ।

ଅଭିମନ୍ୟୁ ସାମନ୍ତସିଂହାର କଟକ ଜିଲ୍ଲାର ଯାଜପୁର ସନ୍ନିକଟସ୍ଥ ବାଲିଆ ଜମିଦାରୀ ଅନ୍ତର୍ଗତ ଲୋକକୁଣ୍ଡ ଗ୍ରାମରେ ଏକ ଆଭିଜାତ୍ଯ ଖଣ୍ଡାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ‘ପ୍ରେମଚିନ୍ତାମଣି’ ରେ କବିପ୍ରଦତ୍ତ ବିବରଣୀ ଅନୁସାରେ ସେ ୧୭୬୦ ଖ୍ରୀଷ୍ଟାବ୍ଦ ଫେବୃଆରୀ ୨୩ ତାରିଖରେ ଭୂମିଷ୍ଠ ହୋଇଥଲେ । ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଓ ମାତା ତୁଳସୀ ଦେବୀ । ତାଙ୍କ ପିତା ବାଲିଆର ଜମିଦାର ଥିଲେ । ସଦାନନ୍ଦସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଥିଲେ ଅଭିମନ୍ୟୁଙ୍କର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ । ବାଲ୍ୟକାଳରୁ ଅଭିମନ୍ୟୁଙ୍କ କବିତ୍ବର ସ୍ଫୁରଣ ଘଟିଥିଲା । ସେ ମାତ୍ର ବାର-ଚଉଦ ବର୍ଷ ବୟସରେ ‘ବାଘଗୀତ’, ‘ଚଢ଼େଇ ଗୀତ’, ‘ବୋଲେ ହୁଁ ଗୀତ’ ଆଦି କେତୋଟି ଗୀତ ରଚନା କରିଥିଲେ । ତାଙ୍କ ରଚନାବଳୀ ମଧ୍ଯରେ ‘ପ୍ରେମଚିନ୍ତାମଣି’ (୧୭୮୮-୮୯), ‘ପ୍ରେମକଳା’ (୧୭୮୯-୯୦), ‘ରସବତୀ’ (୧୭୯୧-୯୨), ‘ସୁଲକ୍ଷଣା’ (୧୭୯୬), ‘ବିଦଗ୍ଧଚିନ୍ତାମଣି’ ଇତ୍ୟାଦି କେତୋଟି ପୌରାଣିକ ଓ ଆଖ୍ୟାୟିକା-କାବ୍ୟ ପ୍ରଧାନ । ଏତଦ୍‌ ବ୍ୟତୀତ ସେ ବହୁ ଗୀତିକବିତାର ରଚୟିତା ମଧ୍ଯ ।ଜୀବନର ଶେଷ ଭାଗରେ ସେ କେତେକ ଭଜନ ଓ ଜଣାଣ ମଧ୍ୟ ରଚନା କରିଥିଲେ । ୧୮୦୭ ଖ୍ରୀଷ୍ଟାବ୍ଦରେ ସେ ଇହଧାମ ତ୍ଯାଗ କରିଥିଲେ ।

‘ବିଦଗ୍ଧ ଚିନ୍ତାମଣି’ କାବ୍ୟଟି କବିଙ୍କ ଜୀବନର ଶେଷ ପର୍ଯ୍ୟାୟରେ ରଚିତ । ଏଥ‌ିରେ ସର୍ବମୋଟ ଛୟାନବେଟି ଛାନ୍ଦ ରହିଛି । ତଥାପି ଏହା ଅସମ୍ପୂର୍ଣ୍ଣ । ଶୁଣିବାକୁ ମିଳେ ଯେ, କବି ଏହାକୁ ୧୦୮ ଛାନ୍ଦରେ ସମାପ୍ତ କରିବାର ଅଭିଳାଷ ପୋଷଣ କରିଥିଲେ; ମାତ୍ର କାବ୍ୟଟି ସମ୍ପୂର୍ଣ୍ଣ କରିବାପୂର୍ବରୁ ବୃନ୍ଦାବନ ଯାତ୍ରା ପଥରେ ୧୮୦୬ ଖ୍ରୀଷ୍ଟାବ୍ଦରେ ସେ ପରଲୋକ ଗମନ କରିଥିଲେ। ଶ୍ରୀକୃଷ୍ଣଙ୍କର ବାଲ୍ୟଲୀଳା, ଯଶୋଦାଙ୍କର ଶ୍ରୀକୃଷ୍ଣଙ୍କପ୍ରତି ବାତ୍ସଲ୍ୟଭାବ, ରାଧାଜନ୍ମ, କୃଷ୍ଣ-ଚନ୍ଦ୍ରାବଳୀ ପ୍ରେମଲୀଳା, କୃଷ୍ଣ-ରାଧିକା ପ୍ରେମଲୀଳା, ରାଧା-କୃଷ୍ଣଙ୍କ ମଧ୍ୟରେ ମନୋମାଳିନ୍ୟ, ପୌର୍ଣ୍ଣମାସୀ ବୈଷ୍ଣବ ମଧ୍ୟସ୍ଥତା ଓ ଶେଷରେ ରାଧା-କୃଷ୍ଣ ମିଳନାଦି ପ୍ରସଙ୍ଗ ଏଥରେ ବର୍ଣ୍ଣିତ । ଅନ୍ୟ ଭାଷାରେ ‘ଅପ୍ରାକୃତ ପ୍ରେମମୂର୍ତ୍ତି’ ରାଧା-ହରିଙ୍କର ଅବ୍ୟକ୍ତ ପ୍ରେମଲୀଳା ଏଥିରେ ବ୍ୟକ୍ତ । ଶବ୍ଦବିନ୍ୟାସ, ଛନ୍ଦଲାଳିତ୍ୟ, ପ୍ରକାଶଭଙ୍ଗୀ ଓ ବର୍ଣ୍ଣନାଚାତୁରୀରେ କବିଙ୍କ ସ୍ଵତନ୍ତ୍ରତା ପରିଦୃଷ୍ଟ । ଏହି କାବ୍ୟ ସମ୍ବନ୍ଧରେ ସ୍ଵର୍ଗତ ଐତିହାସିକ ଜଗବନ୍ଧୁ ସିଂହ କହନ୍ତି— ‘କବିଙ୍କ ଭାଷା ସରଳ ଓ ସୁନ୍ଦର ଭାବଗର୍ଭକ । କବିଙ୍କ ‘ବିଦଗ୍ଧ ଚିନ୍ତାମଣି’ ସର୍ବାପେକ୍ଷା ଉତ୍ତମ । ‘ବିଦଗ୍ଧଚିନ୍ତାମଣି’ ଭକ୍ତିରସାମୃତରେ ପରିପୂର୍ଣ୍ଣ। ବିଦଗ୍ଧ ଚିନ୍ତାମଣି’ ପାଠକଲେ ଭକ୍ତହୃଦୟ ବିଗଳିତ ହୁଏ ଏବଂ ଆନନ୍ଦାଶ୍ରୁ ନିର୍ଗତ ହୁଏ । ଗୋଟିଏ ଗୋଟିଏ ଛାନ୍ଦ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନସ୍ୱରୂପ । କବି ସ୍ଥାନେ ସ୍ଥାନେ ଛାନ୍ଦର ଓଡ଼ିଶା ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି; ମାତ୍ର ବର୍ଣ୍ଣନାଗୁଡ଼ିକରେ କିଛି ମାତ୍ର ଅତିଶୟୋକ୍ତି ନାହିଁ ।’’ସେ ଆହୁରି କହିଛନ୍ତି— ‘ବିଦଗ୍ଧ ଚିନ୍ତାମଣି’ ଉତ୍କଳ ଭାଷାରେ ଗୋଟିଏ ଅମୂଲ୍ୟ ରତ୍ନ । ଉତ୍କଳ ଭାଷା ଅଭିମନ୍ୟୁଙ୍କ ହସ୍ତରେ କେତେଦୂର ଉନ୍ନତାବସ୍ଥା ପ୍ରାପ୍ତ ହୋଇଥିଲା ‘ବିଦଗ୍‌ଧ ଚିନ୍ତାମଣି’ ତହିଁର ଜ୍ଵଳନ୍ତ ଉଦାହରଣ ।’’

ଉପମା ଭଞ୍ଜବୀରସ୍ୟ ତସ୍ଯୈବଚାର୍ଥ ଗୌରବଂ
କଲ୍ଲୋଳେ ପଦଲାଳିତ୍ୟଂ ସନ୍ତି ଚିନ୍ତାମଣୌ ତ୍ରୟଃ ।”

ଓଡ଼ିଆ ସାହିତ୍ୟରେ ଉପମାଳଙ୍କାର ପ୍ରୟୋଗରେ ଉପେନ୍ଦ୍ରଭଞ୍ଜଙ୍କର ବୈଶିଷ୍ଟ୍ୟ ସ୍ୱୀକୃତ। ପୁଣି ତାଙ୍କ କାବ୍ୟମାନଙ୍କରେ ମଧ୍ୟ ଅର୍ଥଗାମ୍ଭୀର୍ଯ୍ୟ ରହିଛି। ଦୀନକୃଷ୍ଣ ଦାସଙ୍କର ରସକଲ୍ଲୋଳରେ ପଦଲାଳିତ୍ୟ ରହିଛି ମାତ୍ର ଅଭିମନ୍ୟୁଙ୍କର ବିଦଗ୍ଧଚିନ୍ତାମଣିରେ ଏହି ତିନିଗୋଟିଯାକ ଗୁଣ ରହିଛି। ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ବିଦଗ୍ଧ ଚିନ୍ତାମଣି’ କାବ୍ୟ ଓଡ଼ିଆ ସାହିତ୍ୟରେ ଏକ ସ୍ଵତନ୍ତ୍ର ଗୌରବର ଅଧିକାରୀ ଓ କାବ୍ୟ ଭାବରେ ଏହାର ସ୍ଥାନ ବିଶେଷ ଉଲ୍ଲେଖଯୋଗ୍ୟ ଓ ମହତ୍ତ୍ଵପୂର୍ଣ।

‘ବିଦଗ୍ଧ’ ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି ରସିକ ଗ୍ରାହକ। ଏହି ଗ୍ରନ୍ଥ ରସିକଗ୍ରାହକମାନଙ୍କର ଚିନ୍ତାମଣି ସଦୃଶ। ଚିନ୍ତାମଣି ଯେପରି ମନୋବାଞ୍ଛା ପୂରଣ କରେ, ଏହି ଗ୍ରନ୍ଥ ବିଦଗ୍ଧ ବା ରସିକ ପାଠକମାନଙ୍କର ରସପିପାସା ଚରିତାର୍ଥ କରେ। ଏହି ଦୃଷ୍ଟିରୁ ବିଦଗ୍ଧ ଚିନ୍ତାମଣିର ନାମକରଣ ସାର୍ଥକତା ପ୍ରତିପାଦିତ ହୋଇଥାଏ। ଏଥ‌ିପାଇଁ କବିଙ୍କର ଭକ୍ତି ମଧ୍ୟ ପ୍ରଣିଧାନଯୋଗ୍ୟ ।

“ ଗୁଣ ଗ୍ରାହକେ ପାଇଲେ ଚିନ୍ତିଲା ସୁପ୍ରେମ,
ଗୀତ ହେବ ବିଦଗ୍ଧ ଚିନ୍ତାମଣି ନାମ।”

କେତେକ ଆଲୋଚକ ମତ ପ୍ରଦାନ କରନ୍ତି ଯେ ଅଭିମନ୍ୟୁ ବିଦଗ୍ଧ ମାଧବ ନାଟକର ନାମରୁ ‘ବିଦଗ୍ଧ’ ଶବ୍ଦ ଓ ‘ଚୌର ଚିନ୍ତାମଣି’ କାବ୍ୟର ନାମରୁ ଚିନ୍ତାମଣି ଶବ୍ଦ ଗ୍ରହଣ କରି ଦୁଇଗୋଟିକୁ ମିଶାଇ ଏପରି ନାମକରଣ କରିଛନ୍ତି। ଯେକୌଣସି ଦୃଷ୍ଟିକୋଣରୁ ବିଚାର କଲେ ‘ବିଦଗ୍ଧ ଚିନ୍ତାମଣି’ର ନାମକରଣର ସାର୍ଥକତା ପ୍ରତିପାଦିତ ହୋଇଥାଏ।

ବୈଷ୍ଣବ ଧର୍ମରେ ଭକ୍ତି ପାଞ୍ଚ ପ୍ରକାର- ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର । ଶଂସିତ କବିତା ‘କଳାମାଣିକରେ’ କବିଙ୍କ ମୂଳ ପୁସ୍ତକ ‘ବିଦଗ୍ଧ ଚିନ୍ତାମଣି’ ର ସପ୍ତଷଷ୍ଟି ଛାନ୍ଦରୁ ଆନୀତ। ଏହା ଜୟନ୍ତ ରାଗରେ ରଚିତ। ଏହାକୁ କଳାକାଇଁଚବାଣୀ ବୋଲି ମଧ୍ଯ କୁହାଯାଏ। ମମତାବର୍ଜିତ ଶାନ୍ତି ପ୍ରେମ ଅପେକ୍ଷା ମମତାଯୁକ୍ତ ଦାସ୍ୟ ଭାବ ଗୌରବମୟ । ଦାସ୍ୟ ପ୍ରେମଠାରୁ ବିଶ୍ୱାସଭାବନୀୟ ସଖ୍ୟ ପ୍ରେମ ଉତ୍କୃଷ୍ଟ । ତା’ଠାରୁ ଅନୁଗ୍ରାହ୍ୟ ଭାବମୟ ବା ପାଠ୍ୟ (ଭକ୍ତ ପାଳକ, ଶ୍ରୀକୃଷ୍ଣ ପାଲ୍ୟ-ଏଇ ଭାବପୂର୍ବ) ବାତ୍ସଲ୍ୟ ପ୍ରେମ ଶ୍ରେଷ୍ଠ । ତା’ଠାରୁ ସୁଖ ତାତ୍ପର୍ଯ୍ୟ ବର୍ଜିତ ଶ୍ରୀକୃଷ୍ଣ ସୁଖ ଅନୁସନ୍ଧାନ ତତ୍ପର କାନ୍ଥାଭାବ ଶ୍ରେଷ୍ଠ । ବାତ୍ସଲ୍ୟରେ କୃଷ୍ଣ ଅନୁଗ୍ରାହ୍ୟ ଓ ଯଶୋଦା ଅନୁଗ୍ରହକ- ଏଇ ଭାବର ସୌନ୍ଦର୍ଯ୍ୟ ପ୍ରକାଶ ପାଉଛି । କଳାମାଣିକ- ମାଣିକ ରକ୍ତବର୍ଣ୍ଣ ବିଶିଷ୍ଟ ଦୁର୍ଲଭ ରତ୍ନ । କୃଷ୍ଣଙ୍କର ବର୍ଷ କଳା ହେତୁ ତାଙ୍କୁ କଳାମାଣିକ ରୂପେ ସମ୍ବୋଧନ କରିଛନ୍ତି।

ଶ୍ରୀକୢଷ୍ଣ ନିତିଦିନ ଗୋଗୋଷ୍ଠରୁ ଗାଈ ନେଇ ଗୋପପୁରରୁ ଅନତି ଦୂରରେ ଥିବା ବଣକୁ ଗୋଚାରଣ ନିମିତ୍ତ ଗମନ କରନ୍ତି। ଏଠାରେ ଗୋପର ସନ୍ଧ୍ଯାକାଳ ଏବଂ ସନ୍ଧ୍ଯା ସମୟରେ ମାଆ ଯଶୋଦାଙ୍କ ମନରେ ଉଙ୍କି ମାରୁଥିବା ପ୍ରତ୍ଯେକ ଆଶଙ୍କାକୁ କବି ନିଖୁଣ ଭାବରେ ଲେଖନୀ ମୁନରେ ଚିତ୍ରଣ କରି କହୁଛନ୍ତି, ଶ୍ରୀକୢଷ୍ଣଙ୍କ ଗୢହାଗମନରେ ବିଳମ୍ବ ଦେଖି ମାତା ଯଶୋଦା ବାଇ ପ୍ରାୟ ହୋଇ ଦରିଦ୍ରର ସାହାରା ଯେପରି ଭଗବାନ ହୋଇଥା’ନ୍ତି ସେପରି ଯଶୋଦା ନିଜକୁ ଦୁଃଖୀ ଏବଂ ଶ୍ରୀକୢଷ୍ଣଙ୍କୁ ତାଙ୍କ ସାହାରା ବା ଧନ ରୂପରେ ସମ୍ବୋଧନ ପୂର୍ବକ ଅନ୍ତରର ସର୍ବଶ୍ରେଷ୍ଠ ଐଶ୍ବର୍ଯ୍ଯ ତଥା ଅନ୍ଧ ପାଇଁ ବାଡି ଯେପରି ଅସହାୟକୁ ସହାୟ ହୁଏ ମାଆ ପାଇଁ ପୁଅ ସହାୟତାର ଏକ ଦୂତ ଭାବେ ଅଭିହିତ କରି ଜଗତ ସମ୍ମୁଖରେ ପ୍ରକାଶ କରୁଛନ୍ତି। ସ୍ବୟଂ ଭଗବାନଙ୍କ ବାତ୍ସଲ୍ଯ ପ୍ରେମର ଆଧୀନା ସେ।

କବିତାର ପଂକ୍ତିଟିଏ,
ମୋ ଜୀବ ଜୀବନ ତୁହି ନୟନ ପ୍ରତିମା, ତୋତେ କି ପାସୋରି ହେବ, ମୋର ସୁଖ ସୀମା । କଳାମାଣିକ ରେ ।।
ପୁନଶ୍ଚ ମାତା ଶ୍ରୀକୢଷ୍ଣଙ୍କୁ ନିଜ ପ୍ରାଣ ଭାବେ ଅଭିହିତ କରି ପ୍ରାଣକୁ କେବେ ଜୀବ ଶରୀରଠୁ ଅଲଗା କରିବାକୁ ଇଚ୍ଛା ହୁଏ ବୋଲି ପ୍ରଶ୍ନ କରିଛନ୍ତି। ଏଠାରେ ମାତା ଯଶୋଦା ନିଜେ ନିଜକୁ ପ୍ରଶ୍ନ କରି ପ୍ରଶ୍ନ ମଧ୍ଯରେ ଉତ୍ତର ନିହିତ ଥାଇ ମଧ୍ଯ ସେ ଉତ୍ତର ଖୋଜିବା ମାତୢତ୍ବର ଏକ ସରଳ ଝଲକ ଦର୍ଶାଉଛି। ଏଥିରେ ପାଶ୍ଚାତ୍ଯ ସାହିତ୍ଯ ଆଲିଜିର ପ୍ରଭାବ ଦେଖିବାକୁ ମିଳିଛି। ଆଲିଜିର ଲିଖନ ଶୈଳୀ ଭିନ୍ନ ହେଲେ ମଧ୍ଯ ଏହାର ପ୍ରଶ୍ନରେ ଉତ୍ତର ନିହିତ ଥାଏ।

କବିତାର ପଂକ୍ତିଟିଏ ମନେପଡେ,
“ଡରୁଥାଇ ଅନ୍ଧାରକୁ ରଖିଯାଉ ଗୋରୁ,
ଜନକ ଜନନୀ ସୁଖ କାହିଁପାଇଁ ସାରୁ ।”
ଶ୍ରୀକୢଷ୍ଣ ଚଉଦ ବ୍ରହ୍ମାଣ୍ଡ ନାୟକ। ତାଙ୍କୁ ଅନ୍ଧାରକୁ ବା କି ଡର! ତଥାପି ସେ ମାତୢତ୍ବ ତଥା ପୁତ୍ର ସ୍ନେହ ପ୍ରାପ୍ତ କରାଇବା ନିମିତ୍ତ ଅନ୍ଧାରକୁ ଡରି ମାଆ କୋଳକୁ ଚାଲିଆସନ୍ତି।
କବିତାର ପଂକ୍ତିଟିଏ,
“ବୢଦ୍ଧକାଳେ ତୁ ମୋହର ଏକଇ ନନ୍ଦନ
ହୢଦ-ତାପ-ବିନାଶନେ ତୁ ହରିଚନ୍ଦନ। କଳାମାଣିକରେ।।”
ବୢଦ୍ଧକାଳରେ ଯେପରି ପିଲାଟିଏ ତା’ ମାଆ ବାପାଙ୍କ ସାହାରା ପାଲଟେ ସେପରି ନନ୍ଦ, ଯଶୋଦାଙ୍କ ବୢଦ୍ଧ କାଳରେ ଶ୍ରୀକୢଷ୍ଣ ତାଙ୍କ ଏକମାତ୍ର ସାହାରା ହେବା ପୂର୍ବକ ତମାମ କଷ୍ଟକୁ ସେ ଚନ୍ଦ୍ରକିରଣ ସାଜି ତାଙ୍କ ମନକୁ ଶୀତଳତାରେ ଭରିଦେବେ ବୋଲି ମନରେ ଆଶାବାନ୍ଧିଛନ୍ତି।

ଗୋପାଳ ଘରେ କ’ଣ କ୍ଷୀର, ଛେନା, ଦହି ଅଭାବ! ଗୋପାଳ ଘର ପୁଅ ହେଇ ମଧ୍ଯ ତାଙ୍କୁ ଏସବୁ ରୁଚେ ନାହିଁ। ଶ୍ରୀକୢଷ୍ଣଙ୍କୁ ଗୋରସ ପରି ଅମୢତ ରୁଚୁ ନଥିବା ସମୟରେ ସେ ଲହୁଣୀ ଲାଞ୍ଚ ମାଗି ଖାଇବା କଥା ମନେପକାଇ ଯଶୋଦା ଭାଳି ହେଉଛନ୍ତି। କବିତାର ଏହି ପଦରେ ଭଗବାନଙ୍କ ବାଲ୍ଯଲୀଳାରେ ଖାଇବାରେ ଅଝଟ ତଥା ଦୁଷ୍ଟାମି ଭାଗକୁ ଅତି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ହିନ୍ଦୁପୁରାଣ, ଶାସ୍ତ୍ର ତଥା ଲୋକମୁଖରେ ଭୂତ, ପ୍ରେତଙ୍କ ଉପାଖ୍ଯାନ ପ୍ରଚଳିତ। ସେଥିପାଇଁ ମା’ ମନ ଭୟରେ ଶଙ୍କା ପ୍ରକାଶ କରିଛି। ବଣ, ଜଙ୍ଗଲରେ ରାକ୍ଷସ ମାତିଥିବା କଥା ଶୁଣିବା ପରଠାରୁ ମନରେ ଛନକା ପଶିଯାଇଛି। ଯଶୋଦା ନିଜକୁ ଡଙ୍କୁଣୀ ବୋଲି କହି ଧିକ୍କାର କରିଛନ୍ତି। ପୁତନା ଠାରୁ ବକାସୁର ପର୍ଯ୍ଯନ୍ତ ଅନେକ ରାକ୍ଷସଙ୍କ ନିଧନ ପରେ ମଧ୍ଯ ମା’ ଭଗବାନଙ୍କୁ ସେହି ପୁତ୍ର ରୂପେ ଦେଖୁଛନ୍ତି। ଏହାହିଁ ପ୍ରଭୁଙ୍କ ମାୟା। ଏହାହିଁ ବାଲ୍ଯଲୀଳା। ଝାଞ୍ଜିର ପ୍ରଭାବ ଲାଗି ଶରୀରରୁ ଘର୍ମ ନିର୍ଗତ ହେବା ସହ ଦେହ କଷ୍ଟ ପାଇଥିବେ। ଶ୍ରମର ପ୍ରଭାବରେ ସେ ଗଛ ତଳେ କଷ୍ଟ ଲାଘବ ନିମିତ୍ତ ବସିଯାଇଥିବେ। ଖରାର ପ୍ରଭାବରେ ଦେହ ଝାଉଁଳି ପଡିଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଠାରେ ଗ୍ରୀଷ୍ମଋତୁର ଆଗମନର ପ୍ରଭାବ ଉପରେ ସମ୍ଯକ ଧାରଣା ଦିଆଯାଇଛି। ବଣର ରାସ୍ତା କଣ୍ଟକିତ ହେବା ଯୋଗୁଁ ସେ ନିତି କଠାଉ ଓ ଛତା ସାଙ୍ଗରେ ନିଅନ୍ତି। ମାତ୍ର; କଠାଉ, ଛତା ସବୁଦିନ ପରି ଆଜି ତାଙ୍କ ସାଙ୍ଗରେ ନଥିବା କଥା ଭାଳି ହୋଇ କଅଁଳ ପାଦରେ କଣ୍ଟା ଫୁଟି କଷ୍ଟ ଦେଉଥିବ। ମାଆ ବିବ୍ରତ ହୋଇପଡିଛନ୍ତି।

କବିତାର ପଂକ୍ତିଟିଏ,
“କାନ ଡେରିଥାଇ ଏକା ତୋ ବେଣୁ ଗୀତକୁ,
ଆଜି କିମ୍ପା ଶୁଭୁନାହିଁ ଭାବୁଛି ମନକୁ। କଳାମାଣିକରେ।।”
ଦ୍ବାର ମୁହଁରେ ବସି ମା’ ଯଶୋଦା ପୁତ୍ରର ବେଣୁ ସ୍ବନକୁ କାନ ଡେରିଛନ୍ତି। ମନରେ ବ୍ଯାକୁଳତାର କଳା ବାଦଲ…. ମନରେ ଅସୁମାରି ଆଶଙ୍କା ରୂପକ ବିଜୁଳି…. ସନ୍ଧ୍ଯା ଆଗତପ୍ରାୟ….।।

ଅଳଙ୍କାର ପ୍ରୟୋଗ, ଭାଷାଚାତୁରୀ, ବର୍ଣ୍ଣନାବିଳାସ, କଳ୍ପନାବିଳାସ, ତତ୍ତ୍ବବର୍ଣ୍ଣ ପ୍ରଭୃତି ସମସ୍ତ ଦିଗରୁ ବିଦଗ୍ଧ ଚିନ୍ତାମଣି ଓଡ଼ିଆ କାବ୍ୟ ସାହିତ୍ୟ ଜଗତରେ ଏକ ସ୍ଵତନ୍ତ୍ର ସମ୍ମାନ ଦାବି କରେ। କବିଙ୍କର କଳ୍ପନାନୁସାରେ କାବ୍ୟଟି ପରିସମାପ୍ତି ଲାଭ କରିପାରିନାହିଁ। ତଥାପି କାବ୍ୟର ଦୋଷଗୁଣ ବିଚାରରେ ଏହାକୁ ଏକ ଅନବଦ୍ୟ କାବ୍ୟ ଭାବରେ ଗ୍ରହଣ କରାଯାଏ।

 

ନାମ- ରୁଦ୍ର ନାରାୟଣ ଦାଶ
ଠିକଣା- ଭୁବନେଶ୍ବର, ଖୋର୍ଦ୍ଧା

ସୋପାନ- ଖ
ସନେଟ୍- ତରାରେ ମୁଁ ଜଳେ

ସମୀକ୍ଷା ଶୀର୍ଷକ- ତରାରେ ମୁଁ ଜଳେ ସନେଟ୍ ରେ ପ୍ରେମ ଓ ବିରହ ଏକ ଅପୂର୍ବ ସମନ୍ୱୟ

 

ସାମ୍ପ୍ରତିକ ଓଡ଼ିଆ କାବ୍ୟଲୋକରେ ଗିରିଜା ଶଙ୍କର ବଳିୟାର ସିଂ ଜଣେ ସମର୍ଥ ଶବ୍ଦସ୍ଥପତି, କଳାପୂର୍ଣ୍ଣ କାବ୍ୟ-କୋଣାର୍କର ଅନ୍ୟତମ ଧୁରୀଣ ଧର୍ମପଦ । ତାଙ୍କ ଲେଖା, କଥା, କବିତାରେ ଅନୁପ୍ରାସ ଓ ଯମକବହୁଳ ଶବ୍ଦମାନ ସତତ ସଜାଗ, ଏହାହିଁ ତାଙ୍କ ନାଦପ୍ରବଣ ମାନସିକତାର ଉଜ୍ଜ୍ଵଳ ଉଚ୍ଚାରଣ । ଭାବାବେଗରେ ଛଳଛଳ ଓ ରସାନୁଭୂତିରେ ଢଳଢ଼ଳ ତାଙ୍କ କବିତା ପ୍ରତିବଦ୍ଧତାର ପ୍ରବଳ ପ୍ରତିଜ୍ଞା, ଜୀବନବୋଧର ଜ୍ଵଳନ୍ତ ଜଳଛବି । ସନେଟ୍ ଶୈଳୀରେ ରଚିତ ତାଙ୍କ କବିତା ଓ ଛନ୍ଦୋବଦ୍ଧ ପ୍ରେମକବିତାଗୁଡ଼ିକ ପ୍ରୀତିପୂର୍ଣ୍ଣ ପ୍ରଣୟର ଗୀତିମୟ ଗାଥା ଏବଂ ଏସବୁକୁ ଶବ୍ଦାୟିତ କରିବାରେ ସେ ଜଣେ ସିଦ୍ଧିପ୍ରାପ୍ତ ସିଦ୍ଧାର୍ଥ । ‘କାଲିର କବିତା’, ‘କ୍ରୌଞ୍ଚମିଥୁନ’, ‘ତୃଷ୍ଣା ତର୍ପଣ’, ‘ଡାଇରୀର ଶାଇରୀ’, ‘ମୃତ୍ୟୁ ତୁମେ ଆସ’, ‘ଭାରତବର୍ଷ’, ‘ସର୍ଗସମଗ୍ର’, ‘ଚିତ୍ରପ୍ରତିମା’, ‘ଶୀତଶୀର୍ଷକ’, ‘ଚର୍ଯ୍ୟାଚୟନ’ ଇତ୍ୟାଦି କବିତା-ସଂକଳନ ତାଙ୍କ ବିଦଗ୍ଧ କବିଚିତ୍ତର ବିମୁଗ୍ଧ ସତ୍ତା । ନୂତନ ଚିନ୍ତା, କାବ୍ୟିକ ଚେତନା ଓ ସତର୍କ ନିପୁଣତାପୂର୍ଣ୍ଣ ଉପସ୍ଥାପନା ଶୈଳୀରେ ମଣ୍ଡିତ ‘ଭାରତବର୍ଷ’ କବିତାସଂକଳନର ସଫଳ ସ୍ରଷ୍ଟାଭାବରେ ସେ ୨୦୦୬ ବର୍ଷପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କାରପ୍ରାପ୍ତ।

ସନେଟକୁ ଚତୁର୍ଦ୍ଦଶପାଦୀ କବିତା ମଧ୍ଯ କୁହାଯାଏ। ପାଶ୍ଚାତ୍ଯ ସାହିତ୍ଯ ସଂସର୍ଗରୁ ଭାରତୀୟ ସାହିତ୍ଯ ବା ଓଡିଆ ସାହିତ୍ଯକୁ ସନେଟ ପ୍ରବେଶ କରିଛି।’ସନେଟ’ ଶବ୍ଦଟି ଇଟାଲୀୟ ‘ସନେଟୋ’ ଶବ୍ଦରୁ ଉତ୍ପନ୍ନ। ଫରାସୀ ଭାଷାରେ ସନେଟୋ ଶବ୍ଦର ଅର୍ଥ କ୍ଷୁଦ୍ରାର୍ଥବାଚକ; ଏହାର ମୂଳ ଶବ୍ଦ ‘ସୋନସ’। ସନେଟ ଆଧୁନିକ କବିତା ମଧ୍ଯରେ ପ୍ରବେଶ ପରେ ମଧ୍ଯ ଆଧୁନିକ କବିତାର ଅନ୍ତର୍ଗତ ନୁହେଁ। ଇତିହାସ କୁହେ ରାଜା ଫ୍ରେଡରିକଙ୍କ ପାରିଷଦ ମଧ୍ଯରେ ସ୍ଥାନ ପାଇଥିବା ଜ୍ଯାକୁମୋ ଡ୍ଯାଲେଣ୍ଟିନୋ ଖ୍ରୀଷ୍ଟାବ୍ଦ ୧୨୩୦-୪୦ ମଧ୍ଯରେ ପ୍ରଥମ ସନେଟ ରଚନା କରିଥିଲେ। ସନେଟକୁ ପୂର୍ବରୁ ବାଦ୍ଯଯନ୍ତ୍ର ସାହାଯ୍ଯରେ ପରିବେଷଣ କରାଯାଉଥିଲା। ବ୍ରିଟେନ ସଂସ୍ପର୍ଶରେ ଆସିବା ପରେ ଏହା ନିଜସ୍ବ ମଧୁରତା ହରାଇଲା। ବ୍ଯତରାର୍କ ସନେଟ ପ୍ରଣାଳୀର ଅଭ୍ଯୁଦୟ ପରେ ଏହାକୁ ମୂଳ ସନେଟ ଭାବରେ ଗ୍ରହଣ କରାଗଲା।
ଏହା ମୁଖ୍ଯତଃ ଦୁଇ ଭାଗରେ ବିଭକ୍ତ,
ପ୍ରଥମ ଅର୍ଦ୍ଧେକ ଅଷ୍ଟକ
ଏବଂ
ଦ୍ବିତୀୟ ଅର୍ଦ୍ଧେକ ଷଷ୍ଠକ।

ଆଶା, ବିରହ, ଯନ୍ତ୍ରଣା, ପ୍ରେମ ଭଳି ଭାବନାକୁ ଭିନ୍ନ ଶୈଳୀରେ ଉପସ୍ଥାପନ କରାଯାଇଥାଏ। ଅଷ୍ଟକରେ ବିଷୟ ସୂଚନା, ଷଷ୍ଠକରେ ବିଶ୍ଳଷଣାତ୍ମକ ଅଭିବ୍ଯକ୍ତି ପ୍ରଦାନ କରାଯାଏ। ପରିବର୍ତ୍ତନଶୀଳ ସାହିତ୍ଯ ଧାରାରେ ଆମେ ସନେଟକୁ ନୂଆ ରୂପ ଦେଲେ। ଅଧୁନା ସେକ୍ସପିଅରଙ୍କ ସନେଟ, ଭାବଧାରାକୁ ବିଶ୍ବ ଅନୁସରଣ ପୂର୍ବକ ସନେଟର ରୂପରେଖ ଚାରି ପାଦ ବିଶିଷ୍ଟ। ଶେଷ ପଦଟି ଦୁଇ ପାଦ ବିଶିଷ୍ଟ ଓ ଏହା ମିତ୍ରାକ୍ଷର ଛନ୍ଦରେ ରଚିତ।
ଏହା ନିମ୍ନଲିଖିତ ଭାବେ ରଚନା କରାଯାଏ।
ପ୍ରଥମ ପଦ କଖଗଖ,
ଦ୍ବିତୀୟ ପଦ ଗଘଗଘ,
ତୢତୀୟ ପଦ ଙଚଙଚ,
ଚତୁର୍ଥ ପଦ ଛଛ ଏମାନଙ୍କ ଶେଷ ଅକ୍ଷରଙ୍କ ଯତିପାତ।

ସ୍ପେନସରିଆନ ଶୈଳୀର ପ୍ରବକ୍ତା ସ୍ପେନ୍ସରଙ୍କ କ୍ଷେତ୍ରରେ ପ୍ରଥମ ପଦର ଶେଷ ଧାଡି ସହ ପରବର୍ତ୍ତୀ ପଦର ପ୍ରଥମ ଧାଡିର ପ୍ରାନ୍ତମେଳକ ସହ ସମ୍ପର୍କ ରହେ।
ଯେପରି
ପ୍ରଥମ ପଦ କଖକଖ,
ଦ୍ବିତୀୟ ପଦ ଖଗଖଗ,
ତୢତୀୟ ପଦ ଗଘଗଘ,
ଚତୁର୍ଥ ପଦ ଙଙ ଭାବରେ ରଚିତ।
ତ୍ରୟୋଦଶ ଶତକରୁ ଷୋଡଶ ଶତକ ମଧ୍ଯରେ ସନେଟ୍ ଲିଖନ ଶୈଳୀରେ ଭିନ୍ନତା ପରିଲକ୍ଷିତ ହୁଏ।

ଓଡିଆ ସାହିତ୍ଯରେ ସନେଟ୍ ରୀତିଯୁଗରେ ପ୍ରବେଶ କରିବା ଜଣାପଡେ। ଫକୀରମୋହନ ସେନାପତି, ମଧୁସୂଦନ ରାଓ ଙ୍କ ପରମ ବିଶିଷ୍ଟ ସାହିତ୍ଯିକଙ୍କ ସମୟରେ ଓଡିଆ ସନେଟ ପ୍ରଚଳନ ହେବା ଇତିହାସ ଦର୍ଶାଏ। ପ୍ରାରମ୍ଭିକ ସମୟରେ ଜଟିଳତା ଦୂରୀଭୂତ ହୋଇଛି। ବାହ୍ଯ ସଙ୍ଗତି ଓ ଅନ୍ତସଙ୍ଗତିର ମିଳନ ଏବଂ ସୂକ୍ଷ୍ମ ବିଚାରଧାରା ଉପରେ ଗୁରୁତ୍ବାରୋପ ହେବା ଜଣାପଡେ।
ଉଦାହରଣ- ମଧୁସୂଦନ ରାଓଙ୍କ ବସନ୍ତ ଗାଥା (ପ୍ରାନ୍ତ ମେଳ),
ସମୁଦ୍ର ସ୍ନାନ(ଅସମ ଯତିପାତ),
ମାୟାଧର ମାନସିଂହ(ତିନୋଟି ସନେଟ)।

ଆମ ନିତିଦିନିଆ ହାହୁତାଶମୟ ଜୀବନରେ ଅନେକ ଝାଞ୍ଜି ବହିଯାଏ। ସେଥିରୁ ଅବସର ନେଇ ଟିକେ ପ୍ରେମ-ବିରହର କବିତା ଲେଖିବା ମୋର କାହିଁ ଉଚିତ ମନେହୁଏ। ସତରେ ଆମେ କିଛି ସାହିତ୍ୟ ରଚନା କରିବା ଉଚିତ ଯାହାକୁ ଥରେ ପଢିଲେ ରାତିରେ ଶାନ୍ତି ରେ ଶୋଇ ହେବ ନାହିଁ, ମସ୍ତିଷ୍କ ରେ ଆପଣା ଛାଏଁ ଆଲୋଡନ ସୃଷ୍ଟି ହେବ। ଗିରିଜାଶଙ୍କରଙ୍କ ଏହି ସନେଟଟି ସେଥି ମଧ୍ଯରୁ ଗୋଟିଏ; ଅନୁଭବିଟିଏ ଅନୁଭବ କରିପାରେ ପ୍ରେମ-ବିରହକୁ।

‘ତରାରେ ମୁଁ ଜଳେ’ ଶୀର୍ଷକର ଅର୍ଥ କବି ତରାରେ ଜଳୁନାହାଁନ୍ତି। କବି ଏଠାରେ ତରାର ମିଞ୍ଜି ମିଞ୍ଜି ଆଲୋକ ପ୍ରଭାବରେ ଯେମିତି ଦଗ୍ଧୀଭୂତ ହେଇଯାଉଛନ୍ତି। ସେ ବର୍ତ୍ତମାନ ଜୀବନ୍ତ ଦଗ୍ଧ। ତାଙ୍କ ଯୁବାବସ୍ଥାର କଥାକୁ ସେ ସେପରି ଭାଳି ହେଉଛନ୍ତି। ମନର ସଫେତ ପରଦା ପଛରେ ଯେପରି ସେ ଘଟଣାମାନ ନୢତ୍ଯରତା। ଜଣାନାହିଁ କିଏ ସେ ସ୍ମୢତିକୁ ଉଜ୍ଜୀବିତ କରାଇବାକୁ ବାଧ୍ଯ କଲା। ସେ ଅବା ତାଙ୍କ ପ୍ରକୢତି?

ସନେଟର ପ୍ରଥମ ଅଂଶରେ ସେ ଯୌବନ ଅବସ୍ଥାକୁ ଫେରିଯାଇଛନ୍ତି। ଏକ ସାଧାରଣ ମାସର କଥା ବର୍ଣ୍ଣନା ହୋଇଛି। ସେ ସେହି ସାଧାରଣ ମାସଟାର ନିର୍ଦ୍ଦିଷ୍ଟ ଦିନକୁ କ୍ଯାଲେଣ୍ଡରରେ ଚିହ୍ନଟ କରି ରଖିଛନ୍ତି। କୁହୁଡିର ବାତାବରଣ ନାହିଁ, ଆକାଶ ନିର୍ମଳ; ଶରତ ସମୟ କଥା କୁହାଯାଇଛି। କବି ଏକ ସ୍ଥାନରେ ବସି ଦୂରର ମେଷପଲକୁ ଚାହିଁରହିଛନ୍ତି। ନିଜକୁ ବୁଝାଇ କହୁଛନ୍ତି, ଏକ ମେଣ୍ଢା ପାଣିରେ ପଡିଲେେ ଯେପରି ସମସ୍ତେ ପାଣିରେ ପଡନ୍ତି ସେପରି ଆଧୁନିକତାର ବଶବର୍ତ୍ତୀ ହୋଇ ଯୌବନ ଆଢୁଆଳରେ ସେ ବି ପ୍ରେମର ନଦୀରେ ବୁଡ ପକାଇଛନ୍ତି। ସେ ପୁଣ୍ଯ ଅର୍ଜନ କରିଛନ୍ତି କି ନା ସେ ହିଁ ଜାଣନ୍ତି।ଏହିପରି ଅନେକ ପ୍ରଶ୍ନକୁ ଖୋଜି ହେଉଛନ୍ତି ବୟସର ଅପରାହ୍ଣରେ। ପ୍ରେମିକା ଓଠର ଲାଲ ଲିପଷ୍ଟିକ ଦାଗ; ତଥା ତା’ କାମାସକ୍ତ ଓଠ ପ୍ରତି ତାଙ୍କ ମନ ଆଜି ବି ଆନ୍ଦୋଳିତ ହୋଇପଡେ। ସେ ପ୍ରେମର ସନ୍ନ୍ଯାସୀ ସତ ମାତ୍ର; ପ୍ରେମିକାଙ୍କ ଅନୁପସ୍ଥିତିରେ ବିରହର ଦାସ।

ସନେଟର ଦ୍ବିତୀୟ ପଦଟି,
“ଦିନପଂଜୀର ଫର୍ଦ ଉହାଡେ ଥାଇ –
ପାଉଁଶପକ୍ଷୀ – ନିଆଁପର ଝାଡ଼େ ଯାଇ !
ଯିଏ ବାଛ ବସି – ଯେତେ ଭୁଲ୍ ଠିକ୍ ଆଗ
ତମ ଜମିରେ ତା ଛାଇ ଜମା ମାଡ଼େ ନାହିଁ !”
ସନେଟର ଦ୍ବିତୀୟ ପଦରେ କବି ନିଜର ଭୁଲ ଠିକର ବିଚାର କରିବାକୁ ଯାଇ ଦ୍ବିଧାରେ ପଡିଯାଇଛନ୍ତି। ସେ ନିଜ ସପକ୍ଷରେ ଯୁକ୍ତି ବାଢିବା ସହ ନିଜ ଭୁଲ ବିପକ୍ଷରେ ସାକ୍ଷ୍ଯ ପ୍ରମାଣ ଉପସ୍ଥାପନ କରିବାକୁ ଚାହିଁଛନ୍ତି। ଦିନପଂଜୀର ସେହି ସମାନ ତାରିଖ ଠାରୁ ସେ ଏବେ ଅନେକ ଦୂରକୁ ଚାଲିଆସିଛନ୍ତି। ସେ କହୁଛନ୍ତି, ସେ ପୋଡି ହେଇଯାଇଥିବା ପକ୍ଷୀଟିଏ। ନିଜକୁ ମୁକ୍ତ ଆକାଶର ପାଉଁଶ ପକ୍ଷୀ ଭାବେ ଅଭିହିତ କରିବା ସହ ନିଜେ କେଉଁ ଶିଖରରେ ବସି ପୋଡିହେଇଥିବା ପରକୁ ଅଲଗା କରୁଛନ୍ତି ଅର୍ଥାତ ନିଜ ଦ୍ବାରା ଯୌବନାବସ୍ଥାରେ ହୋଇଥିବା ଭୁଲକୁ ସେ ଯେପରି ଜାଣିପାରିଛନ୍ତି। ଅବଗତ ପରେ ପଶ୍ଚାତାପ ଆଉ ତାକୁ ସୁଧାରିବା ପ୍ରୟାସରେ ସେ ମନ୍ଦଭାବ ମନ୍ଦକର୍ମକୁ ନିଜଠାରୁ ଅଲଗା କରିବାର ପ୍ରୟାସରେ ସେ ଆଜି ବି ମଗ୍ନ। ପୁନଶ୍ଚ କବି ନିଜ ଦ୍ବାରା କିଛି ଭୁଲ ହୋଇନଥିବା ଚେତନାରେ ମଗ୍ନ। ସେ କେବେ ତାଙ୍କ ପ୍ରେମିକାକୁ ସ୍ପର୍ଶ କରିନାହାଁନ୍ତି। ତା’ ଶରୀରର ବାସ୍ନାକୁ କେବେ ଆଘ୍ରାଣ କରିବାକୁ ଚେଷ୍ଟା କରିନାହାଁନ୍ତି। କବିଙ୍କ ଉପରେ ଲାଗିଥିବା ପ୍ରତ୍ଯେକ ଆରୋପ ମିଥ୍ଯା ଅଟେ ଏବଂ ସେ ପୁନଶ୍ଚ କହିଛନ୍ତି, ସମାଜ ପଛେ ତାଙ୍କ ଭୁଲ ବାଛୁ, ତାଙ୍କୁ ବାସନ୍ଦ କରିଦେଉ ମାତ୍ର; ସେ ତାଙ୍କ ପ୍ରେମିକାକୁ ଅନ୍ତରମନରୁ ଏକ ଚିତ୍ତରେ ପ୍ରେମ କରୁଥିଲେ। ସେ ପ୍ରପଞ୍ଚ ନୁହେଁ, ସେ ପ୍ରେମର ତପସ୍ବୀ।

ସନେଟର ତୢତୀୟ ପାଦରେ କବି ନିଜକୁ ଶବ ସହ ତୁଳନା କରିଛନ୍ତି। ଏଠାରେ ନିଜ ବିରହ ସମୟକୁ ଅତି ନିଚ୍ଛକ ରୂପ ନେଇଛନ୍ତି। ପ୍ରେମିକା ଛାଡିଯିବା ପରେ ସେ ଜୀବନ୍ତ ଶବ ଭାବରେ ସମାଜରେ ନିଜକୁ ଦେଖିଛନ୍ତି। ଆଇନାରେ ନିଜ ମୋହ, ଭାବନାକୁ ଦଗ୍ଧ ଅବସ୍ଥାରେ ଦେଖି ନିଜକୁ ନିହତ ଭାବରେ ଅଭିହିତ କରିଛନ୍ତି।
ଉକ୍ତ ଦ୍ବିତୀୟ ପଦଟିର ମଝି ଦୁଇ ପାଦରେ କବି କ୍ଷୋଭ ପ୍ରକାଶ ପୂର୍ବକ କହିଛନ୍ତି,
“ମିଳି ମାର ମୋତେ ମସିହାର ମୋଡେ ପାଇ
ନିଧନିବାକୁ ହିଁ ନିହତକୁ, ଧିକ୍ ଜାଗ..”
ସମୟର ସ୍ରୋତରେ ତାଙ୍କ ଲେଖନୀ ଏପରି ମୋଡ ନେଇଛି ଯେ ତାଙ୍କୁ ସମାଜ ପୁନଶ୍ଚ ହତ୍ଯା କରିବାକୁ ତତ୍ପରତା ଦେଖାଇଛି।‌ କବି ପ୍ରଶ୍ନ କରୁଛନ୍ତି ନିହତ ଶରୀରର ପୁଣି ହତ୍ଯା? ପୁନଶ୍ଚ ଟିକ୍ ଟିକ୍ ହେବ! ସେ ସେହି ହତ୍ଯାକାରୀକୁ ଧିକ୍ କହି ନିନ୍ଦା କରିଛନ୍ତି। ବିଦ୍ରୋହର ଭାବ ପ୍ରତିଫଳିତ ହୋଇଛି।

ସନେଟର ଅନ୍ତିମ ପଦର ଅନ୍ତିମ ଧାଡି,
“ତରାରେ ମୁଁ ଜଳେ … ସୂର୍ଯରେ ପୋଡ଼େ ନାହିଁ ..।।”
ସନେଟର ଅନ୍ତିମ ପଦ ବା ଚତୁର୍ଥ ଅଂଶଟିରେ କବି ନିଜ ଭାବନାରେ ହଠାତ ପୂର୍ଣ୍ଣଛେଦ ପକାଇଛନ୍ତି। ତାଙ୍କ ଜୀବନର ଅଭୁଲା ମୁହୂର୍ତ୍ତ ତଥା ତାଙ୍କର ଅପମାକୁ ସେ ସହ୍ଯ ନକରିପାରି ବିଦ୍ରୋହ କରିଛନ୍ତି। ମନରେ ଏଯାବତ୍ ଚାଲିଥିବା ଶୀତଳ ଯୁଦ୍ଧର ପରିସମାପ୍ତି ହେବାକୁ ଯାଉଛି। କବି ନିଜକୁ ସୂର୍ଯ୍ଯଠାରୁ ତେଜୀୟାନ କହିବା ସହ ସୂର୍ଯ୍ଯଙ୍କ ଅସୀମ ଶକ୍ତିକୁ ସହ୍ଯ କରିବାର କ୍ଷମତା ରଖିଛନ୍ତି, ମାତ୍ର; ଆକାଶଠୁ ଅନେକ ଦୂରରେ ଥିବା ତାରାମାନଙ୍କ କିରଣରେ ନିଶାର୍ଦ୍ଧ ପ୍ରହରରେ ଜଳିଯାଉଛନ୍ତି।

ହେ ବରେଣ୍ଯ ସାହିତ୍ଯ ସ୍ରଷ୍ଟା ଗିରିଜା ଶଙ୍କର ମହୋଦୟ, ଓଡ଼ିଆ ଭାଷା ସାହିତ୍ୟ ର ଦ୍ୱାର ଦେଶରେ ଅଟକି ଯାଇଥିବା ଅଧମକୁ ଆପଣଙ୍କ ସନେଟ ‘ତାରାରେ ମୁଁ ଜଳେ’କୁ ସମୀକ୍ଷା କରିବାର ସୁଯୋଗ ପ୍ରାପ୍ତ ହେଲା ଏହା ମୋ ପାଇଁ ଆଶୀର୍ବାଦ। ପୁସ୍ତକ ସମୀକ୍ଷା ବା ସନେଟ ସମ୍ପର୍କରେ କିପରି ଲେଖାଯାଏ ସେ ସମ୍ପର୍କ ରେ ସମ୍ଯକ ଧାରଣା ରହିଛି, ଆପଣଙ୍କ ସନେଟ୍ ପଢ଼ିଲି ଯାହା ମୋତେ ଲାଗିଲା ତାକୁ ଲେଖିଲି। କିଛି ଭୁଲ ଥିଲେ ତ୍ରୁଟି ମାର୍ଜନା କରିବା ହେବେ।

 

ନାମ- ରୁଦ୍ର ନାରାୟଣ ଦାଶ
ଠିକଣା- ଭୁବନେଶ୍ବର, ଖୋର୍ଦ୍ଧା

Loading

4 thoughts on “ସମୀକ୍ଷାତ୍ମକ ଆଲେଖ୍ୟ- ରୁଦ୍ର ନାରାୟଣ ଦାଶ*

Leave a Reply

Your email address will not be published. Required fields are marked *