୧.କ -ତ୍ୟାଗ ପୁରୁଷ ଗୋପବନ୍ଧୁ ଦାସ ( ବନ୍ଦୀର ଆତ୍ମକଥା)
ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ, ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ ଜଣେ ସମାଜସେବୀ,କବି,ସମାଜ ସଂସ୍କାରକ, ସ୍ଵାଧୀନତା ସଂଗ୍ରାମୀ ଏବଂ ସାମ୍ବାଦିକ। ୧୮୭୭ ମସିହାରେ ସୁଆଣ୍ଡୋ ଗ୍ରାମର ( ସାକ୍ଷୀଗୋପାଳ) ଏକ ବ୍ରାହ୍ମଣ ପରିବାରରେ ଜନ୍ମିଥିଲେ ଶ୍ରୀ ଦାସ। ଓଡ଼ିଶାରେ ଶିକ୍ଷା ଶେଷ କରି କଲିକତା ବିଶ୍ଵବିଦ୍ୟାଳୟରେ ଏମ୍ ଏ ଏବଂ ଆଇନ ଶିକ୍ଷା ସମ୍ପନ୍ନ କରିଥିଲେ। ମଣିଷଙ୍କ ପ୍ରତି ଭଲ ପାଇବା ଏବଂ ସମାଜର ଦୁଃଖରେ ଭାଗୀଦାର ହେବା ତାଙ୍କ ଜୀବନର ଆଦର୍ଶ ଥିଲା। ଓଡ଼ିଶା ଲୋକଙ୍କୁ ଶିକ୍ଷିତ କରାଇବା ଉଦ୍ଦେଶ୍ୟରେ ୧୯୧୯ ମସିହାରେ ସେ ଆରମ୍ଭ କଲେ ସାପ୍ତାହିକ ସମ୍ବାଦପତ୍ର ‘ ସମାଜ ‘। ୧୯୨୭ ମସିହାରେ ଏହା ଏକ ଦୈନିକ ଖବରକାଗଜରେ ପରିଣତ ହେଲା। ସ୍ୱାଧୀନତା ସଂଗ୍ରାମରେ ଲିପ୍ତ ରହିବା ଯୋଗୁଁ ତାଙ୍କୁ ୧୯୨୧ ଏବଂ ୧୯୨୨ ମସିହାରେ ଜେଲ୍ ଯିବାକୁ ପଡ଼ିଥିଲା। ତାଙ୍କ ନିସ୍ବାର୍ଥପର ସେବା ଆଜି ବି ପ୍ରତି ଓଡ଼ିଆଙ୍କ ମନରେ ଜୀବିତ। ତେବେ ସାହିତ୍ୟ କୃତି କଥା ଯଦି କୁହାଯାଏ ତେବେ ସେ କାରା କବିତା, ଅବକାଶ ଚିନ୍ତା, ଧର୍ମପଦ, ବନ୍ଦୀର ଆତ୍ମକଥା ଲେଖିଥିଲେ। ଏହା ବ୍ୟତୀତ ଏକ ସମାଲୋଚନା ମୂଳକ ଲେଖା ‘ ଓଡିଆ କାହିଁକି ଦରିଦ୍ର’ ମଧ୍ୟ ତାଙ୍କ ସାହିତ୍ୟିକ କୃତୀର ନିଦର୍ଶନ।
ଦତ୍ତ ପଦ୍ୟ ଖଣ୍ଡ ବନ୍ଦୀର ଆତ୍ମକଥାରୁ ଆନୀତ। ଏହି ପଦ୍ୟରେ ଶ୍ରୀ ଦାସ ନିଜ ବନ୍ଦୀ କାଳର ଭାବ, ଚିନ୍ତାଧାରା, ମଣିଷର ଧର୍ମ, ନିଜ ଜୀବନର ଉଦ୍ଦେଶ୍ୟ ଆଦି ମାନବୀୟ ଅବସ୍ଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେ ମଣିଷର ସ୍ବାର୍ଥପରତା ଦେଖାଇବାକୁ ଯାଇ କହିଛନ୍ତି, ମୋର ବନ୍ଦୀ କାଳେ ଭାଇ,ଦେଶବାସୀ, ଆତ୍ମୀୟ କେହି ବି କାତର ହୋଇନାହାନ୍ତି। ଏ କଥା ମୁଁ ଜାଣିଥିଲି। ଜାଣିବା କଥା ପାଇଁ ଆଉ ମନରେ ବ୍ୟଥା କଣ ପାଇଁ ହେବ? ପୁରୁଷପଣ ବା ସଂଗ୍ରାମୀ ଜୀବନକୁ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି, ପଛଘୁଞ୍ଚା ନାହିଁ ବୀରର ଜାତକେ ନ ମରେ କେବେ ସେ ପରାଣ ଆତଙ୍କେ। ଏ ବାକ୍ୟରେ ସେ ସ୍ଵାଧୀନତା ସଂଗ୍ରାମୀଙ୍କ ସାହସିକତା କଥା କହୁଛନ୍ତି। ସେ ପୁଣି କହୁଛନ୍ତି, ଏଥି ମାନସିକତାର, କୂଟନୀତିର ଯୁଦ୍ଧ ଚାଲିଛି ଏଥି ହାତୀ ଘୋଡ଼ା ସୈନ୍ୟଙ୍କ ଆବଶ୍ୟକତା ନାହିଁ ଏ ଯୁଦ୍ଧ କେବଳ ଅହିଂସା ଏବଂ ଶିକ୍ଷାର ଅସ୍ତ୍ରରେ ଜିତି ହେବ। ସେ ଏ ପଦ୍ୟରେ ଦର୍ଶାଇଛନ୍ତି ଯେ ଏ ରାସ୍ତା ଭାରି କଠିନ ସବୁ ତ୍ୟାଗ କରିବାକୁ ହେବ ଏଥି।କେବେ କାରାଦଣ୍ଡ କେବେ ମୃତ୍ୟୁଦଣ୍ଡ ମିଳିପାରେ ତଥାପି ଏ ସବୁ ଜାଣି ମୁଁ ଓହ୍ଲାଇଛି ଏ ରାସ୍ତାକୁ। ନିଜର ତ୍ୟାଗ ମନୋଭାବ ତାଙ୍କର ଲେଖା ‘ ମିଶୁ ମୋର ଦେହ ଏଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ‘ ରୁ ଜଣାପଡେ। ନିଜର ସୁଖ, ପରିବାର , ଜୀବନକୁ କେମିତି ସ୍ଵରାଜ୍ୟ ପାଇଁ ତ୍ୟାଗ କରାଯାଇପାରେ ତାହା ଏ ଧାଡ଼ି ବଖାଣୁଛି। ପୁଣି ସେ କହୁଛନ୍ତି ଏ ଜୀବନ ପ୍ରତିବଦଳରେ ସ୍ଵରାଜ୍ୟ ମିଳୁ। ଏ ଜୀବନ ଧନ୍ୟ ହୋଇବ ଏମିତି ହେଲେ। ଶେଷ ଇଚ୍ଛାରେ ସେ ନିଜ ପ୍ରାଣ ଯାଉ ଏ ଦେଶ ସ୍ଵରାଜ୍ୟ ହେଉ ବୋଲି ଭିକ୍ଷା କରୁଛନ୍ତି।
କବି ଦାସଙ୍କ ଏ ଲେଖା ଏକ ଜନଜାଗରଣକାରୀ ଲେଖା ବୋଲି କୁହାଯାଇ ପାରେ। ଏ ଲେଖାରେ ଅଛି ତ୍ୟାଗ, ସାହସିକତା ଆଉ ଦେଶପ୍ରେମ। ଏ ପଦ୍ୟରେ ଅଛି ଦେଶପ୍ରତି ଏକ ନିର୍ଚ୍ଛକ ଭଲପାଇବା। ସମାଜ ପ୍ରତି ଏକ ସନ୍ଦେହହୀନ ପ୍ରେମ। ଏ ପଦ୍ୟରେ ଲେଖକ ନିଜର ରୂପ ଦେଇ ପୁରା ସମାଜକୁ କହିଛନ୍ତି ବାଟ। ହଜାରିବାଗ ଜେଲରେ ଥିବା ବେଳେ ସେ ଲେଖିଥିଲେ ଏ ପଦ୍ୟ ତେଣୁ ଏ ପଦ୍ୟରେ ବିରହ ଯନ୍ତ୍ରଣା ମଧ୍ୟ ବେଶ୍ ଅଛି।
୨.ଖ -ଈଶ୍ୱର ଯେବେ ଦୁଃଖ ଭୋଗନ୍ତି ( ଅସହାୟ ଈଶ୍ୱର)
ଅସହାୟ ଇଶ୍ଵର କବିତାଟି ଶବ୍ଦରେ ନୁହେଁ କ୍ଷୋଭ ଆଉ ଅଭିମାନରେ ତିଆରି ହେଇଛି। କବି ଶ୍ରୀଯୁକ୍ତ କୈଳାସ ରାୟ ଏ କବିତାଟି ଆଧୁନିକ ଶୈଳୀରେ ଲେଖିଛନ୍ତି ଯେଉଁଠି ସେ ଈଶ୍ୱରଙ୍କୁ ପ୍ରଶ୍ନ କରିବାର ସାମର୍ଥ୍ୟ ରଖିଛନ୍ତି। ସେ କହୁଛନ୍ତି ଏଥି ଈଶ୍ୱର ନିଜେ ବି ଅସହାୟ, ତାଙ୍କ ସହ ତାଙ୍କ ଜ୍ଞାତି କୁଟୁମ୍ବ ବି ଜନ୍ମାଇ ପାରିନାହାନ୍ତି ଭରସା କିମ୍ୱା ପଶି ପାରିନାହାନ୍ତି ଚେତନା ଭିତରକୁ। ସେ କହିଛନ୍ତି ପ୍ରତିଦିନ ଦିଅଁ ପୂଜୁଥିବା ମନ୍ଦିର ଗଢ଼ୁଥିବା ମଣିଷଟି ମୋ ଭିତରେ ବି ଅଛି କେଉଁଠି ଗୋଟେ ହେଲେ ମୁଁ ତାକୁ ପାଏନି ଖୋଜିଲେ ବି । ଈଶ୍ୱରଙ୍କୁ ସେ ଦେଉଛନ୍ତି ତାଙ୍କ ତମାମ ଜୀବନ ଆଉ ଈଶ୍ୱର ଯେ ତାଙ୍କ ଭିତରେ ହିଁ ଦୁଃଖ ଭୋଗୁଛନ୍ତି ଏ କଥାକୁ ସେ ଇଙ୍ଗିତ କରିଛନ୍ତି। ସେ ପୁଣି କହୁଛନ୍ତି ଈଶ୍ୱର ମୋ ଭିତରେ,ମୋ ସହ ଥାଇ ବି ମୋତେ ଆଶାର କିରଣଟିଏ ଦେଖାଇ ପାରନ୍ତି ନାହିଁ। ଏ କବିତାରେ ସେ ଈଶ୍ବରଙ୍କ ଅସ୍ତିତ୍ୱକୁ ନିଜ ଭିତରେ ପାଇଛନ୍ତି ଆଉ ନିଜେ ଇଶ୍ଵର ହୋଇ ଅସହାୟ ହୋଇ ପଡିଛନ୍ତି।
ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ