ସୋପାନ- କ
ଶୀର୍ଷକ-*”ବାସ୍ତବତାର ବଳଦେବ”*
ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କାବ୍ୟ ରଚନା ସହିତ ଗୀତିକବିତା ରଚନାର ପରମ୍ପରା ସୃଷ୍ଟି ହୋଇଥିଲା।ଓଡ଼ିଆ ସାହିତ୍ୟର ରିତିଯୁଗୀୟ ପ୍ରସିଦ୍ଧ କବି ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। ସେ ୧୭୮୯ ମସିହାରେ ଗଂଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।ସେ ଏକାଧାରରେ ଜଣେ ପ୍ରସିଦ୍ଧ ସଙ୍ଗୀତକାର ଏବଂ ଉଚ୍ଚକୋଟୀର କବିଥିଲେ। ତାଙ୍କଦ୍ୱାରା ରଚିତ ଅନେକ ଜଣାଣ, କ୍ଷୁଦ୍ରଗୀତି,କାବ୍ୟ, ଚମ୍ପୁ,ଗଦ୍ୟ ରଚନା ଆଜି ମଧ୍ୟ ଜନ ସମାଜରେ ଅତ୍ୟନ୍ତ ଲୋକପ୍ରିୟ।”କାହାକୁ କହିବା”,ସର୍ପ ଜଣାଣ”,”ଚନ୍ଦ୍ର କଳା”,”ଜଗତେ କେଵଳ”,”ହାସ୍ୟ କଲ୍ଲୋଳ” ଆଦି ତାଙ୍କର କାଳଜୟୀ ରଚନା। ଜଳନ୍ତର ରାଜାଙ୍କ ଦ୍ୱାରା ସେ “କବିସୂର୍ଯ୍ୟ” ଉପାଧି ରେ ଭୂଷିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁରୀ ଗଜପତି ମୁକୁନ୍ଦଦେବ ତାଙ୍କୁ ‘କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର’ ଉପାଧି ପ୍ରଦାନ କରିଥିଲେ।ସେ ୫୬ ବର୍ଷ ବୟସରେ ୧୮୪୫ ମସିହାରେ ପ୍ରାଣତ୍ୟାଗ କରିଥିଲେ।
କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କାବ୍ୟ “ଜଗତେ କେବଳ” ପ୍ରଗାଢ଼ ସମାଜିକ ବାର୍ତ୍ତା ବହନ କରେ।ଏଥିରେ କବି ସତ୍ୟକୁ ମିଥ୍ୟା ଆଭରଣରେ ଲୁଚାଇ ଏକ ସମାଜ ଶୋଭିତ ମୁଖା ପିନ୍ଧି ନିଜକୁ ଅନ୍ୟ ଆଗରେ ପ୍ରଦର୍ଶନ କଲେ କେବଳ ଲୋକହସା ହେବା ସାର ହୋଇଥାଏ ବୋଲି କବିତା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି।
ଯଦି ନିଜ କାନ୍ଧକୁ ଟେକି ,ପର୍ବତ ଗୁମ୍ଫାରେ ଏକ ଶ୍ବାନ ଶତ ପ୍ରଚେଷ୍ଟା କରି ,ଭ୍ରୁ କୁଞ୍ଚିତ କରି ,ଗର୍ଜନ କରି କରି ମରିଯାଏ ତେବେ କଣ ତାକୁ ସିଂହ ବୋଲି ଗ୍ରହଣ କରାଯିବ।ସିଂହ ର ଶାରୀରିକ ଗଠନ, ସ୍ୱର, ଚାହାଣୀ, ଠାଣି ଶ୍ବାନ ଠାରୁ ବହୁ ପ୍ରକାରେ ଭିନ୍ନ। କିନ୍ତୁ ଶ୍ବାନ ଯଦି ସିଂହ ହେବାକୁ ପ୍ରୟାସ କରେ ତେବେ ଲୋକହସା ହେବା ହିଁ ଥୟ।ଏ କଥା କୁ ପ୍ରକାଶ କରିବାକୁ କବି ବ୍ୟବହାର କରିଥିବା ଶିଖରି -ଦରି, ଜଟିଳ-କୁଟିଳ ଆଦି ଶବ୍ଦ ର ପ୍ରୟୋଗ ବେଶ ଶ୍ରୁତି ମଧୁର।ଗରଜି ,ସରମା ଆଦି ଦେଶଜ ଶବ୍ଦ ର ବ୍ୟବହାର ବେଶ ଉଚ୍ଚକୋଟୀର।
କୋକିଳ ତା’ର ସୁମଧୁର କଣ୍ଠସ୍ୱର ପାଇଁ ବେଶ ଜଣା ।କିନ୍ତୁ କାଉ ଯଦି ସ୍ଵଚକ୍ଷୁରେ ଅଳତା ଲଗାଇ ଆମ୍ବ ଗଛର ଶାଖାରେ ଖେଳି କୋଇଲିର ମଧୁର ସ୍ୱର କୁ ଅନୁକରଣ କରି ଗୀତ ଗାଏ ତେବେ କଣ ତା’ର କର୍କଶ ସ୍ୱର କୋକିଳର ପଞ୍ଚମ ସ୍ୱର ସହ ତୁଳନୀୟ? ତେଣୁ କାକ ଯଦି ବୃଥା ପ୍ରଚେଷ୍ଟା କରି କୋକିଳ ହେବାକୁ ଚାହେଁ ତେବେ ଜଗତରେ ନିହାତି ଲଜ୍ଜିତ ହେବ। ଏହି ପଦ୍ୟରେ କବିଙ୍କର ରସାଳ ,ଗହଳ ,କବଳ,ଅଲକତ ଆଜି ସରଳ ଓ ରମଣୀୟ ଶବ୍ଦ ବ୍ୟବହାର କରିବାର ଶୈଳୀ କବିତା କୁ ସୁନ୍ଦର ଗଠନ ଦେଇପାରିଛି।
ଘୁଷୁରୀ ର ଜନ୍ମଗତ ପ୍ରବୃତ୍ତି ହେଉଛି ଅମେଧ୍ୟ ସେବନ କରିବା।କିନ୍ତୁ ଯଦି ଏକ ଘୁଷୁରୀ ବର୍ଷେ କାଳ ବିଷ୍ଟାବର୍ଜନ କରି ପବିତ୍ର ଗୋରସ ପାନକରେ ଏବଂ ତତ୍ ସହିତ ଗଙ୍ଗା ନଦୀର ପଙ୍କକୁ ନିଜ ଶରୀରରେ ଲେପନ କରେ ତେବେ କଣ ସେ ଧେନୁର ପବିତ୍ରତା ସହ ସମକକ୍ଷ ହୋଇପାରିବ।ଏହି ପଦ୍ୟ କୁ ଯଥାର୍ଥତା ଦେବା ପାଇଁ କବି “ବର ଜୀବ ରସେ -ବରଜି ବରଷେ” ସମ ଉଚ୍ଚାରଣ ଭିନ୍ନ ଅର୍ଥବୋଧକ ଶବ୍ଦ କୁ ନେଇ ଯମକ ଅଳଙ୍କାର ର ପ୍ରୟୋଗ କରିବା ବେଶ ଚମତ୍କାର।।
ଶାରୀରିକ ଗଠନ ଅନୁସାରେ ରାଜହଂସୀ ଓ ବଗୁଲି ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ।ଯଦି ବକୀ ନିଜ ଚଂଚୁରେ ଓ ପାଦରେ ହିଙ୍ଗୁଳ ବୋଳି ହୋଇ ନିଜ ମୁଖରେ ପଦ୍ମନାଡ଼ କାମୁଡି ଧରି ରାଜହଂସୀ ପରି ଚାଲେ ତେବେ କଣ ବକୀକୁ ରାଜହଂସୀ କୁହାଯାଇପାରେ? ନିଜର ପ୍ରାକୃତିକ ଗଠନ ଓ ଅବସ୍ଥାକୁ ଗ୍ରହଣ ନକରି ଯଦି ଜଣେ ଅନ୍ୟପରି ହେବାକୁ ଚେଷ୍ଟା କରେ ତେବେ ସେ ସମାଜରେ ଉପହାସର ପାତ୍ର ହୋଇଥାଏ।ଏହି ପଦ୍ୟରେ କବି ତୁଣ୍ଡେ, ମଣ୍ଡି, ଖଣ୍ଡ, ଆଦି ସମ ଶେଷ ଆକ୍ଷରିକ ଶବ୍ଦ ଓ ହିଙ୍ଗୁଳ -ମୃଣାଳ ଆଦି ଶ୍ରୁତି ମଧୁର ଉଚ୍ଚକୋଟୀର ଶବ୍ଦର ପ୍ରୟୋଗ ଦ୍ୱାରା ପଦ୍ୟ ଟିକୁ ଅତି ମନୋରମ କରି ଗଢି ତୋଳିଛନ୍ତି।
ବାସ୍ତବରେ କବିସୂର୍ଯ୍ୟ ବଦଳେବ ଙ୍କ ରଚିତ “ଜଗତେ କେବଳ” କାବ୍ୟଟି ଏକ ବିଶାଳ ସାମାଜିକ ବାର୍ତ୍ତା ବହନ କରିଛି। ଏଥିରେ ଅନ୍ୟପରି ହେବାକୁ ଯାଇ ଲୋକହସା ହେବାକୁ ଦୃଢ଼ ନିନ୍ଦା କରାଯିବା ସହିତ ଆତ୍ମପ୍ରେମକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।ନିଜକୁ ଭଲପାଇଲେ ହିଁ ଜଣେ ସାରା ବିଶ୍ୱକୁ ଭଲ ପାଇପାରିବ।ଏହାହିଁ ଏହି କବିତାର ସାରମର୍ମ।
ମୁଁ ନବପ୍ରତିଭା – ତପସ୍ୱିନୀ ଷଢଙ୍ଗୀ
ଠିକଣା- ଆଏଣ୍ଡା , କଟକ
ସୋପାନ- ଖ
*ଶୀର୍ଷକ-“ବର୍ଣ୍ଣନାରେ ବର୍ଷା”*
ଶ୍ରୀ ପବିତ୍ର କୁମାର ହୋତା ଓଡ଼ିଆ ସାହିତ୍ୟ ଜଗତର ଜଣେ ଅମ୍ଳାନ ପ୍ରତିଭା।ବୃତ୍ତିରେ ଜଣେ ଅଧ୍ୟାପକ ହେଲେ ମଧ୍ୟ ସେ ନିଶାରେ ଜଣେ ସାହିତ୍ୟର ପୂଜକ।ତାଙ୍କ ରଚିତ ଅନେକ କବିତା ପାଠକ ମହଲରେ ଏବେବି ଉଚ୍ଚ ପ୍ରଶଂସିତ।
ଶ୍ରୀଯୁକ୍ତ ପବିତ୍ର କୁମାର ହୋତାଙ୍କ ରଚିତ କବିତା “ବରଷା କାଳ” ବର୍ଷା ସମୟରେ ସମଗ୍ର ପୃଥିବୀର ଅବସ୍ଥାକୁ ବର୍ଣ୍ଣନା କରିଥାଏ।ବର୍ଷାଋତୁର ସମ୍ପୂର୍ଣ୍ଣ ପାରିପାର୍ଶ୍ବିକ ଅବସ୍ଥାକୁ କବି ଖୁବ ଦକ୍ଷତାର ସହ ରାମକେରୀ ରାଗ ଦ୍ୱାରା ବର୍ଣ୍ଣନା କରିଛନ୍ତି।କବିତାଟି ସମ୍ପୂର୍ଣ୍ଣ ଭାବେ ନବାକ୍ଷରୀ ବା ଗୁଜ୍ଜରୀ ଛନ୍ଦ ଦ୍ୱାରା ଲିଖିତ।
ଗ୍ରୀଷ୍ମର ଶେଷ ପ୍ରହରକୁ ନିଜ ସଵାରୀ ସଜାଇ ଧରାପୃଷ୍ଠକୁ ଅବତରଣ କରେ ବରଷା ରାଣୀ। ଆଷାଢ଼ ଓ ଶ୍ରାବଣ ମାସକୁ ବରଷାର ମାସ କୁହାଯାଇଥାଏ। ଆଷାଢ ମାସର ପ୍ରାରମ୍ଭରେ ବରଷା ପୃଥିବୀ ପୃଷ୍ଠକୁ ଆସି ତା’ର ସମସ୍ତ ନିଦାଘ ଜନିତ କ୍ଲେଶ କୁ ଲାଘବ କରିଥାଏ।
ବର୍ଷାର ଆଗମନରେ ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣ ମଳିନ ପଡିଥାଏ ଓ ସମ୍ପୂର୍ଣ୍ଣ ଆକାଶରେ କଳା ମେଘ ଛାଇ ରହିଥାଏ।ସେହିପରି ଯେବେ ବରଷା ପାଣି ପୃଥିବୀ ଉପରେ ପଡେ ସେବେ ପୃଥିବୀ ଖୁସିରେ ଆତ୍ମହରା ହୋଇ ସତେଜ ହୋଇଯାଏ।ପହିଲି ବର୍ଷାର ଆଗମନରେ ପୃଥିବୀ ଶ୍ୟାମଳ ଦୁବ ଘାସରେ ଶୋଭିତ ହେବା ସହ ବୃକ୍ଷରାଜି ମଧ୍ୟ ନୂତନ ପତ୍ର ଦ୍ୱାରା ସୁନ୍ଦର ରୂପ ଧାରଣ କରନ୍ତି।ଝରଣା ନଦୀ ଆଦିରେ ଜଳ ଭରି ହୋଇଯାଏ।ବର୍ଷା ହବା ଖୁସିରେ ପାହାଡ଼ି କନ୍ୟା ଝରଣା କୁଳୁକୁଳୁ ହୋଇ ସମୁଦ୍ରରେ ମିଶିବାକୁ ଧାଇଁ ଆସନ୍ତି ଯେପରି ଭକ୍ତ ଗଣ ଈଶ୍ୱରଙ୍କ ଚରଣାମୃତ ପାଇବାକୁ ଧାଇଁ ଯାଆନ୍ତି।
କଦମ୍ବର ବିକାଶକୁ ଦୁଃଖୀ ଜନର ସୁଖ ପ୍ରାପ୍ତି ସହ ତୁଳନା କରିଛନ୍ତି। ସେହିପରି ତାରକା ଓ ଇନ୍ଦୁଙ୍କ ନଦିଶିବା କଇଁ ର ମନଦୁଃଖ କରିବାକୁ କବି ସୁନ୍ଦର ଢଙ୍ଗରେ ଉପସ୍ଥାପନ କରିବା ସହ ବିରହୀ ତରୁଣୀ ର ବେଦନା କୁ କଇଁ ସହ ସମାନ କରିଛନ୍ତି।
ବର୍ଷାରେ ପୃଥିବୀ ଜଳମଗ୍ନ ହେବା ସହ ଜଳଚର ଜୀବଙ୍କ ପାଇଁ ଆଣିଦେଇଥାଏ ଅପୂର୍ବ ଆନନ୍ଦ।ସେହି ଆନନ୍ଦ କୁ କବି ସତୀଙ୍କ ତପସ୍ୟା ବଳରେ ଶିବଙ୍କୁ ପାଇବାର ଆନନ୍ଦ ସହ ବର୍ଣ୍ଣନା କରିଛନ୍ତି।ମୟୂର ରାବ କଲେ ମୟୂରୀ ନିଜ ପୁଚ୍ଛକୁ ପ୍ରସାର କରି ନାଚେ, ବର୍ଷା ସହ ବଢିଯାଏ ମାଟିର ମାଦକତା ଓ ଉର୍ବରତା।ଭଳିକି ଭଳି ଫସଲରେ ପରିପୂର୍ଣ୍ଣ ହୁଏ ଧରା ,ସମସ୍ତଙ୍କ ଥାଳିରେ ଭରିଯାଏ ଦିବ୍ୟ ଭୋଜନ।
ଜଳଦ୍ୱାରା ସାପ ଗାତରେ ପାଣି ପଶିଯାଏ, ସେ ବିଷାଦ ରେ ଥିବା ସମୟରେ ବେଙ୍ଗ କିନ୍ତୁ ଖୁସିରେ ଆତ୍ମହରା ହୋଇ ରଡି ଛାଡେ।ବର୍ଷାକୁ ଦେଖି ଚଷାପୁଅ ହଳ କରି ଫସଲ ଫଳାଇବାକୁ ଖୁସିରେ ଗମନ କରିଥାଏ।ବର୍ଷା ବିଜୁଳିକୁ ତା’ର ସହଚର ବୋଲି ବର୍ଣ୍ଣନା କରିବା ସହିତ ତା’ର ଚମଡାକୁ ବର୍ଷାତି କୁହାଯାଇଛି।ଜଳ ପରିପୂର୍ଣା ତଟିନୀର ବନ୍ୟାର ଉପଦ୍ରବରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡାକୁ ଅତ୍ୟନ୍ତ ବାସ୍ତବ ଭାବରେ ବର୍ଣ୍ଣନା କରାଯାଇଛି।
ବର୍ଷାଋତୁରେ ପଡୁଥିବା ପର୍ବମାନଙ୍କ ମଧ୍ୟରୁ ରଥଯାତ୍ରା ଓ ଶ୍ରାବଣ ସୋମବାରର ମହିମା ଅନେକ।ଲକ୍ଷ ଲକ୍ଷ ଭକ୍ତ ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟାରେ ପୁରୀରେ ଏକତ୍ରୀତ ହେବାକୁ ଏବଂ ଶ୍ରାବଣରେ ମହେଶ୍ୱରଙ୍କୁ ଜଳଲାଗି କରିବାର ଦିବ୍ୟ ଅନୁଭୂତିକୁ କବି ସୁନ୍ଦର ଭାବେ ନିଜ ଲେଖନୀରେ ଫୁଟାଇ ପାରିଛନ୍ତି।
କବିତାର ପ୍ରତ୍ୟେକ ପଂକ୍ତି କୁ ବିଶ୍ଳେଷଣ କଲେ ଆମେ ଦେଖିବା ବର୍ଷାର ଆଗମନରୁ ଆରମ୍ଭ କରି ତା’ର ସମସ୍ତ ପରିସ୍ଥିତି ଓ ପରିବେଶକୁ ଅତ୍ୟନ୍ତ ଉନ୍ନତ ଶବ୍ଦ ପ୍ରୟୋଗ କରି ବର୍ଣ୍ଣନା କରାଯାଇଛି।ଚିରାଚରିତ ନବାକ୍ଷରୀ ଛନ୍ଦରେ ଲିଖିତ ହୋଇଥିବା କାରଣରୁ କବିତାଟି ମଧୁରତାରେ ଭରି ଯାଇଛି।ଆଷାଢ ଓ ଶ୍ରାବଣର ପ୍ରତ୍ୟେକ ଘଟଣାବଳୀକୁ ସୁନ୍ଦର ଶୈଳୀରେ ବର୍ଣ୍ଣନା କରାଯାଇଛି।ବାସ୍ତବରେ କବିତାଟି ବେଶ ଉଚ୍ଚକୋଟୀର ଭାବାବେଗ ଧାରଣ କରିବା ସହ ପାଠକ ହୃଦୟକୁ ଛୁଇଁବାର ଶକ୍ତି ବହନ କରିଛି।
ମୁଁ ନବ ପ୍ରତିଭା -ତପସ୍ୱିନୀ ଷଢଙ୍ଗୀ
ଠିକଣା-ଆଏଣ୍ଡା, କଟକ