ଶାନ୍ତ କୁରୁକ୍ଷେତ୍ର
ଅଶାନ୍ତ ଏକ ପ୍ରଳୟ
ଯେଉଁଠି ଅନ୍ୟାୟ, ଅନୀତି, ଅହଂକାର
ଗୋଟିଏ ଗୋଟିଏ କାରଣ ସାଜନ୍ତି ସମାପ୍ତିର
ଅନ୍ଧର ଅନ୍ଧ ବୁଝାମଣାରେ
ପୁତ୍ର ମୋହର ବିଲୁପ୍ତ ଜୀବନର
କେଉଁ ଏକ ପୂର୍ଣ୍ଣଛେଦ ଟାଣେ
ରକ୍ତର ଗାରରେ
ଏଇ କୁରୁକ୍ଷେତ୍ରରେ……. Il
କୁରୁକ୍ଷେତ୍ର
କେଉଁ ଏକ ଧର୍ମକ୍ଷେତ୍ର
ସତ୍ୟର ସଂକଳ୍ପ, ଧର୍ମ ଆଉ ନ୍ୟାୟର
ଯାହାର ପରିଣାମ ସ୍ୱରୂପରେ
ନାହିଁ ଏଠି ଦୁର୍ଯ୍ୟୋଧନ
ନାହିଁ ସାଥି ପ୍ରିୟଜନ ଅହଂକାରର…
ଭଲ ଆଉ ଭୁଲ ଏଠି
ଗୋଟି ଗୋଟି ପରିସ୍ଥିତିର ବ୍ୟାକରଣ
କେବେ ସ୍ୱରିତ କେବେ ବ୍ୟଞ୍ଜିତ
କେବେ ପୁଣି ଅସଜଡ଼ା ଅନୁଚ୍ଛେଦ ll
ତୁମେ କୁହ,
ନାହିଁ ନାହିଁର ଭୂମି ପରେ
କିଏ ଜନ୍ମ ନେଇ, କିଛି ଗୋଟେ ନେଇ
ଏଠୁ ଯାଏକି ….?
ଘଟରୁ ଆତ୍ମା ଗଲେ ଆଉ କେବେ ଫେରେକି ?
ଫେରି ଆସି ମୋ ସହ, ତାଙ୍କ ସହ ବସି
ହସି କାନ୍ଦି କିଛି କହେକି ?
ଯଦି ନୁହେଁ
କାହିଁକି,କାହିଁକି ତୁମର ଏତେ ପ୍ରଳାପ ?
ବିଳାପ ପୁଣି ନିଜତ୍ୱ ସାମ୍ରାଜ୍ୟ ବିସ୍ତାରରେ
ମୁଁ ପରେ ମୁଁ ର ଆଧିପତ୍ୟରେ
କ୍ଷୀଣ ହୁଅ, ନରମି ଯାଅ
ଦେଖ ତୁମ ଚାରି ପାଖର ଦୁନିଆକୁ
ଯେଉଁଠି ଶୂନ୍ୟ ହସ୍ତର ଚିତ୍ର
ମଶାଣିର ମାଟିରେ
ଏଇ ଅର୍ଚ୍ଚନା ଆଉ ସର୍ଜନାର ପୃଥିବୀରେ… Il
ନବ କୁମାର ଦାସ
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର