ଖାଣ୍ଟି ଓଡିଆ
ବିଶ୍ୱେଶ୍ୱର ମାଝୀ
ମୁରବି ମୋହର ଜଗନ୍ନାଥ ସ୍ୱୟଂ ଅତୀତ ଅତି ସମୃଦ୍ଧ
କପିଳେନ୍ଦ୍ର ଦେବ ଜଜାତି କେଶରୀ ଐର ଖାରବେଳ ସିଦ୍ଧ।
ତନ୍ତିପା ହାଡିପା ଲୁଇପା କାହ୍ନୁପା ଆଦିକବି ଅତିବଡୀ
ମଧୁ ବାରିଷ୍ଟର ଗୋପବନ୍ଧୁ ଦାସ ବୀଜୁ ବୀର ପୂର୍ବଶୂରୀ।
ପରିଧାନ ମୋର ଧୋତି ପାଇକଛା ମୁଣ୍ଡରେ ଥାଏ ପଗଡି
ପାନ ବଟା ହାତେ ଧରି ଚାଲୁଥାଏ ରଜରେ ଖେଳେ ବାଗୁଡି।
ପୋଡପିଠା ଖାଏ ଦୋଳି ପେଙ୍ଗାମାରି ମାଟିର ପରବ ପାଳେ
ରଜସ୍ବଳା ମାଆ ସ୍ନାହାନ କରାଇ ବାହାରେ ମୁଁ ଅନୁକୁଳେ।
ଆଷାଢ ଶୁକଳ ଦୁତିଆ ତିଥିରେ ରଥରେ ବସାଇ ଜଗା
ସୁଭଦ୍ରା ଭଉଣୀ ଭାଇ ବଳଦେବ ଟାଣେ ମୁଁ ରଥର ପଘା।।
ମାଉସୀ ଘରକୁ ଭିଡିନିଏ ରଥ ଦଶମୀ ବାହୁଡା ଫେରେ
ବଡ ଏକାଦଶୀ ରଥରେ ପାଳନ ନୀଳାଦ୍ରି ବିଜୟ କରେ।
ଆଶ୍ୱିନ ଶୁକଳ ପ୍ରତିପଦା ଠାରୁ ମାଆ ନିରାଜନା ପାଇଁ
କମ୍ପିଉଠେ ପୁର ସହର ବଜାର ଦୁର୍ଗା ଆବିର୍ଭାବ ହୋଇ।
କାର୍ତ୍ତିକ ମାସରେ ପ୍ରତରୁ ସ୍ନାହାନ ପଞ୍ଚକ ପବିତ୍ର ଅତି
ପୂର୍ଣ୍ଣିମାରେ ଡଙ୍ଗା ଭସା ନୌବାଣିଜ୍ୟ ମନେ ଭାସେ ପୂର୍ବ ସ୍ମୃତି।
ଭଉଣୀ ମୋହର ହାତେ ରାକ୍ଷୀ ବାନ୍ଧେ ସୁରକ୍ଷା ଦାୟିତ୍ବ ନିଏ
ପ୍ରଥମାଷ୍ଟମୀରେ ପୋଢୁଆଁ ପରବ ଏଣ୍ଡୁରି ମହକି ଯାଏ।
ମାର୍ଗଶିର ମାସ ଗୁରୁବାର ଦିନ ଝୋଟିଚିତା ବାଡିଘର
ପିଠାପଣା ଅତି ଯତନରେ ଗଢି ଲକ୍ଷ୍ମୀ ଆବାହନ କର ।
ମକର ସଂକ୍ରାନ୍ତି ପାଳେ ମୁଁ ଯତନେ ସୂର୍ଯ୍ୟଙ୍କର ବକ୍ରଗତି
ବସନ୍ତ ଉତ୍ସବ ଦୋଳ ପରବରେ ରାଇଦାମୋଦର ମତି।
ମହାବିଷୁବରେ ନବବର୍ଷ ମୋର ନୂତନ ପଞ୍ଜିକା ଚଳେ
ଛତୁଆ ପଣାରେ ମନ ଭରିଯାଏ ଠେକି ବସା ଚଉଁରାରେ।
ମୋ ଓଡିଶୀ ନୃତ୍ଯ ବିଶ୍ୱେ ପରିଚିତ ସମ୍ବଲପୁରୀ ଓ ଛଉ
ବାନ୍ଧ କଳା ମୋର ବିଶ୍ବକୁ ବାନ୍ଧିଛି ପିନ୍ଧେ ଓଡିଆଣୀ ବୋହୁ।
ପଖାଳ କଂସା ମୋ ବିଶ୍ବରେ ବିରଳ ରସଗୋଲା ମିଠା ପିଠା
ରଙ୍ଗରେ ଢଙ୍ଗରେ ଖାଣ୍ଟି ଓଡିଆ ମୁଁ ବସାଏ ସଞ୍ଜ ବଇଠା।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର ।