ସାଧୁବାବା
ମଦନପୁର ଗ୍ରାମର କୁମ୍ଭାର ସାହିରେ ଏକ ଗରିବ ଦମ୍ପତ୍ତି ବାସ କରୁଥିଲେ। ଗୋପାଳ ଓ ଚମ୍ପା। ମଣିଷ ହିସାବରେ ଦୁହେଁ ବହୁତ ଭଲ ଆଉ ଦୟାଳୁ ସ୍ୱଭାବର ଲୋକ। ମାଟି ହାଣ୍ଡି ବିକ୍ରି କରି ଯାହା ପଇସା ହୁଏ ସେଇଥିରେ ଦୁହେଁ ଚାଳିଯାଉଥିଲେ। ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଥିଲା। ଅଭାବ ତ ଅନେକ ଥିଲା ହେଲେ ତା ଠାରୁ ମଧ୍ୟ ବଡ଼ ଦୁଃଖ ଥିଲା ଦୁହିଁଙ୍କର। ବିବାହର ପାଞ୍ଚ ବର୍ଷ ପରେ ମଧ୍ୟ ସନ୍ତାନର ସୁଖପ୍ରାପ୍ତି ହୋଇ ନ ଥିଲା। ଗାଁର ଲୋକେ ବାଞ୍ଝ ଅଲକ୍ଷ୍ମୀ କହି ଦୁହିଁଙ୍କୁ ଏକ ଘରିଆ କରି ଦେଇଥିଲେ। ଏତେ ସବୁ ଅଭାବ ଆଉ ଅସୁବିଧାରେ ରହି ମଧ୍ୟ ଦୁହେଁ ଆଶା ହରେଇ ନ ଥିଲେ।
କଥାରେ ଅଛି “ରଖେ ହରି ତ ମାରେ କିଏ!” ଚମ୍ପା ବହୁତ ଠାକୁର ବିଶ୍ୱାସୀ। ସେ ବିଶ୍ୱାସ କରୁଥିଲା ଯେ ‘ଯଦି ଭଗବାନ ନ ଥାନ୍ତେ ତ ଆଜି ଏତେ ଅଭାବ ଓ ଅସୁବିଧା ଥିଲେ ମଧ୍ୟ ସ୍ୱାମୀ ସ୍ତ୍ରୀ ବଂଚି ନ ଥାନ୍ତେ।
ଦିନେ ଚମ୍ପା ପାଖ ଗାଁକୁ ହାଣ୍ଡି ବିକ୍ରି କରିବାକୁ ଯାଇଥାଏ। ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଉତ୍ତାପ ସହି ନ ପାରି ସେ ଜଣଙ୍କ ପିଣ୍ଡାରେ ବସି ପଡ଼ିଲା ଆଉ ପାଣି ଟିକିଏ ପିଇବାକୁ ମାଗିଲା। ଘରୁ ଜଣେ ବୁଢ଼ୀମା ଆସି ପାଣି ମୁନ୍ଦାଏ ପିଇବାକୁ ଦେଲେ। ଚମ୍ପା ପାଣି ପିଇ ସାରିଲା ପରେ ବୁଢ଼ୀମା ତାକୁ ଭଲମନ୍ଦ ପଚାରିଲେ। ‘ଏ ମାଆ, ତୋ ଘର କେଉଁ ଗାଁରେ? ଆଉ ଘରେ ସବୁ କିଏ କିଏ ଅଛନ୍ତି ତୋର?” ଉତ୍ତରରେ ଚମ୍ପା କହିଲା- ବୁଢ଼ୀମା, ମୁଁ ପାଖ ଗାଁ କୁମ୍ଭାର ସାହି ରୁ ଆସିଛି,,, ଘରେ ବୋଇଲେ ମୁଁ ଆଉ ମୋର ସ୍ୱାମୀ!! ସଙ୍ଗେ ସଙ୍ଗେ ବୁଢ଼ୀମା ଜଣଙ୍କ ପଚାରିଲେ ଆଉ ଛୁଆପିଲା?
ବିବାହର ପାଞ୍ଚ ବର୍ଷ ହେଇଗଲାଣି, କେତେ ଓଷା ବ୍ରତ ପୂଜା କରିସାରିଲିଣି ହେଲେ ଛୁଆପିଲା ହେଉ ନାହାନ୍ତି।
ବୁଢ଼ୀମା ମନ ଦୁଃଖ କରି କହିଲେ- ଶୁଣ ମାଆ, ଏଇଠୁ ଦୁଇଟା ଗାଁ ଛାଡି କିଛି ଦୂର ରେ ଜଣେ ସାଧୁବାବା ଅଛନ୍ତି। ତୁ ତାଙ୍କ ପାଖକୁ ଯା, କିଛି ନା କିଛି ଫଳ ନିଶ୍ଚିତ ପ୍ରାପ୍ତି ହେବ।
ଏଥି ମଧ୍ୟରେ ସାତ ବର୍ଷ ବିତି ଯାଇଥାଏ। ସେଇ ସାଧୁବାବା ଙ୍କ କୃପାରୁ ଚମ୍ପା ର ଛଅ ବର୍ଷର ଝିଅଟିଏ ମଧ୍ୟ ହୋଇ ସାରିଥାଏ। ପୂର୍ବ ଅପେକ୍ଷା ଗୋପାଳ ଓ ଚମ୍ପା ର ଭଲ ରୋଜଗାର ବି ହେଉଥିଲା। ସମସ୍ତେ ଖୁସିରେ ରହୁଥାନ୍ତି।
ଦିନକର କଥା ଚମ୍ପା ର ଝିଅ ରେବ ଏକୁଟିଆ ପାଖ ଗାଁକୁ ହାଣ୍ଡି ବିକ୍ରି କରିବାକୁ ଗଲାବେଳେ ରାସ୍ତାରେ ଜଣେ ସ୍ତ୍ରୀ ଲୋକକୁ କାନ୍ଦୁ ଥିବାର ଦେଖି ସେ ଅଟକି ଗଲା ଆଉ ତା ପାଖକୁ ଯାଇ ପଚାରିଲା- “ମାଉସୀ ତୁମେ କାନ୍ଦୁଛ କଣ ପାଇଁ?” କିଛି ଅସୁବିଧା ହେଇଛି କି! ସ୍ତ୍ରୀଲୋକ ଟି ଉତ୍ତରରେ କହିଲା- ନାଇଁ ଲୋ ମା କଣ ଆଉ ହେବ!! ପିଲାପିଲି କିଛି ନାହିଁ ବୋଲି ମୋତେ ଘରୁ ତଡି ଦେଇଛନ୍ତି…. ଏତିକି କହି ସେ ଭୋ-ଭୋ ହେଇ କାନ୍ଦିବାକୁ ଲାଗିଲେ।
ରେବ ମାଉସୀଙ୍କର ଲୁହ ପୋଛିଦେଇ କହିଲା-
*ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।*
ସେଇଠୁ ସ୍ତ୍ରୀଲୋକ ଜଣଙ୍କ କହିଲେ ମୋତେ ସେ ସାଧୁବାବା ମିଳିବେ କେଉଁଠି!! ରେବ କହିଲା- ମାଉସୀ ଏଇଠୁ ଦୁଇଟା ଗାଁ ଛାଡି କିଛି ଦୂର ଗଲେ ସେ ସାଧୁବାବା ଙ୍କ ସହ ଭେଟ ହୋଇ ପାରିବ।
ଏତିକି ଶୁଣି ସ୍ତ୍ରୀଲୋକ ଟି ପଳେଇଲା ଆଉ ରେବ ବି ଆଉ ସମୟ ନଷ୍ଟ ନ କରି ପାଖ ଗାଁକୁ ହାଣ୍ଡି ବିକ୍ରି କରିବାକୁ ଚାଲିଗଲା।
ସ୍ନେହଲତା ନନ୍ଦ(ଭଦ୍ରକ)