ପୂର୍ଣ୍ଣମୀରେ ଅମାବାସ୍ୟା
କୁଆଁରୀ ମନର ଢେର୍ ସ୍ବପ୍ନ ନେଇ ସିପ୍ରା ଆସିଥିଲା ସୁଜିତ ଘରକୁ।ଅଜଣା-ଅଦେଖା ପରିବାର ଟି ଖୁବ୍ ସ୍ନେହ ଆଉ ଆପଣାପଣରେ ନିଜର କରିନେଇଥିଲେ ତାକୁ।ସେ ବି ତାର ଶାନ୍ତ ଆଉ ଆମାୟିକ ବ୍ୟବହାରରେ ତୃପ୍ତ କରିଥିଲା ସଭିଙ୍କୁ। ସୁଜିତ ଥିଲେ ଆଜି କାଲିର ପୁଅଙ୍କଠୁ ବହୁ ଉର୍ଦ୍ଧ୍ବରେ। ନା ଥିଲା ତାଙ୍କର କୌଣସି ବଦ୍ ଅଭ୍ୟାସ,,,ନ ଥିଲା ବି ପ୍ରେମରେ କମି। ସଂସାରର ରଥ ତାର ବିନା ବ୍ରେକ ରେ ଚାଲୁଥିଲା ଗତି ଏବଂ ପରିବେଗକୁ ସମାନ୍ତରରେ ରଖି,,,,ତେଣୁ ସିପ୍ରା ନିଜକୁ ମନେ କରୁଥିଲା ସଂସାରର ସବୁଠାରୁ ଭାଗ୍ୟବତୀ।
ହେଲେ ଜୀବନ ଯାତ୍ରା ତ ଛାଇ ଆଲୁଅର ଖେଳ।ସେ ବା ଏଥିରୁ ବାଦ ଯିବ କେମିତି?ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ କୋଳ ଶୂନ୍ୟ ରହିବା ସ୍ଵାଭାବିକ ଥିଲା,ମାତ୍ର ଦୁଇ ଅଙ୍କଟି ଯେତେବେଳେ ତିନି, ଚାରି କୁ କ୍ରମୋନ୍ନତି କରିଚାଲିଲା ପରିସ୍ଥିତି ହୋଇଗଲା ଅସ୍ବାଭାବିକ।ଧୀରେ ଧୀରେ ହସ ତାର ଲୁହର ଉଷ୍ମତାରେ ବାଷ୍ପୀଭୂତ ହେଇଚାଲିଲା ଆଉ ସୁଖ ସବୁ ଦୁଃଖରେ ରୂପାନ୍ତରିତ ହେଇ ହୃଦୟକୁ ଜଳେଇ ଚାଲିଲେ।ଏଥର ଚାଲିଲା ବିଭିନ୍ନ ପରୀକ୍ଷା ନିରୀକ୍ଷା।ଓଃ କି କଷ୍ଟ!!!ନାନା ପ୍ରକାର ଯନ୍ତ୍ର ସବୁ ଶରୀରରେ ପଶି ଅଣନିଃଶ୍ୱାସୀ କରି ପକାଇଲେ ତାକୁ। କିନ୍ତୁ ପ୍ରତିଥର ସେ ଦୀର୍ଘଶ୍ଵାସଟିଏ ନେଇ ପ୍ରସ୍ତୁତ କରୁଥାଏ ନିଜକୁ ପୁଣି ଏକ ପରୀକ୍ଷା ପାଇଁ….ବାଞ୍ଝର ଲାଞ୍ଛନାରୁ ମୁକ୍ତି ପାଇବା ପାଇଁ,,,ମାତୃତ୍ୱର ସତ୍ତାକୁ ଉଦଜୀବିତ କରିବା ପାଇଁ।ମାତ୍ର ସବୁ ପରୀକ୍ଷାର ଉପସଂହାର; ତା ପାଖରେ ମା ହେବା ପାଇଁ କୌଣସି ଆଯୋଗ୍ୟତା ନାହିଁ। ଆଶ୍ଚର୍ଯ୍ୟ!!!ଏସବୁ ପରେ କିନ୍ତୁ କେହି ସୁଜିତଙ୍କର ଅଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ନାହିଁ ଏବଂ ସିପ୍ରାର ଯୋଗ୍ୟତା ପରିଣତ ହୋଇଗଲା ବିଜ୍ଞାନର ଅସଫଳତାରେ।
ୟା ପରେ ଆପଣା ଗଲା ଦୈବୀସତ୍ତାକୁ।ବିଭିନ୍ନ ପୂଜା ଅର୍ଚ୍ଚନାରେ ନିମଗ୍ନ କରାଗଲା ଦିନେ ପଦାର୍ଥ ବିଜ୍ଞାନ ସମ୍ମାନରେ ଟପ୍ପର ଥିବା ସିପ୍ରା ପଟ୍ଟନାୟକକୁ।କେତେବେଳେ ଦିଆଗଲା କଦଳୀ ଭିତରେ ଥିବା ଗୁପ୍ତ ଜିନିଷକୁ ଏକାଥରେ ଢ଼ୋକି ଖାଇବାକୁ ତ କେତେବେଳେ ସେ ଖୋଜି ଖାଇଲା ପାଣି ଭିତରେ ଅଣ୍ଡାଳି ଅଣ୍ଡାଳି ପାଇଥିବା ଜିନିଷକୁ ଆଖି ନ ଖୋଲି ଏବଂ ଆହୁରି ଅନେକ କିଛି।ପୂର୍ଣ୍ଣମୀର ତିନିଦିନ ଆଗରୁ ତାକୁ ନିଆଗଲା ଜଣେ ବାବାଙ୍କ ପାଖକୁ।ହଜାର ହଜାର ବନ୍ଧ୍ୟା ନାରୀ ସନ୍ତାନପ୍ରାପ୍ତି ର ଜ୍ୱଳନ୍ତ ଉଦାହରଣ ଥିଲେ ସିଏ।ହେଲେ ବାବାଙ୍କର ନିୟମ ତାଙ୍କ ଦ୍ଵାରକୁ ଜଣେ ହିଁ ମାତ୍ର ଯିବା ଅନୁମୋଦିତ,,,ଦ୍ଵିତୀୟ ବ୍ୟକ୍ତିର ପ୍ରବେଶ ଉପରେ ନିଷେଧାଦେଶ।ସିପ୍ରା ଗଲା ଉତ୍କଣ୍ଠା ଆଉ ଆଶାକୁ ହୃଦୟରେ ଭରି।ହେଲେ ୟେ କଣ!!!ଫେରିଲା ପରେ ତା ଆଖି ଲୁହରେ ଟଳମଳ।ସାମ୍ନାରେ ତାର ନିଜ ଲୋକଙ୍କର ଅନେକ ପ୍ରଶ୍ନ।ଆଜି ପର୍ଯ୍ୟନ୍ତ ସମସ୍ତଙ୍କର ସବୁ କଥାକୁ ବିନା ଦ୍ବିଧାରେ ସମ୍ମତି ପ୍ରଦାନ କରିଥିବା ସିପ୍ରା ନିଜର ମୌନତାରେ “ଆଉଥରେ ସେଠାକୁ ଯିବିନି”ର ଉତ୍ତର ଦେଇ ଚୁପ୍ ଚାପ୍ ବସିଗଲା ବାଲକୋନି ରେ ଯାଇ ଦୁଇ ଆଖିକୁ ମୁଦ୍ରିତ ଅବସ୍ଥାରେ ରଖି।
ହଠାତ୍ କାହାର ହାତର ସ୍ପର୍ଶ ପାଇ ଚେତନା ଜଗି ଉଠିଲା ତାର ଏବଂ ସାମ୍ନାରେ ସୁଜିତଙ୍କୁ ଦେଖି ଭୋ ଭୋ ହେଇ କାନ୍ଦି ଉଠିଲା ସେ। ସୁଜିତ ତାର ଶୁଖି ଯାଇଥିବା ସୁନ୍ଦର ମୁହଁକୁ ଦୁଇ ହାତରେ ତୋଳିଧରି ଚୁମ୍ବନଟିଏ ଅଙ୍କିଲେ ତା ମଥାରେ,,,ସ୍ଥିର ଅବସ୍ଥାରେ ଥିବା ଦୋଳିଟିରେ ତାକୁ ବସାଇ ଅଳ୍ପ ଝୁଲାଇଦେଲେ ଏବଂ କହିଲେ – “ଜାଣିଛ ସିପ୍ରା! *ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।* ମାଆ କରିଥିଲେ ନିଜର କର୍ତ୍ତବ୍ୟ ବହୁ କଷ୍ଟ ସହି।ଆଉ ବାବା କଣ ତୁମକୁ କହିଲେ ସେସବୁ ମୋର ଜାଣିବାର ବି ନାହିଁ।ଆମ ବଂଶକୁ ରକ୍ଷା କରିବା ପାଇଁ ସନ୍ତାନ ଟିଏ ନିହାତି ଆବଶ୍ୟକ ଆଉ ତାହା ହିଁ ଆମର ଦାୟିତ୍ବ।”
ଏତିକି କହି ସୁଜିତ ଚାଲିଗଲେ ଥରୁଟିଏ ବି ତା ମୁହଁକୁ ନ ଚାହିଁ।ହେଲେ ସିପ୍ରା କେମିତି ବୁଝାଇବା ତାଙ୍କୁ ଯେ ନାରୀଟିଏ ପାଇଁ ତା ଇଜ୍ଜତ ହିଁ ହେଉଛି ଶ୍ରେଷ୍ଠ ସମ୍ପତ୍ତି।ଆଉ ବାବାଙ୍କୁ ସନ୍ତାନ ଟିଏ ପ୍ରତିବଦଳରେ ତା ସହିତ ପୂର୍ଣ୍ଣମୀର ଗୋଟିଏ ରାତି ଲୋଡା।କିଛି ସମୟ ନୀରବ ହେଇ ବସିଲା ସିପ୍ରା,,,ଆଖିରୁ ଲୁହ ପୋଛିଲା ଏବଂ ସ୍ତ୍ରୀତ୍ଵର ଅଭିମାନ କୁ ବଂଶ ମର୍ଯ୍ୟାଦାରୂପୀ ମାଟିରେ ପୋତିଦେଇ ନିଜକୁ ପ୍ରସ୍ତୁତ କରୁଥିଲା ମାତୃତ୍ୱର ବୃକ୍ଷଟିଏ ସୃଷ୍ଟି କରିବା ପାଇଁ, ତା ସହ ଅପେକ୍ଷା କରୁଥିଲା ପୂର୍ଣ୍ଣମୀ ତିଥିକୁ,କର୍ତ୍ତବ୍ୟପାଳନ ଆଳରେ ନିଜର ସ୍ୱାଭିମାନ ଆଉ ଇଜ୍ଜତକୁ ଅମାବାସ୍ୟାର ଅମାଅନ୍ଧକାର କୁ ଠେଲିଦେବା ପାଇଁ।
ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା,
କଟକ, ବାଙ୍କୀ