ସବୁକିଛି ଭୁଲ ହୋଇଗଲା
ଜୀବନ ଗଣିତ କଷୁଥିଲି ନିତ୍ୟ
ସଦା ହୋଇ ତତପର
ଅଛିଣ୍ଡା ଗଣିତ ନୁହଇତ ସେତ
ନଆସେ ଉତ୍ତର ତା’ର।
ଚାରି ସୂତ୍ରଯାକ ପକାଉଛି ଦେଖ
ସମାଧାନ ନୁହେ ସେହି
ପ୍ରତିଦିନ ବସି ଚାଲୁଥାଏ କଷି
ସମାଧାନ ହୁଏ ନାହିଁ।
ସରଳ ସୂତ୍ରରେ ସମାଧାନ କରେ
ଆସିଲା ତା’ର ଉତ୍ତର
ଦତ୍ତ ଉତ୍ତରକୁ ମିଳାଏ ତାହାକୁ
ନମିଳେ ତା’ର ସଙ୍ଗର।
ମୂଳ ସୂତ୍ର ଭୁଲି ଆଗକୁ ବଢ଼ିଲି
ସବୁକିଛି ଭୁଲ୍ ହେଲା
ଓଲଟ ସୂତଟା ଭୁଲିଗଲି ସେଟା
ମୋ ଶ୍ରମ ବ୍ୟର୍ଥ ହୋଇଲା।
ଗୁରୁଙ୍କ ସମୀପେ ଯାଇ ସେହି ଧାପେ
ମୋ ସମସ୍ୟା ଜଣାଇଲି
ଓଲଟ ସୂତ୍ରଟା ବତାଇଲେ ସେଟା
ମନ ଧ୍ୟାନରେ ଶୁଣିଲି।
ତା ପରେ ଆସିଲି ପ୍ରୟୋଗକୁ କଲି
ଜମା ତାକୁ ନଭୁଲିଲି
ସଠିକ ଉତ୍ତର ଆସିଗଲା ତା’ର
ଦତ୍ତେ ମିଳାଇ ଦେଖିଲି।
ଉଭୟ ଉତ୍ତର ହେଲା ଏକାକାର
ମନରେ ଆନନ୍ଦ ହେଲି
ଜୀବନ ଗଣିତ ହେଲା ସମାପତ
ତହୁଁ ମୁଁ ବିଶ୍ରାମ ନେଲି।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ