🧒❤️ପୁଅ ଓ ବାପା❤️🧔
ମଦ୍ୟ ପାନ ମୁହିଁ କରେ ନାହିଁ ହେଲେ
ସେଦିନ କିଆଁ କହିଲି,
ଆଗକୁ ପଢ଼ନ୍ତୁ ଆଶା ରଖି ଅଛି
ସମସ୍ତେ ବୁଝିବେ ବୋଲି।
ଶହେ ଟଙ୍କା ଦିଅ ମାଗେ ବାପାଙ୍କୁ ମୁଁ
ବାପା ପିଇବି ମଦିରା,
କେମିତି ଲାଗୁଛି ଯେ ଚାଖି ଦେଖିବି
ସତେ ମଧୁର କି ଖାରା।
ବାପା କହନ୍ତି ଆରେ ବାତେରା ଟୋକା
କିଅବା ଡର ଛାଡ଼ିଲା,
କେତେ ବଡ଼ ହେଲୁ କିରେ ନିକମା ନାଁ
ମୁଣ୍ଡକୁ ହାତ ପାଇଲା।
ଏତିକି କହି ମୋତେ ବାପା ରାଗରେ
ଗୋଟେ ଚିପୁଡା ମାରିଲେ,
ଲାଜ ଲାଗୁନାହିଁ କ’ଣ ହେବ ତୋତେ
ବେସି ପାଠ ପଢେଇଲେ।
ହା ହା ହା ହୋଇ ହସି କହେ ବାପାଙ୍କୁ
ଭଲ କଥା କୁହ ଯେବେ,
ତୁମେ ବି କାହିଁକି ଏସବୁ ପିଉଛ
ସୁଧୁରି ଯାଉନ ଏବେ।
ତୁମେ ପିତା ପରା ଦେବତା ସମାନ
ମୋ ମାଆ ମଥା ସିନ୍ଦୂର,
ଜାଣି ଶୁଣି କିମ୍ପାଇଁ ନିଶାରେ ଦେହ
ନଷ୍ଟ କରୁଛ ତୁମର।
ଏହି କଥା ଶୁଣି ବାପା କହୁଛନ୍ତି
ଏହି କି କଥା କହିଲୁ,
ଆଜି ହିଁ ଛାଡ଼ିବି ନାଲି ପାଣି ନିଶା
ତୁ ମୋ ଆଖି ଖୋଲି ଦେଲୁ।
ଜାଣି ନଥିଲି ମୁଁ କେତେ ତୋର ପ୍ରେମ
ଏ ବାପା ମାଆର ପାଇଁ,
ସବୁ ଭୁଲିଯାଇ ରୋଜଗାର ଟଙ୍କା
ମୁଁ ମୁର୍ଖ ଦେଲି ଉଡେଇ।
କ୍ଷମା କରେ ଧନ ଏ ବାପାକୁ ତୋର
ଅବାଟେ ଆଉ ଯିବିନି,
ବୋତଲ କଥା ଛାଡେରେ ପୁଅ କେବେ
ଖଣ୍ଡେ ବିଡ଼ି ଧରବିନି।
ଛୋଟିଆ ନିଶାତ ଜଣା ପଡ଼େ ନାହିଁ
ଟଙ୍କା ଚାଲିଯାଏ ସତେ,
ବେଳ ଥାଇ ସର୍ବେ ନିଜକୁ ସୁଧାର
ମାତୁଆଲା ହୁଅ କେତେ ?
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା