“ଅମୁଲ ମୁଲ, ପ୍ରତିଭା ଫୁଲ “
***************************
ଅମୁଲ ମୁଲ, ପ୍ରତିଭା ଫୁଲ
ମହକ ତା’ର ଥିବ,
ଯେଉଁଠି ଥାଉ, ଯେପରି ରହୁ
ସୁବାସ ସେତ ଦେବ ll
କାର ଆଦର, ସରାଗ ସ୍ୱର
ପାଉ ନପାଉ ସିଏ,
ସୁରଭି ଦେଇ, ମନକୁ ମୋହି
ମନକୁ କିଣି ନିଏ ll
ବିଭୁ ଆଶୀଷ, ପାଇ ଉତ୍କର୍ଷ
ଗୁଣ ନହୁଏ ଉଣା,
କିଏ ସରାଗ, କିଏ ବିରାଗ
କିଏବା କରୁ ଘୃଣା ll
ମହକ ଯଦି, ରହିଛି ଖୁନ୍ଦି
ଚହଟି ଯିବ ଦିନେ,
ଆଜି ନହେଲ, ଆଗାମୀ ଦିନେ
କେହି ଖୋଜିବେ ମନେ ll
ହେଉ ଆକଟ, ଭାବୁ କେ ଛୋଟ
କରୁ ଆପଣା ପର,
ଦିନ ଆସିବ, ସବୁ ହଟିବ
ପ୍ରତିଭା ଥିବ ଚିର ll
ହେଉ ସେ ସାନ, ଦାନ ମହାନ
ବଣ ବୁଦାରେ ରହି,
ଥାଉ ପଲ୍ଲୀରେ, ଥାଉ ସହରେ
ସୁଗନ୍ଧ ଲୁଚେ ନାହିଁ ll
ଜଗତ ଚକ୍ଷୁ, ପଡ଼ିବ ଦିନେ
ଡେଇଁ ଦରିଆ, ନଈ,
ହୋଇବ ଚିହ୍ନl, ନକରି ମନା
ଖୋଜିବେ ତାକୁ ଧ୍ୟାୟୀ ll
ବାସ ଅତର, ଧରି ଶରୀର
କାଗଜ ପୁଲ ଯେତେ,
ଦିଏ ଚହଟ, ମନ ଆକୃଷ୍ଟ
କ୍ଷଣିକ ପାଇଁ ଯଶ ll
ଗରାଖ କିଏ, ମୁଲକ ଦିଏ
ସାଜି ଗ୍ରାହକ କେହି,
ବଣିକଟିଏ, ଫାଇଦା ପାଏ
ସୁବିଧାବାଦୀ ହୋଇ ll
ତାର ମହତ, ନୁହଁ ସ୍ୱାସିତ
ବିଜୁଳି ସରି, ସିଏ,
କଳା ମେଘରେ, ଝଲସି ଉଠେ
ନଭରେ ଲୁଚି ଯାଏ ll
ପ୍ରତିଭା କେବେ, ନମରେ ଭବେ
ପ୍ରତିଭାଧାରୀ ମରେ,
କାଳ ବକ୍ଷରେ ସ୍ୱର୍ଣ୍ଣ ଅକ୍ଷରେ
ନବ ଅଧ୍ୟାୟ ଭରେ ll
****************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206, ଯୋଗାଯୋଗ
6372127449