ନିଶା
ନିଶା ତ ନିଶା ଅନେକ ନିଶା
କିଛିଭଲ କିଛିମନ୍ଦ,
ଭଲନିଶା ପାଇଁ ସମାଜେ ମଙ୍ଗଳ
ମନ୍ଦ ସୃଷ୍ଟିକରେ ଦ୍ଵନ୍ଦ l
ପଢିବା ନିଶା ଜ୍ଞାନର ଆଶା
ଦେଖାଏ ନୂଆବାଟ,
ଖାଇବା ନିଶା କୁମାର୍ଗେ ନିଏ
ଫୁଲଏ ପରା ପେଟ l
ଦେଖିବା ନିଶା ଭଲ ଦେଖିଲେ
କିଛି ସମସ୍ୟା ନାହିଁ,
ମନ୍ଦ ଦେଖିଲେ ଜୀବନ ବ୍ୟର୍ଥ
ପ୍ରତି ମଣିଷ ପାଇଁ l
ପିଇବା ନିଶା ବୁଝାଏ ସିନା
ସୁରାକୁ ପରା ଭାଇ,
ସେହି ନିଶାରେ ଥାଏ ଜହର
କିଛିବି ଭଲ ନାହିଁ l
ନାରୀ ନିଶାରେ ପୁରୁଷ ଜାତି
ହୁଅଇ ହୀନିମାନ,
ସମାଜ ପାଖେ ଧରା ପଡିଲେ
ରହେନି ସନମାନ l
ତମାଖୁ ନିଶା ମୁଖ ଗହ୍ୱର
କରଇ ପୁଣି ସୃଷ୍ଟି,
ସମାଜ ସେବା ନିଶା ରହିଲେ
ହୁଅଇ ପୁଷ୍ପ ବୃଷ୍ଟି l
ଭଲ କାମରେ ନିଶା ରହିଲେ
ମଙ୍ଗଳ ମୟ ହୁଏ,
ଆମ ପୁରାଣ ଏହି କଥାଟି
ଆମକୁ କହି ଯାଏ l
ପଞ୍ଚ ଇନ୍ଦ୍ରିୟ ମହତ କର୍ମେ
ହୋଇଲେ ନିୟୋଜିତ,
ଜୀବନ ଶେଷେ କେବେବି ବନ୍ଧୁ
ପଡ଼େନି ପ୍ରାୟଶ୍ଚିତ l
ମଣିଷ ପାଖେ ରହିଛି ପରା
ସଞ୍ଜମ ଶକ୍ତି ତେଣୁ,
ବିଶ୍ୱ ପିତାଙ୍କ ଇଛା ପୂରଣ
କରିପାରେ ସେ ତେଣୁ l
ମଣିଷ ହୋଇ ପଶୁ କର୍ମରେ
ହୋଇବା ଯେବେ ବ୍ରତୀ
ଶୂନ୍ୟରେ ଥାଇ ପରମବ୍ରହ୍ମ
ହୋଇବେ ଦୁଃଖୀ ଅତି l
ଜୀବନେ ଯେବେ ବଞ୍ଚି ପାରିବୁ
ମତ୍ତ ଗରବ ବିନା ,
ବିବେକ ଛାଟେ ଚେତନା ଶକ୍ତି
ଆସିବ ତେବେ ସିନା l
ଅତି ଲୋଭକୁ ଆୟତ୍ତ କରି
ମୋହର ମାୟା କାଟି,
ଚାଲିବୁ ଯେବେ ବିଶ୍ୱ ପିତାଙ୍କୁ
ପାରିବୁ ସିନା ଭେଟି l
ସୁଜାତା ରାଉତ
ଓରାସାହି , ଚାନ୍ଦବାଲି , ଭଦ୍ରକ