ନୀଳଜହ୍ନ
ନୀଳ ନୀଳିମାକୁ ଜିଣି ଦୁଇ ଆଖି
ଖୋଜେ ମନ ଅନୁକ୍ଷଣ
ଘୂଞ୍ଚିଯାଉ ଦୂରେ ଉଆଁସ ଅନ୍ଧାର
ଦେଖାଦିଅ ନୀଳଜହ୍ନ ।
ହୃଦ ସହସ୍ରାରେ ନୀଳକନ୍ଦରରେ
ପୂର୍ଣ୍ଣଚନ୍ଦ୍ର ଉଦେହୁଅ
ବିକଶୁ କମଳ ଶାନ୍ତି ଶତଦଳ
ବିଶ୍ୱ ହେଉ ମଧୁମୟ ।
ବିମଳ ଜୋଛନା ହେଉ ପ୍ରତିଭାତ
ପ୍ରବହୁ ମଳୟାନିଳ
ବାସୁ ମହମହ ଶ୍ରୀଅଙ୍ଗ ଚନ୍ଦନ
ପ୍ରାଣ ହେଉ ସୁଶୀତଳ ।
ଦୁଃଖ ଅବସାଦ ଜୀବନ ଜଞ୍ଜାଳ
କଳାବାଦଲର ଫାଙ୍କେ
ଦିଶୁ ସମୁଜ୍ଜ୍ୱଳ ଶ୍ରୀମୁଖ ସୁନ୍ଦର
ସ୍ମିତହାସ୍ୟ ଥାଉ ଓଷ୍ଠେ ।
ଝରିପଡୁ ଶୁଭ ମଙ୍ଗଳ ଆଶିଷ
ପ୍ରତିଟି ମନ ଆକାଶେ
ହେ ଆନନ୍ଦମୟ କରୁଣା ନିଧାନ
ପାଦପଦ୍ମେ ଥାଉ ଆଶେ ।
ଶ୍ରୀ ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର ,ଯାଜପୁର