ମାତୃତ୍ଵ
ପୂରୁବ ଆକାଶ ରେ ସୂର୍ଯ୍ୟ ଉଇଁବାକୁ ଆଉ କେଇ ସମୟ ବାକି ଅଛି , ସବୁଦିନ ଭଳି ମନ୍ଦିର ର ବେଢ଼ା ଓଳାଇବାକୁ ଆସିଛି ମିନତୀ । ତତ୍ ସହିତ ଦିନଚର୍ଯ୍ୟା ସାରି ଭଗବାନଙ୍କ ଦର୍ଶନ ପାଇଁ ଆସିଛି ଉପର ସାହିର ଜଣେ ମହିଳା , ନାଁ ଟି ତାର ଅନୁ । ମିନତୀ ଏବଂ ଅନୁ ଦୁହେଁ ଦୁହିଁଙ୍କୁ ପ୍ରତିଦିନ ଭେଟନ୍ତି ସତ କିନ୍ତୁ ଦୁହିଙ୍କ ମଧ୍ୟ ରେ କୌଣସି କଥାବାର୍ତ୍ତା କି ପରିଚୟ ହୋଇନାହିଁ।
ଦିନେ ମିନତୀ ମନ୍ଦିର ବେଢ଼ା ଓଳେଇ ସାରି ଫୁଲ ଗୁନ୍ଥିବା ସମୟରେ ଅନୁ ଭୋ ଭୋ ହୋଇ ଭଗବାନ ଙ୍କ ନିକଟ ରେ କାନ୍ଦୁଅଛି । ଏହି ଭଳି ଦୃଶ୍ୟ ଦେଖି ମିନତୀ ଅନୁ କୁ କଣ ହେଇଛି ବୋଲି ପଚାରିବାରୁ କାନ୍ଦ ଅଧିକ ରୁ ଅଧିକ ତୀବ୍ର ହୋଇଗଲା ପଛେ ଥମିବାର ନାଁ ନେଉନଥିଲା । ବହୁତ ସମୟ ବୁଝା ବୁଝି ପରେ ଅନୁ ନିଜର ମୁହଁ ଖୋଲି ନିଜ ଜୀବନ ର ଶୂନ୍ୟତା ବିଷୟରେ ମିନତୀ ଆଗେ ବଖାଣିଥିଲା।
ଆଜକୁ ବାହାଘର ର ପ୍ରାୟ ୧୦ ବରଷ ହୋଇଗଲାଣି ସତ କିନ୍ତୁ କୋଳ ରେ ଗୋଟିଏ ସନ୍ତାନ ପ୍ରାପ୍ତ ହେଲା ନାହିଁ । ଯାହା ଫଳ ରେ ବାର ଲୋକ ବାର କଥା କୁହନ୍ତି । ଶାଶୁ ଘର ଲୋକ ଦେଖେଇ କରି ଟାହି ଟାପରା ମଧ୍ୟ କରୁଛନ୍ତି । ପ୍ରତିଦିନ ସ୍ବାମୀ ଅମାପ ଭଲ ପାଇବା ପାଦ ତଳେ ଓଜାଡି ଦିଅନ୍ତି ସତ କିନ୍ତୁ ଦାଣ୍ଡ ଲୋକଙ୍କ ଅପମାନ ରେ ଜୀବନ ଟା ତୁଚ୍ଛ ଲାଗୁଛି ବୋଲି ପରିପ୍ରକାଶ କରିଥିଲା । ଗୋଟିଏ ନାରୀ ନିଃସନ୍ତାନ ହୋଇ ମାତୃତ୍ଵ କୁ ହରେଇ ବସିଛି ଆଉ ଅନେକ ଓଷା ବ୍ରତ , ଉପବାସ କରୁଛି ବୋଲି ମଧ୍ୟ କହି ପୁଣି ଭୋ ଭୋ ହୋଇ କାନ୍ଦି ଉଠିଲା।
ଏହି ସମୟ ରେ ମିନତୀ , ଅନୁ ଆଖିର ଲୁହ ପୋଛି ଦେଇ କହିଥିଲା ଜମା ବି ବ୍ୟସ୍ତ ହୁଅନି ଭଉଣୀ *ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।*
ଏତିକି କଥା ସତେ ଯେମିତି ଅନୁ ମନରେ ନୂତନ ଆଶା ଜାଗରଣ କରିଥିଲା । ସଙ୍ଗେ ସଙ୍ଗେ ମିନତୀ ଠାରୁ ସାଧୁ ବାବାଙ୍କ ଠିକଣା ନେଇ ସନ୍ତାନ ପ୍ରାପ୍ତି ପାଇଁ ଦୌଡ଼ି ଯାଇଥିଲା କେତେ ବଣ ଜଙ୍ଗଲ ପାରି ହୋଇ ।
ଆଉ ଆଜି ସେହି ଅନୁ ମିନତୀ ର ଘରକୁ ଆସିଛି କୃତଜ୍ଞତା ଜଣାଇବା ପାଇଁ । ସେଦିନ ସିନା ଏକାକି ନିନ୍ଦା ଅପବାଦ ସହି କାନ୍ଦି ପକାଉଥିଲା କିନ୍ତୁ ଆଜି କୋଳ ଭରି ପୁତ୍ର ସନ୍ତାନ ସହ ବେଶ୍ ଆନନ୍ଦ ରେ ଅଛି । ତାହା ବର୍ଣ୍ଣନା କରିବା ପାଇଁ ଶବ୍ଦ ର ଅଭାବ ହେବ । କିନ୍ତୁ ଅନୁ ମୁଖ ମଣ୍ଡଳ ରେ ମାତୃତ୍ଵ ର ଖୁସି କୁ କେବଳ ଅନୁଭବ କରିପାରୁଥିଲା ମିନତୀ । ସତରେ ଜୀବନର ଶ୍ରେଷ୍ଠ ଆନନ୍ଦ ମାତୃତ୍ଵ ଲାଭରେ ଥାଏ ବୋଲି , ସନ୍ତାନ ପାଇଁ ମାଆ ହିଁ ସମସ୍ତ ତ୍ୟାଗ କରିଥାଏ ।
ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବଡ଼ମ୍ବା, କଟକ