ମୁଁ ତୋ ଷୋହଳ ଶୃଙ୍ଗାର
ଗଭାରେ ଗଜରା ସାଜିବି ତୋହରି
ମହକ ମୁଁ ଦେବି ଭରି,
ମଥାରେ ସିନ୍ଦୁର ସାଜିବି ତୋହରି
ଲାଗିବୁ ସଧବା ଗୋରି।
ତୋ ଗଳାରେ ମଙ୍ଗଳସୂତ୍ର ହେବି ମୁଁ
ହାତରେ ହେବି ଲୋ ଚୁଡ଼ି,
ପାଦରେ ପାଉଞ୍ଜି କାନରେ ଝୁମୁକା
ଦେହରେ ବନିବି ଶାଢ଼ୀ।
ନାକରେ ନୋଥ ମଥାରେ ମଥା ମଣି
ଅଣ୍ଟାରେ ହେବି କିଙ୍କିଣି,
ପାଟ ଶାଢ଼ୀ ସାଥେ ସଜେଇ ଦେବି ଲୋ
ମୁଣ୍ଡରେ ହୋଇ ଓଢ଼ଣୀ।
ପାଦରେ ଅଳତା ହାତରେ ମେହେନ୍ଦି
ଦେହେ ଭରିବି ଅତର,
ଓଠରେ ନାଲି ଲୋ ଆଖିରେ କଜଳ
ମୁଁ ତୋ ଷୋହଳ ଶୃଙ୍ଗାର।
ସ୍ବପ୍ନ ମୁଁ ସାଜିବି ଆଖିରେ ଲୋ ଗୋରି
ଓଠରେ ସାଜିବି ହସ,
ପ୍ରେମ ଭରା ସ୍ବପ୍ନ ନିତି ଦେଖାଇବି
ଚେହେରାରେ ଦେବି ଲାଜ।
ଦର୍ପଣ ଆଗରେ ଦେଖୁ ଥିବୁ ମୋତେ
ଦେହରେ ସଜେଇ ଦେଇ,
ଲାଜେଇ ଲାଜେଇ ହସିବୁ ଲୋ ଗୋରି
ଓଢ଼ଣା ଫାଙ୍କରୁ ଚାହିଁ।
ସଜେଇ ଦେବି ଲୋ ସଧବା ବେଶରେ
ତୋର ଏହି ଶରୀରକୁ,
ପ୍ରେମ ରାଇଜରୁ ପ୍ରେମ ସ୍ବପ୍ନ ଆଣି
ଭରି ଦେବି ହୃଦୟକୁ।
ସବୁ ଦିନ ଗୋରି ସଜେଇ ହବୁ ଲୋ
ମୋତେ ତୁ ଦେହରେ ନେଇ,
ସବୁ ଦିନ ପାଇଁ ରହି ଯିବି ସାଥେ
ଷୋହଳ ଶୃଙ୍ଗାର ହୋଇ।
ଜଗମୋହନ ପ୍ରଧାନ
ଯାଜପୁର