ମୃତ୍ୟୁ ମହାତୀର୍ଥ
ଜୀବନ ଯେଉଁଠି ପ୍ରତାରଣା କରେ
ମୃତ୍ୟୁ ସେଇଠି ପ୍ରେମିକା
ଶବ୍ଦହୀନ ସେଇ ଶାନ୍ତିର ଶଯ୍ୟାରେ
ଦେଖ କରିଛି ଅପେକ୍ଷା
ନାହିଁ ସେଠି ମରୀଚିକା
ଯନ୍ତ୍ରଣା ଯାତନା କୁଟିଳ କଳ୍ପନା
ସବୁର ସେ ଯବନିକା….
ଜୀବନ ଯେଉଁଠି ଅନୁତପ୍ତ ଅଗ୍ନି
ମୃତ୍ୟୁ ସେଇଠି ସୁନ୍ଦର
ନିଃସ୍ଵାର୍ଥପର ସେ ନିର୍ବାଚିତ ନେତା
ନାହିଁ ପାଖ ନାହିଁ ଦୂର
ସର୍ବେ ତାର ଆପଣାର
ଦମ୍ଭ ଦରବାର ପ୍ରଶଂସା ପ୍ରାଚୀର
ସବୁର ସେ ଇସ୍ତାହାର….
ଜୀବନ ଯେଉଁଠି ଅସଜଡ଼ା ଫର୍ଦ୍ଦ
ମୃତ୍ୟୁ ସେଠି ସୂଚୀପତ୍ର
କଷ୍ଟ କଲମରେ ଗହନ ଗଣିତ
କଷେ ଦେଇ କେତେ ସୂତ୍ର
ଗୋଟିଏ ରଙ୍ଗରେ ମାତ୍ର
ଆଙ୍କି ଦେଇ ଯାଏ ଜୀବନ ଅଙ୍କରେ
ଅନେକ ଅଦେଖା ଚିତ୍ର….
ଜୀବନ ଯେଉଁଠି ହାହାକାରେ ଭରା
ମୃତ୍ୟୁ ସେଠି ହାସ୍ୟରୋଳ
ଜୀବନ ଯେଉଁଠି ବୈଧବ୍ୟ ଯନ୍ତ୍ରଣା
ମୃତ୍ୟୁ ଅହ୍ୟ ବାଜା ତାଳ
କର୍ମ ଅନୁସାରେ ଫଳ
ନିମ୍ବ ଅବା ଆମ୍ବ କେବେ ସେ ଡାଳିମ୍ବ
କେବେ ଅବା ନାରିକେଳ….
ଜୀବନ ଯେଉଁଠି ପରିହାସ ପାତ୍ର
ମୃତ୍ୟୁ ସେଇଠି ପ୍ରେରଣା
ମୋହିନୀ ମନ୍ତ୍ରରେ ଜୀବନ ଯନ୍ତ୍ରରୁ
ଫୁଙ୍କି ଉଡାଏ ଯନ୍ତ୍ରଣା
ନାହିଁ ତାହାର ପାଉଣା
ଜମିଦାର ବସି ଜମି ଚାଷ କରେ
ମୃତ୍ୟୁ କାଟଇ ଖଜଣା….
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ -8658574945
291 total views, 1 views today
i love this very appropriate post