ମୋର ଭୁଲ୍ କ’ଣ
********************
ନ ଅରୀ ନାରୀ
ପ୍ରିୟ ଯେ ସବୁରି,
ତଥାପି କାହିଁକି
ଏ ମଣିଷ ଜାତି
ସାଜୁଛି ମୋର ବଇରୀ ।
ମାତା ଗର୍ଭେ ହେବା
ଦିନଠୁ ସଞ୍ଚାର
ମନ ଦୁଃଖ ଯେ ସବୁରି,
ଶାଶୁଘର ତାର
ଶତୃ ପାଲଟିଲେ
ସ୍ଵାମୀ ଦିଏ ପର କରି ।
ପରିବାର ମଧ୍ୟେ
ପାତର ଅନ୍ତର
ଶିକ୍ଷା ନାହିଁ ଭାଗ୍ୟେ ମୋର ।
ସହି କେତେ କଷ୍ଟ
ଭାଗ୍ୟକୁ ଆଦରି
ସଭିଙ୍କୁ କରେ ନିଜର ।
ଶାଗୁଣା, ବିଲୁଆ
ପରି ଚାହିଁ ଥାନ୍ତି
ମାଂସ ଲୋଭୀ ଏ ମଣିଷ,
ଖିନ୍ ବିନ୍ କରି
ଶରୀରକୁ ମୋର
ପୋଡ଼ି କରଇ ପାଉଁଶ ।
ଶାଶୁଘର ନୁହେଁ
ରାକ୍ଷାସ ପୂରୀ ସେ
ଭୋଗେ ମୁଁ କେତେ ଯାତନା,
ଯୌତୁକ ଯୂଇରେ
ଶୋଇବାକୁ ହୁଏ ,
ପୁରିଲେ ତାଙ୍କ କାମନା ।
ଜନନୀ ଭଗିନୀ
ଜାୟା ଓ କାମାନୀ
ରୂପେ କରେ ମୋ କର୍ତ୍ତବ୍ୟ,
ତଥାପି କାହିଁକି
ସମ୍ମାନ ପାଏନି
ସଭିଏଁ ହେଲେ ନିର୍ଦ୍ଦୟ ।
ପାଠ,ନାଚ ଠାରୁ
ଗୀତ ଓ ବିଜ୍ଞାନ
ଆକାଶକୁ ଗଲିଣି ଉଡ଼ି,
ସବୁ କ୍ଷେତ୍ରରେ ମୁଁ
ରହିଛି ଆଗରେ
ଧର କିଆଁ ପଛେ ଭିଡି ।
ଝିଅ ଟିଏ ହୋଇ
ଜନମ ହୋଇବା
ମୋର କିବା ଭୁଲ୍ ଥିଲା,
ସୃଷ୍ଟି ,ସ୍ଥିତି ସବୁ
ମୋ ପାଇଁ ସମ୍ଭବ
ହୋଇପାରେ ଧ୍ୱଂସ ଲୀଳା ।
ମମତା ବାରିକ୍
ଭଦ୍ରକ