ମକର ସଂକ୍ରାନ୍ତି
ଓଡ଼ିଶା ସଂସ୍କୃତି ଓଡ଼ିଆ ସଂସ୍କାର
ଜଗନ୍ନାଥ ଧାମ ସ୍ମର
ବାର ମାସେ ପଡେ ତେର ପରବର
ଜଗନ୍ନାଥ ସଂସ୍କୃତିର ।
ମକର ସଂକ୍ରାନ୍ତି ମକର ଚାଉଳ
ଭୋଗ ଲାଗେ ଶିରୀ କ୍ଷେତ୍ରେ
ଦ୍ବାଦଶ ଯାତରା ମଧ୍ୟେ ଅଟେ ଶ୍ରେଷ୍ଠ
ମକର ସଂକ୍ରାନ୍ତି ମତେ ।
ଦକ୍ଷିଣେ ପୋଙ୍ଗଲ ଉତ୍ତରରେ ଟୁସୁ
ନାନା ନାମେ ଏ ପରବ
ଭୋଗୀ ବୋଲି ନାମ ମକର ସଂକ୍ରାନ୍ତି
ପାଳିଥାଆନ୍ତି ସରବ ।
ସୂର୍ଯ୍ୟ ଉପାସନା କରି ଅରଚନା
ମୁକତି ଲଭିବା ପାଇଁ
ଭାଇଚାରା ଭାବ ହୃଦେ ଅନୁଭବ
ନଦୀତୁଠେ ସ୍ନାନ କରି ।
ଗଙ୍ଗାସାଗରରେ ପକାଇଲେ ବୁଡ଼
ପୂଣ୍ୟ ହୁଏ ଏ ପରାଣ
ଧନ୍ୟ ଲଭି ସଦା ଭକତ ପ୍ରବରେ
ଏକତାର ମନ୍ତ୍ର ଗାନ ।
ବଡ଼ଦେଉଳରେ ପ୍ରଭୁ ଜଗନ୍ନାଥ
ମକର ଚୈରାଶୀ ବେଶ୍
ମକର ବେଢାରେ ଭକତ ଗଣଯେ
ହ୍ବନ୍ତି ଆନନ୍ଦ ଉଲ୍ଲାସ ।
ସୂରୁଜର ଗତି ଉତ୍ତରାୟଣରେ
ଦିନ ବଡ଼ ଛୋଟ ରାତି
ଧନୁ ରୁ ମକର ରାଶିରେ ପ୍ରବେଶି
ଦିବସ ବକର ଗତି ।
ମହାଭାରତ ରେ ଭୀଷ୍ମ ଶରସଜ୍ଜେ
ପ୍ରତୀକ୍ଷା କରି ମକର
ଇଚ୍ଛା ମୃତ୍ୟୁ ପାଇଁ ଶୁଭ ମନାସିଲେ
ମୁକତି ଲଭି ମୋକ୍ଷର ।
ମକର ରେ ଲାଗେ ବିରାଟ ପାନର
ନୀଳାଚଳନାଥ ପାଇଁଁ
ଲୀଳାମୟ ପ୍ରଭୁ ଭିଆଇଲେ ସବୁ
ମକର ମିଳନେ ଯାଇ ।
ମକର ସଂକ୍ରାନ୍ତି ମମତାର ପ୍ରୀତି
ପ୍ରଭୁ ପାଦେ ରହୁ ମତି
ଶୁଭ ମାନସିକ ହୃଦେ ଜାଗ ଉଠୁ
ବିଭୂ ପଦାମୃତ ନିତି।
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି,
ସୁବର୍ଣ୍ଣପୁର