ମୋ ଗାଆଁର ବିକାଶ ହୋଇଛି
ମୋ ଗାଆଁର ବିକାଶ ହୋଇଛି
ମାଟି ରାସ୍ତାନାହିଁ କଙ୍କ୍ରିଟରେ ସେହି
ଆବଡ଼ା ଖାବଡ଼ା ହୋଇଛି।।
ଭାଗତ ଘର ଯାଇଛି
କ୍ଳବ ଘରଟେ ହୋଇଛି ସେଇଠେ
ଯୁବକଙ୍କ ଆଡ୍ଡା ଜମୁଛି।।
ଚାଳଘର ସବୁ ହଜିଛି
ସବୁ କୋଠାଘର ଦିଶୁଛି ସୁନ୍ଦର
ଶାନ୍ତିଟା ତାହାର ହଜିଛି।।
ହଳ ଲଙ୍ଗଳ ତା ହଜିଛି
ଗାଆଁର ଦାଣ୍ଡରେ ଗାଡ଼ି ମଟରରେ
ପେଁ ପାଁ ଖାଲି ଶୁଭୁଛି।।
ଅପାଠୁଆ ହଟି ଯାଇଛି
ସବୁ ପାଠପଢ଼ି ରଖି ନିଶଦାଢ଼ି
ଇତର ଭାଷାରେ କହୁଛି।।
ଝିଅଟା ଅଲଗା ଦିଶୁଛି
ମୁଣ୍ଡେ ଚୁଟିନାହିଁ ଚିରାଫଟା ନାଇ
ଦାଣ୍ଡରେ ଦେଖ ସେ ବୁଲୁଛି।।
ଗୋଚର ପଡ଼ିଆ ହଜିଛି
ସେଠାରେ ନିର୍ମାଣ ପ୍ରମୋଦ ଉଦ୍ୟାନ
ସଞ୍ଜବେଳେ ଭିଡ଼ ଜମୁଛି।।
କବାଡ଼ି ଖେଳଟା ହଜିଛି
ପୁଚି ବୋହୁଚୋରୀ ନାହିଁତ ତାହାରି
କ୍ରିକେ ଖେଳଟା ଜମୁଛି।।
ବିଦେଶୀ ଦୋକାନ ଖୋଲିଛି
ପିଲାଠାରୁ ବୁଢ଼ା ହୋଇଥାନ୍ତି ଛିଡ଼ା
ଯୁବତୀ ଧାଡ଼ିରେ ରହୁଛି।।
ସତେକି ସହର ହୋଇଛି
ସଭ୍ୟତା ସଂସ୍କୃତି ନାହିଁ ନୀତିକାନ୍ତି
କୋଳାହଳ ଖାଲି ଶୁଭୁଛି।।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ