ମଣିଷ ଗଛ
ସୀମାଞ୍ଚଳ ପଣ୍ଡା
ସଂସାରରେ ଗଛ ସର୍ବ ଗୁଣ ସ୍ୱଚ୍ଛ
ବଞ୍ଚି ବଞ୍ଚାଉଛି ଜଗତ ସାରା,
ଦେଉଛି ଜୀବନ କରେ ସମର୍ପଣ
ଚାହେଁନା ସେ କେବେ ସୁଖ ସାହାରା ।
ପ୍ରକୃତିରେ ବଞ୍ଚେ ପ୍ରାଣୀ ପାଇଁ ସଞ୍ଚେ
ସେବାରେ ସରାଗ କେମିତି ଦେଖ,
କରିଛି ସେ ପଣ ରଖିବ ପରାଣ
ଜୀବ ଯାଉ ପଛେ ନ ଥାଏ ଦୁଃଖ ।
ଜାଣି ଜାଣି ନର କରେ ନାରଖାର
ଉଦ୍ଭିଦ ବିନାଶି ଉଜାଡ଼େ ଧରା,
ସଂସାରରେ ଗଛ ସର୍ବ ଗୁଣ ସ୍ୱଚ୍ଛ
ବଞ୍ଚି ବଞ୍ଚାଉଛି ଜଗତ ସାରା ।
ଗଛ ଲାଗି ବଞ୍ଚି ପଛରୁ ମାରୁଛି
ମଣିଷ ପଣକୁ ଦେଉଛି ଛାଡ଼ି,
ସାର ଜୀବ ହୋଇ ଅସାରେ ମାତଇ
ଅଦିନରେ ଝଡ଼ ଆସଇ ମାଡ଼ି ।
ସଂସାର ନିମନ୍ତେ ସୁରକ୍ଷା ଜଗତେ
ଦେଇଛି ବିଧାତା ମଣିଷ ହାତେ,
ଉଦ୍ଭିଦର ଶିକ୍ଷା ହେଉ ନର ଦୀକ୍ଷା
ସ୍ୱାର୍ଥ ଛାଡ଼ି ଲାଗୁ ପରମ ବ୍ରତେ ।
ଗଛକୁ ଲଗାଇ ଯତନେ ବଢ଼ାଇ
ବଞ୍ଚି ବଞ୍ଚାଇବ ଜୀବନ ସାରା,
ଦେଉଛି ଜୀବନ କରେ ସମର୍ପଣ
ଚାହେଁନା ସେ କେବେ ସୁଖ ସାହାରା ।
ସ୍ୱଚ୍ଛ ପଣେ ଲଢ଼ି ଯାଉ ଆଗେ ବଢ଼ି
ନର କର୍ତ୍ତବ୍ୟରେ ନ ଯାଉ ଡରି,
ଗଛ ପରି ତା’ର ସେବାରେ ସଂସାର
ବଞ୍ଚିବ ସଞ୍ଚିବ ଜଗତେ ଶିରୀ।
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ