ହେ..ମିତ୍ର!
ସୀମାଞ୍ଚଳ ପଣ୍ଡା
ହେ..ମିତ୍ର! ତୁମେ ଅନନ୍ତ ଗଗନେ
କର ଅବସ୍ଥାନ ସଂସାର ହିତେ,
ସକଳ ଶକ୍ତିର ତୁମେ ହିଁ ଆଧାର
ଜ୍ଞାନ ଗାରିମାର ମୂଳ ଜଗତେ !
ତୁମରି ପ୍ରକାଶ ଅଜ୍ଞାନତା ନାଶ
କରି ଆଲୋକିତ କରଇ ଧରା,
ସକଳ ଜୀବନ ରକ୍ଷଣ କାରଣ
ଦିଅ ସଂଜୀବନୀ ଜଗତେ ପରା ।
ତୁମ ବଳେ ମେଘ ପବନ ସଂଯୋଗ
ଉତ୍ତାପ ଆଲୋକ ଅନ୍ଧାର ଯେତେ,
ହେ..ମିତ୍ର! ତୁମେ ଅନନ୍ତ ଗଗନେ
କର ଅବସ୍ଥାନ ସଂସାର ହିତେ ।
ତୁମର ଏ ଦିନ ରାତି ଅବଦାନ
ଋତୁ ପରେ ଋତୁ ବଦଳେ ପରା,
ଉଦ୍ଭିଦ ମଣ୍ଡଳ ଧନ ରତ୍ନ ଠୁଳ
ଜୀବ ଜଡ଼ ଯେତେ ମରତେ ଭରା ।
ସଂସାରର ଡୋରୀ ତୁମ ହାତେ ଧରି
ଆକର୍ଷଣ ବଳେ ଚଳାଅ ଧରା,
ଲୋଡ଼ା ଜାଣି ଚିଜ ସକଳ ସରଜ
ବିପଦେ ଧରଣୀ ପାଏ ଆଶରା ।
ଯେତେ ବ୍ୟତିକ୍ରମ ମାନବ କୃତ୍ରିମ
ପଣେ ନିବାରଣ ତୁମ ସଙ୍ଗତେ,
ସକଳ ଶକ୍ତିର ତୁମେ ହିଁ ଆଧାର
ଜ୍ଞାନ ଗାରିମାର ମୂଳ ଜଗତେ।
ତୁମ ଶକ୍ତି ସୂର୍ଯ୍ୟ ସଂସାରର ଶୌର୍ଯ୍ୟ
ତୁମେ ସ୍ଥିତି ଗତି ଶକତି ଦାତା,
ଘେନ ମୋ ପ୍ରଣତି ଆହେ ଛାୟା ପତି
ଶରଣ ରଖ ହେ ବିଶ୍ୱ ବିଧାତା !
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ