ମା
…..
ସେ ଏକ ନୀରୁତା ସମର୍ପଣ—
ସ୍ନେହ ,ଭରସା ଆଉ ବିଶ୍ବାସର
ଆଭିଜାତ୍ୟରେ ସମୃଦ୍ଧ
ଜୀବନ୍ତ ମୂର୍ତ୍ତୀଟିଏ—–
ଲୋଡେ ନାହିଁ ପୂଜା ଅର୍ଚ୍ଚନା
ଅରାଏ ଭଲପାଇବାରେ
ଅଜାଡି ଦିଏ,ନିଗାଡି ଦିଏ ନିଜକୁ
ସମ୍ପର୍କର ବର୍ଣ୍ଣବୋଧରେ
ଆଦିରୁ ଅନ୍ତଯାଏ
ଯେଉଁ ଶବ୍ଦ ଗୁଞ୍ଜରିତ—
ସେ–ମା—-
ମିଠା ମିଠା ଯନ୍ତ୍ରଣାରେ
ସାତ ତାଳ ପଙ୍କତଳୁ
ଉତୁରିଥିବା ସମ୍ପର୍କର ଚେର—
ପରିବର୍ତ୍ତନର ଧାରାରେ
ଏକାକୀ ଅପରିବର୍ତ୍ତୀତ—-
ଚିପୁଡା ଶୈଶବଠୁ—
ଅବୋଧ ଅଝଟ ଇଚ୍ଛାର
ବାଲ୍ୟପଣ—–
ଅମାନିଆଁ ଉତ୍ତାଳ ଯୌବନ
ଅବା ଅବସାଦମୟ
ନୀରୁଠା ବାର୍ଦ୍ଧକ୍ୟରେ—-
ମମତାର ମିଠାପଣରେ–
ସବୁଜିମା ଭରା ସମ୍ମୋହନ
ସେ ମା–‘
ନୀଳଚକ୍ରର ନେତ ପରି
ଅଭୟ ଦାୟୀ ପଣତରେ
ବାନ୍ଧିରଖେ ସଂସାରକୁ–‘
ଚପଳ ଭାବ ପ୍ରବଣତା,
ଅଳୀ ଅଝଟ,ରାଗ ଋଷା,ଅଭିମାନ
ତାକୁ କରିପାରେନା ଆନମନା
ଅଳ୍ପରେ ତୃପ୍ତ—
କଅଁଳ ମନଟିଏ—
ମୁଠାଏ ଭଲପାଇବାର
ଭିଜୁଥାଏ ଅହର୍ନିଶୀ
ସେ ମା-”’
ପୁରନ୍ତା ସଂସାରରେ
କୋମଳତାର ଅଭାବ ପଣ
ନିବିଡତା ଭିତରେ ଶୂନ୍ୟତା—
ଗୁମୁରି ଗୁମୁରି ହଜିଯାଉଥିବା
ମାନ ଅଭିମାନ,
ତାତି, ତେଜ ନଥାଇ ,
ଭିତରେ କୁହୂଳୀ–
କଅଁଳ ଶୁଦ୍ଧ ସମୂଜ୍ଜ୍ବଳ ଦୀପ୍ତିରେ
ଦୀପ୍ତି ମୟୀ….
ସଂସାର ତରୀ ର ଆଲୋକ ବର୍ତ୍ତିକା
ପଥ ପ୍ରଦର୍ଶିକା —
ସେ ମା—
ଚିରାଚରିତ ଜୀବନ ସୁଅରେ
ପ୍ରାପ୍ତିର ଉପଲବ୍ଧି ସାଉଁଟୁ ସାଉଁଟୁ
ନିଜ ଅଜାଣତରେ
ବାନ୍ଧି ହୋଇଥାଏ
ଏକ ସରଳ ସୂତ୍ରରେ
ମମତାର ଆଞ୍ଜୁଳାରେ
ଭରା ଆଉ ବିଭୋର’-”
ଦାଢୀରୁ ଦାର୍ଢ୍ୟତା—
ଭାଗବତରୁ ଗୀତା
ସତ୍ୟରୁ କଳି ତ୍ରେତା–‘
ଅଭିମନ୍ତ୍ରିତ ତ୍ୟାଗପୂତ
ଏକ ଇସ୍ତାହାର—-
ସେ ମା—‘
ସ୍ନେହ ସୌହାର୍ଦ୍ଦ୍ୟରେ ପୂର୍ଣ୍ଣ
ପୂଣ୍ୟତୋୟା ଧାରା-
ବହି ଚାଲିଥାଏ,
ଦେଇ ଚାଲିଥାଏ—
ଅବିରତ ଅନବରତ—
ଶୋଷିଲା ସମ୍ପର୍କର ସମୁଦ୍ରକୂ—
ଶୋଷ ମରେନା—ସେ ଥକେନା
ଦବାରେ ନା କୁଣ୍ଠା ନା କାର୍ପଣ୍ୟ
ଦାତାପଣରେ ଶ୍ରେଷ୍ଠତମା —
ସେ ମା—-
ପ୍ରିତିକ୍ଷରା, ମଧୁ କ୍ଷରା
ମୁଗ୍ଧ ବିଭୋର ଏକାକ୍ଷରୀ
ଯା ନାଁ—-
ମିନତି ଦାଶ
ବାରିପଦା