। ବଦଳିଛି ଗାଆଁ ଚାଲି ଚଳନ ।
ବଦଳିନି ଆମ ଗାଆଁ ର ନାମ,
ବଦଳିଛି ଗାଆଁ ଚାଲି ଚଳନ,
ମାଟି ଦାଣ୍ଡ ଆଉ, ନାହିଁ କେଉଁ ଠାରେ
ସବୁ ରାସ୍ତା ଘାଟ ପକ୍କାରେ ପୁର୍ଣ୍ଣ ।1
ବଦଳିନି ଆମ ଗାଆଁ ର ନାମ ।
ସୂରୁଜ ଚନ୍ଦ୍ରମା ଉଇଁ ଆସନ୍ତି,
ମୋ ଗାଆଁ ଆକାଶେ ଦେଖା ଦିଅନ୍ତି,
ବଦଳିନି ତାଙ୍କ,ଉଦୟ ସମୟ
ଦିଶଇ ସେ ଶୋଭା କି ଅନୁପମ ।2
ବଦଳି ନି ଆମ ଗାଆଁ ର ନାମ ।
ଚାଳଘର ଦେଖ କାହାର ନାହିଁ,
ମାଳ ମାଳ କୋଠା ଗଢି ଉଠଇ,
କୂଅ ପୋଖରୀକୁ ,ଲୋକେ ଭୁଲିଗଲେ
ସରକାରୀ ପାଣି ମିଳେ ଉତ୍ତମ ।3
ବଦଳିନି ଆମ ଗାଆଁ ର ନାମ ।
ଲଣ୍ଠନ ଡିଵିରି ଜଳୁନି ଆଉ,
ଘରେ ଘରେ ବଢେ ବିଜୁଳି ଭାଉ,
ସୁଇଚି ଟିପିଲେ, ପାଣି ବାହାରୁଛି
ଥଣ୍ଡା ଚାହଁ ଅବା ଚାହଁ ଗରମ ।4
ବଦଳିନି ଆମ ଗାଆଁ ର ନାମ ।
ବିଦ୍ୟାଳୟ ଦେଖ ଗାଆଁରେ ଅଛି,
କଦଵା କୋଚିତ୍ କିଏ ଯାଉଛି,
ପିଲାଙ୍କୁ ଛାଡନ୍ତି, ଇଂରାଜୀ ଇସ୍କୁଲେ,
ଓଡିଆ ହେଉନି ଆଉ ହଜମ ।5
ବଦଳିନି ଆମ ଗାଆଁ ର ନାମ ।
କଉଡ଼ି ବା ପଶା ଖେଳୁ କେ ନାହିଁ,
ଟିଭି ପାଶେ ସର୍ବେ ବସନ୍ତି ଯାଇ,
ମୋବାଇଲି ଧରି,ଟିପା ଟିପି କରି,
ପାସୋରି ଦେଲେଣି ଚାଷ ର କାମ।6
ବଦଳିନି ଆମ ଗାଆଁ ର ନାମ ।
ଭାଗବତ ଟୁଙ୍ଗୀ ଉଭେଇ ଗଲା,
ଗୀତା କି ପୁରାଣ,ପଢା ନୋହିଲା
ନିଜ ନିଜ ମଧ୍ୟେ,ମାଡ ଗୋଳ ଲାଗେ
କାହା ପାଇଁ କିଏ ପାଲଟେ ଯମ ।7
ବଦଳିନି ଆମ ଗାଆଁ ର ନାମ ।
ଆଗେ ଥିଲା ଗ୍ରାମେ ସଭା ସମିତି,
ଏବେ ଆଉ ନାହିଁ ତା’ର କାଟତି,
ନିଜ ହାତେ ନିଜେ,ଚଉଦ ପାଆରେ
କାହିଁ ଦିଶେ ନାହିଁ ସେ ଭାତୃ ପ୍ରେମ।8
ବଦଳିନି ଆମ ଗାଆଁ ର ନାମ ।
ବଦଳିଛି ଗାଆଁ ଚାଲି ଚଳନ ।
ଅଶୋକ ପତି ଦହିଗାଁ, 42 mouza
। କଟକ।