# ବହୁଚିତ୍ରିତ ବଂଶୀର କରୁଣ ସ୍ୱର #
ସବୁ ତ ତୁମ ତୁଳୀ ରଙ୍ଗର
ଇଛାକୃତ ଛବିଅଙ୍କା ଅନୁଭବ
କିଏ ବା ଆଙ୍କି ପାରିବ ?
କେଉଁ ଶବ୍ଦରେ ଅବା ବ୍ୟଞ୍ଜିତ ହେବ?
ପ୍ରତିଟି ଛବି ତୁମ ସୃଷ୍ଟିର ଗୌରବ
ତୁମେ ତ ବିଶ୍ୱକର୍ମା ଏହି ବିଶ୍ୱମଞ୍ଚର
କାହାରି ସହ କାହାରି ନାହିଁ ମିଳନ
ଏକ ଏକ ଏକକ ଅନନ୍ୟ !!
କେବେ କେବେ ନିକଟରେ ପୁଣି
କେବେ କେବେ ଦୂରେ,ବହୁଦୂରେ
ଭିନ୍ନ ରଂଗ ରୂପର ତୁମେ ରମ୍ୟ ରୋମାଞ୍ଚକର ।
ଆଦ୍ୟ ଆଷାଢ଼ ଆକାଶ ଆଜି ବଉଦରେ ଆଚ୍ଛନ୍ନ
ନିସ୍ତେଜ ଦିଶେ ଏ କ୍ଷଣିକ ଜୀବନ
ରାତ୍ରିର କାଳବୈଶାଖୀରେ
ଖୋଜୁଥାଏ ଗହ ଗହ ନିଦ
ଆଶା-ଆଶଙ୍କାର ଏ ଜୀବନ
ମଣୁଥାଏ ଯୌବନକୁ ଅମୂଲ୍ୟ ସଂପଦ !
ଏ ଆକାଶ,ଏ ପାହାଡ଼ ,ଏ ସାଗର,ଏ ଧରା
ଏମାନେ ସବୁ ଜନ୍ମବେଳୁ ଫୁଙ୍ଗୁଳା
ଋତୁଚକ୍ରରେ ସଭିଏଁ ଏଠି କୁଳୁ କୁଳୁ ଝରଣା
ହାତରେ ବଂଶୀକୁ ସଜାଇ ବାଉଳାରେ…
ଫୁଙ୍କୁଥାନ୍ତି ଦୁଃଖ ଓ ଶୋକର କରୁଣ ମୂର୍ଚ୍ଛନା !
ଘୁଁ ଘୁଁ ଘର୍ଘର ନାଦରେ ପବନର ବେଗ
ବିଜୁଳିର ଚମକ ସହ ଘଡ଼ଘଡି ନାଦ
ଅଧା ଆଲୁଅ ଅଧା ଛାଇ ଭିତରେ ମାଡିଆସେ
କାଳବୈଶାଖୀ ରାତ୍ରିର କଳା ମଚ ମଚ କଳାପାହାଡ଼
ଗୋଟିଏ ମୁହୂର୍ତ୍ତକରେ ହୋଇଯାଏ ସବୁ ଛିନ୍ ଛତ୍ର !
ଛିଟିକି ପଡନ୍ତି ଅମୃତର ବେଳାସବୁ
ଗଛର ଗଣ୍ଡିପରି ପଡିଥାନ୍ତି ମଣିଷସବୁ
ସାଖୀ ରଖି ନିଷ୍ଠୁର ମଣିଷପଣିଆକୁ
ଶୁଷ୍କ ଚଟାଣ ଉପରେ ଶୋଇରହିଥାନ୍ତି
ମୁହଁ ପୋତି ତଳକୁ !
କାଳର ଅମପା ଆୟୂଷ ଆବେଷ୍ଟନୀରେ
ମାଟିକୁ ଥରାଉଥିବା ଭୀଷଣ ଯୁଦ୍ଧରେ
ମଣିଷ ଠାରୁ ପ୍ରକୃତି ହୋଇଯାଏ ପୃଥକ୍
ଧରାଶାୟୀ ହୁଏ ବିଶ୍ୱାସର ବୋଧିଦ୍ରୁମ
ମନେହୁଏ ତୁମେ କେବଳ ‘ସ୍ତମ୍ଭୀଭୂତ ଈଶ୍ୱର’
ସେହି ଶୂନ୍ୟ ନିବୁଜ କୋଠରୀ ଭିତରୁ
ଶୁଭୁଥାଏ ବହୁଚିତ୍ରିତ ବଂଶୀର କରୁଣ ସ୍ୱର !!
✴️✴️✴️
ଜାହ୍ନବୀ ଚୌଧୁରୀ