କେମିତି ଅଛ ମକର
ବାସିଲାଣି ଆମ୍ବ ଗଛରେ ବଉଳ
ହେଲାଣି ଶୀତ ବକର
ତୁମ କଥା ଭାରି ମନେ ପଡୁଅଛି
କେମିତି ଅଛ ମକର ।
ପ୍ରତି ବର୍ଷ ପରି ଏସନ ଗାଁରେ
ହେଉଛି ମଙ୍ଗଳା ଯଜ୍ଞ
ଗାଁପିଲାମାନେ ସଫା କରୁଛନ୍ତି
ଦେଉଳ ପଡିଆ ଦାଣ୍ଡ ।
ହୋଇଛି ସୁନ୍ଦର କେତେ ସାଜସଜ୍ଜା
ମନ୍ଦିରର ପରିସର
ଝଲସି ଉଠୁଛି ଆଲୋକ ରୋଷଣୀ
ସଜଫୁଲ ଗେଣ୍ଡୁମାଳ ।
ଆରମ୍ଭ ହୋଇଛି ତିନିଦିନ ବ୍ଯାପୀ
ବିଶ୍ଵଶାନ୍ତି ମହାଯଜ୍ଞ
ଶ୍ରୀରାଧା ଗୋବିନ୍ଦ ଜୟରାଧେ ଗୋବିନ୍ଦ
ସଙ୍କୀର୍ତ୍ତନ ଶୁଭାରମ୍ଭ ।
ହାଡ଼ଭଙ୍ଗା ଜାଡ ରାତିର ହେମାଳ
ଡରାଉନି କାଢି ଆଖି
ଉତ୍ସାହ ଆଗ୍ରହେ ଗାଁ ପିଲାମାନେ
ଯାଇଛନ୍ତି ପୂରା ମାତି ।
କରିଛନ୍ତି ବହୁ ଭବ୍ଯ ଆୟୋଜନ
ସଜାଇ ଅଛନ୍ତି ମଞ୍ଚ
ନାଟକ ଦୁଇଟି କରିବେ ମଞ୍ଚସ୍ଥ
ଧୂମଧାମ ହେବ ନାଚ ।
ତୁମେ ତ ମକର ରହିଲ ସହରେ
ଗାଁ ମାଟି ଗଲଣି ଭୂଲି
କାହିଁକି ଭାବିବ ଆମ କଥା ଆଉ
ମକରଟେ ଅଛି ବୋଲି ।
ରହିଅଛି ସାକ୍ଷୀ ଗାଁ ଆମ୍ବ ତୋଟା
ଭାରି ମନେ ପଡ ତୁମେ
ଏହି ଶୁଭ ଦିନେ ମକର ସମ୍ପର୍କେ
ବାନ୍ଧି ହୋଇଥିଲେ ଆମେ ।
ତୁମ ବିନା ପ୍ରିୟ ଗାଆଁ ମହୋତ୍ସବ
ଲାଗୁଅଛି ଫିକାଫିକା
ଈଶ୍ବର କରନ୍ତୁ ରହିଥା ଭଲରେ
ଜଣାଉଅଛି ଶୁଭେଚ୍ଛା ।
ଶ୍ରୀ ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର,
ଯାଜପୁର