ଈଶ୍ବରଙ୍କୁ ପ୍ରଶ୍ନ
ପ୍ରଦ୍ୟୁମ୍ନ କୁମାର ଚିହ୍ନରା
ପୁରୀ
ଆହେ ଜଗଦୀଶ କରୁଛି ମୁଁ ପ୍ରଶ୍ନ
ଅଧମ’କୁ ଟିକେ ଦିଅ ଉତ୍ତର
କିମ୍ପାଇ ରଚିଲ ଏ ଜୀବ ଜଗତ
ତା’ମଧ୍ୟରେ ପୁଣି ମାନବ ସାର…
ସବୁରି ମଧ୍ୟରେ ଅଛ ବୋଲି ତୁମେ
ମଣିଷ କାନରେ ଦେଇଛ କହି
ତୁମ କଥା ଶୁଣି ହସୁଅଛି ସିଏ
ନିଜକୁ ଭାବୁଛି ‘ବଡ ଗୋସାଇଁ’…
‘ମୃତ୍ୟୁ’ଅଟେ ଏକ ଚିରନ୍ତନ ସତ୍ୟ
ମଣିଷ କାହିଁକି ପାରୁନି ଜାଣି
ଅଢେ଼ଇ ଦିନକୁ ବଡେଇ ଦେଖାଇ
ସଭିଙ୍କ ଆଗରେ ମାରେ ଫୁଟାଣି….
‘ପାପ ପୂଣ୍ୟ’ ବୋଲି କାହାକୁ କହନ୍ତି
ଏ ପ୍ରଶ୍ନ’ର ଟିକେ ଦେବ ଉତ୍ତର
ଯାହାଦ୍ୱାରା ନର ଆସିଛି ସଂସାର
ତାଙ୍କୁ ଛାଡି କିଆଁ ପୂଜେ ପଥର….?
ମାନବ ଦେହରେ ‘ଦିବ୍ୟଜ୍ଞାନ’ ଦେଲ
ଭାଗବତ’ରେ ମୁଁ ପଢିଛି ଖାଲି
‘ଦିବ୍ୟଜ୍ଞାନ’ ବୋଲି କାହାକୁ କହନ୍ତି
ଅଧମ ସେକଥା ପାରୁନି ଜାଣି….
ସବୁଦିନ ଚାଲେ ହତ୍ୟା ରାହାଜାନୀ
ନାରୀ ବଳାତ୍କାର ପୁଣି ଲୁଣ୍ଠନ
ତୁମ ‘ଶ୍ରେଷ୍ଠ ଜୀବ’ ଦ୍ୱାରା ହୁଏ ସବୁ
ଏଇ କ’ଣ ତୁମ ସେ ‘ଦିବ୍ୟଜ୍ଞାନ’…?
କାହିଁକି କରିଛ ଜଣକୁ ଗରିବ
ଆଉଜଣେ କାଇଁ ହୋଇଛି ଧନୀ
ସତ୍ କର୍ମ କରି ଧନ ଯେ ଅରଜେ
କାହିଁକି ତାହାର ପେଟ ପୂରେନି…??
ଜଣକୁ କାହିଁକି କରିଛ ରାଜନ
ଆଉ ଜଣେ କାଇଁ ହୁଏ ଫକୀର
କିଏ ଖାଏ ପୁଣି କ୍ଷୀରି ସର ପୁରି
ଆଉ କେ ବୁଲଇ ବାର ଦୁଆର….
ସଭିଏଁ ତ ପ୍ରଭୁ ତୁମରି ସନ୍ତାନ
ଏମିତି କାହିଁକି ବାଛ ବିଚାର
ଏ ଅଧମ ଆଜି ଗୁହାରି କରୁଛି
ପାଇବାକୁ ତୁମ ଠାରୁ ଉତ୍ତର….
ସକଳ ସୃଷ୍ଟିର ତୁମେ ତ ଭିଆଣ
ତୁମ ବିନା ନାହିଁ ଗତି ମୁକତି
ସଭିଙ୍କ ହୃଦୟେ ରହିଅଛ ତୁମେ
ତଥାପି କାହିଁକି ମିଳୁନି ଶାନ୍ତି…??
କୁହ ହେ ଜଗତ ପତି….!!!!!??
ସତରେ କ’ଣ ଏ ପୂର୍ବଜନ୍ମ କୃତ
ଏ ଜନ୍ମେ ଆମକୁ ପ୍ରାପ୍ତି….
(କ’ଣ )ଏଥିରୁ ନାହିଁ ମୁକତି..?