ଇନ୍ଦ୍ରଧନୁ
ପ୍ରେମ ରଙ୍ଗେ ରଙ୍ଗାୟିତ ଲାବଣ୍ୟବତୀ ଜୀମୂତ
ଧରାକୁ କରି ପ୍ଲାବିତ ଓଢଣୀ ଢାଙ୍କେ
ବରଷଇ ପ୍ରେମ ଜଳ ସ୍ୱର୍ଣ୍ଣିମ ଆଭାରେ ଭୋଳ
ସୂରୁଜ ଥାଇ କଁଅଳ ପ୍ରଣୟ ମାଗେ
ସମ୍ମିଶ୍ରଣେ ଜନମ ଲଭେ
ବୃଷ୍ଟି ଦେବତାଙ୍କ ଧନୁ ନିର୍ମଳ ନଭେ ।୧।
ସପ୍ତରଙ୍ଗ ଯାର ତନୁ ଆକାରେ ପ୍ରାୟେକ ଧନୁ
ସୃଷ୍ଟି ଇନ୍ଦ୍ରଙ୍କର ଦାନୁ ଭାବନ୍ତି ଜନେ
ଅମ୍ବେ ଦେଖି ରଙ୍ଗସାତ ବିହଙ୍ଗମ ଆଚମ୍ବିତ
ବାଳୁତେ ଗାଆନ୍ତି ଗୀତ ଆନଦ ମନେ
ସୌନ୍ଦର୍ଯ୍ୟା ପ୍ରକୃତି ହସୁଛି
ଅବର୍ଣ୍ଣନୀୟ ଅନନ୍ତ ସୁଷମା ଭରିଛି ।୨।
ବାଇଗଣୀ ଘନନୀଳ ନୀଳ ସବୁଜର ମେଳ
ହଳଦୀ ସହିତେ ଲାଲ ନାରଙ୍ଗୀ ପୁଣି
ପଦାର୍ଥ ବିଜ୍ଞାନୀ ମତେ ଚଳନ୍ତି ସେ ଏକପଥେ
ସ୍ବଛ ଆଲୋକର ସାଥେ ଶୁଭ୍ରତା ଆଣି
ଝିପିଝିପି ବର୍ଷା ବିନ୍ଦୁରେ
ସ୍ବରୂପେ ପ୍ରତୀୟମାନ ନିଜ ରଙ୍ଗରେ ।୩।
ନାମ ତାର ଇନ୍ଦ୍ରଧନୁ ସତେ ଅବା ଚନ୍ଦ୍ରଭାନୁ
ପାଶୋରୀ ନ ହୁଏ ମନୁ ତାର ସୁଷମା
ସାଥେ ତାର ପ୍ରୀତି ବର୍ଷା ଗୋଳି ଚନ୍ଦନର ଲେଶା
ସନ୍ତୋଷର ପରିଭାଷା କିବା ଉପମା
କବିଙ୍କ ଲେଖନୀ ମୁନରେ
କବିତା ନାୟିକା ଇନ୍ଦ୍ରଧନୁ ନଭରେ ।୪।
ଅଳକା ରଥ