ହାରିଲି କେତେ ଜିତିଲି କେତେ
ଖେଳାଳି ହୋଇ ଖେଳୁଛି ରହି
ଖେଳାଉଥାଏ ଜଣେ
ସବୁ ଖେଳକୁ ଖେଳାଏ ତାକୁ
ନେଇ ବିଭିନ୍ନ ସ୍ଥାନେ।
ଖେଳ ପଡ଼ିଆ ଲାଗେ ବଢ଼ିଆ
ଖେଳଇ ତହିଁ ଯାଇ
କେବେ ପଡ଼ଇ କେବେ ଉଠଇ
ଆଗକୁ ଧାଉଁଥାଇ।
ଆଣ୍ଠୁ ଛିଡ଼ଇ ଗଣ୍ଠି ଛିଡ଼ଇ
ଥୋମଣି ଫାଟି ଯାଇ
ତଥାପି ମୋତେ ନଛାଡ଼େ ସତେ
ଖେଳାଉ ଥାଏ ରହି।
ହାରିଲି କେତେ ଜିତିଲି କେତେ
ହିସାବ ରଖି ନାହିଁ
ମୋର ହିସାବ ତାର ହିସାବ
ମେଳକ ହୁଏ ନାହିଁ।
ରେଫେରି ସେହି ନିର୍ଣ୍ଣୟ ନେଇ
ଫଳକୁ ଦେଉଥାଇ
ଖେଳିବା ଧର୍ମ ଅଟେ ମୋ କର୍ମ
ଭଲ ଖେଳିବା ପାଇଁ।
ଭଲ ଖେଳିବା ଚେଷ୍ଟା କରିବା
ଏତିକି ଜାଣେ ମୁହିଁ
ତା ନିର୍ଦ୍ଦେଶରେ ଏହି ସଂସାରେ
ଖେଳୁଛି ମୁହିଁ ରହି।
ନିମିତ୍ତ ହୋଇ ଖେଳୁଛି ମୁହିଁ
ଖେଳି ଖେଳାଏ ସେହି
ତା ଇଛା ବିନା ଖେଳ ଚାଲେନା
ନିରବେ ଥାଏ ରହି।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ