ଯୌତୁକ ବନ୍ଦିନୀ
ଯଉବନ ନପଶୁଣୁ ବୋଉ କରିଲୁ ତୁ ବିଭା,
ବିଭା ଆଗୁ ଛିଣ୍ଡାଇଲୁ ଦେବା ଆଉ ନେବା।୧।
ସଜାଡ଼ିଲୁ ଚ଼ାଉଳ ମୁଠିଏ ପୁଣି ଆଉ ଭାର,
ଭାର ସଙ୍ଗେ ପଲଙ୍କ, ଘଡ଼ି, ଜୋତା, ସାଇକେଲ।୨।
ଆଉ କିସ କିସ ଦେଲୁ ନଜାଣଇ ମୁହିଁ,
ହାତକୁ ବାହୁଟି କାନେ ଝୁମୁକା ଲଗାଇ।୩।
ପାଉଁଜି ଯେ ରୂପାର ପୁଣି ହାର ବନ୍ଧିଆଇ,
ଦେହେ ପାଟଲୁଗା ଦେଇ ଦେଲୁ ହୁଡ଼ିଆଇ।୪।
ଶାଶୁ ଶ୍ବଶୁରଙ୍କୁ ଯତ୍ନ କହିଲୁ ତୁ ନେବୁ,
ପତି ଯେ ପରମେଶ୍ବର ସଦା ନମୁଥିବୁ।୫।
ଚ଼ିଠି ଲେଖିବାର ଯୋଗ୍ଯ କରି ଦେଲୁ ପଠିଆଇ,
ଯାବତୀୟ ଘରକାମ ମୁହିଁ ପାରଙ୍ଗମ ହୋଇ।୬।
ଚ଼ିଠିରେ ଲେଖୁଛି ଆଜି ଦେବି ପଠିଆଇ,
ଆସିଥିଲା ନେଇ ବାର୍ତ୍ତା ଉଜ୍ଜ୍ବଳୀର ଭାଇ।୭।
ନିତି ସକାଳୁ ଉଠିଣ ମୁହିଁ କାମ କରି ମଲି,
କେଉଁ ପୁଣ୍ଯ ଫଳେ ମୁହିଁ ଗେରସ୍ତ ଲଭିଲି।୮।
ଶିଳରେ ମୁଁ ବାଟେ ଏଠି ଢ଼ିଙ୍କି କୁଟେ ଧାନ,
ରୋଷଶାଳେ ବିତିଲା ମୋ ବାକିଆ ଜୀବନ।୯।
ନଣନ୍ଦ ଯେ ସାହାଯ୍ଯ ନାମେ ମୁହଁ ମୋଡ଼ି ଦ୍ଯନ୍ତି,
ଶାଶୁ ଓ ଶ୍ବଶୁର ମୋତେ ନିର୍ଲଠୀ ବୋଲନ୍ତି।୧୦।
ସୁରୂଯ ଉଦୟ ନ ହେଉଣୁ କରି ଶଯ୍ଯା ତ୍ଯାଗ,
ମଧ୍ଯରାତ୍ର ଯାଏଁ ବୋଉ କରୁଅଛି କାର୍ଯ୍ଯ।୧୧।
ଦୁଇଗଣ୍ଡା ପଖାଳର ସାଥେ ବାରି ଲେମ୍ବୁ,
ରାତିର ପହରେ ଶୋଏ ଦ୍ବାରେ ଟାଣି ତମ୍ବୁ।୧୨।
ତୋଫା ମୁହଁ ମୋର ଆଜି ଚ଼ନ୍ଦ୍ରମା କଳଙ୍କେ,
ଦିଶେ ଜକଜକ ଲୋକେ ଚ଼ିଲାନ୍ତି ଆତଙ୍କେ।୧୩।
ଲୁହା ଛଡ଼ ତତାଇ ଦେଲେ ଦେହେ ଚ଼େଙ୍କ,
ପିଠିରେ ମୋ ଆଜି ସେ ଯେ କଷୁଛନ୍ତି ଅଙ୍କ।୧୪।
କୁହନ୍ତି ଗେରସ୍ତକୁ ଯା ତୋର ଭାରିଯାକୁ କହି,
ଯଉତୁକ ଆଣିବ ସେ ତା’ର ବୋପାଘରୁ ଯାଇ।୧୫।
ପ୍ରତି ଡ଼ାକେ ଲୁଚ଼ିଥାଏ ତାଙ୍କ ଡ଼ାକିନୀର ସ୍ବର,
ଅବଶ ଦେହରୁ ଉଠେ ଅଭିଶାପ ବଜ୍ର ଶର।୧୬।
ପରମେଶ୍ବର ମୋ ମତେ ନିତି ରାତିରେ ଚ଼ାହାନ୍ତି,
ମଧୁ ଶେଷେ ମକ୍ଷି ଫୁଲ ଛାଡ଼ି ଉଡ଼ିଯା’ନ୍ତି।୧୭।
ନିରାଶା ବିଷାଦ ହୃଦେ ଲେଖୁଅଛି ଚ଼ିଠି,
ଆଶା କରେ ଭଲେ ବୋଉ ଥିବୁ ତୁ ସେଇଠି।୧୮।
ମରୁଭୂମି ପ୍ରାୟେ ଏଠି ପ୍ରାଣ ବିନା ଜଳେ ମୋର,
ଶୁଷ୍କ ବୃକ୍ଷେ ଯେହ୍ନେ ଉଠେ କଣ୍ଟକ ମାତର।୧୯।
କୋମଳ ଜିହ୍ବା ଯେ ମୋର ପାଲଟଇ ଶକ୍ତ,
ଦେବକି ସେ ଅଭିଶାପ ବୁଡ଼ିବେ ତୁରିତ।୨୦।
ବାକିଆ ଜୀବନ ବାକିଖାତେ ଲେଖି ରଖି,
ସ୍ମୃତିକୁ ମୋ ଶେଷଥର ଦେଖିଲି ପରଖି।୨୧।
ହେଉ ଏହି ଚ଼ିଠି ମୋର ଅନ୍ତିମ ଅକ୍ଷର,
ତୋ’ରି ପାଇଁ ହେଲି ବୋଉ ଏ ଯାଏଁ ସାକ୍ଷର।୨୨।
କାଲି ସବିତା ସଙ୍ଗେ ଯିବି ସେ ପଶ୍ଚିମ ତୀର,
ଆର ଜନ୍ମେ ଜନମିବି କୋଳରେ ତୋହର।୨୩।
କରିବୁନି ଏହିପରି ମୋତେ ଅକାଳରେ ବିଭା,
ସୁଧା ମଧ୍ଯେ ଦେବୁନାହିଁ ବିଷଭରା ଦ୍ବିଧା।୨୪।
ଯୌତୁକ ରଜ୍ଜୁରେ ହେଲି ଏ ଜନ୍ମେ ବନ୍ଦିନୀ,
ଯୌତୁକ ନାମେ ନହେଉ ନାରୀ କଳଙ୍କିନୀ।୨୫।
ନାମ- ରୁଦ୍ର ନାରାୟଣ ଦାଶ
ଠିକଣା- ଭୁବନେଶ୍ବର, ଓଡ଼ିଶା, ଭାରତ।
ମୋ- ୯୮୬୧୭୦୧୭୧୪
Bahut sundar bhai
Khub sundar