**ଜଗନ୍ନାଥଙ୍କ ନବଯୌବନ ବେଶ**
।।ଜାନକୀ ମହାନ୍ତ।।
ଆଷାଢ଼ ମାସର ଅମାବାସ୍ୟା ଦିନ
ନବ ଯୌବନ ବେଶରେ,
ସୁସ୍ଥହୋଇ ପ୍ରଭୁ ଅଣସର ଘରୁ
ବାହାର ହୁଅ ଖୁସିରେ ।।
ମୋ’ କଞ୍ଜନୟନ କାଳିଆ ରତନ
ଅଣସର ଘରୁ ଆସ,
ଏତେ ଦିନ ଧରି ଅନ୍ଧାରେ ରହିଲ
ମନକୁ କରି ବିରସ ।।
ଯଶୋଦା ରତନ ଦେବକୀ ନନ୍ଦନ
ଭାବଗ୍ରାହୀ ଭଗବାନ,
ରାଧା ଘନଶ୍ୟାମ ମୀରାର ମୋହନ
କେମିତି ଅଛ ମୋ ଧନ?
କାଳୀୟଦଳନ ମୋର କଳାଜହ୍ନ
ତୁମ “ନବ ଯଉବନ”,
ସେହି ରୂପ ଦେଖି ଚକ୍ଷୁ ମୋର ଆଜି
ହେବ ପବିତ୍ର ଅକ୍ଷୁର୍ଣ୍ଣ ।।
ତୁମ “ଅଙ୍ଗରାଗ” ହୃଦୟେ ସରାଗ
ନେଇ ଦେଖି ଧନ୍ୟ ହେବି,
ମୁରୁକି ହସ ତୋ’ ଚନ୍ଦ୍ର ବଦନରେ
ଦେଖି ମୁଁ ଉଲ୍ଲାସ ହେବି ।।
ଦିଅ ହେ ସୌଭାଗ୍ୟ ଦେଖିବି ମୁଁ ତୁମ
“ନେତ୍ରୋନ୍ମୀଳନ” ର ନୀତି,
“ଖଡ଼ିଲାଗି” ଆଉ “କନକ ଲାଗି”ରେ
ଦିଶିବ ଉଜ୍ବଳ ଅତି ।।
କସ୍ତୁରୀ କର୍ପୁର ଚୁଆ ଚନ୍ଦନରେ
ମହ ମହ ତୁମ ବାସ୍ନା ,
ମନ୍ଦ ମନ୍ଦ ହୋଇ ବହେ ସମୀରଣ
ମନ ହୁଏ ଆନମନା ।।
ତୁଳସୀ ପତ୍ରରେ କଜ୍ୱଳକୁ ନାଇ
ହେ ପ୍ରଭୁ ଚକାନୟନ,
ଆଖି ଛଳ ଛଳ ଆହେ ଚକାଡୋଳା
ହେବ ପ୍ରଥମ ଦର୍ଶନ ।।
ଭୋଗ ଲାଗି ପରେ ଦର୍ଶନ ପାଇ ଯେ’
ହୋଇ ଯିବ ମନ ତୃପ୍ତି,
ତୁମ ପାଦ ଧୂଳି ମଥାରେ ମୁଁ ବୋଳି
ହେବ ମୋ’ ସୌଭାଗ୍ୟ ପ୍ରାପ୍ତି ।।
ତୁମ ମନଲୋଭା ବେଶକୁ ଦେଖି ମୋ’
ସାର୍ଥକ ହେବ ଜୀବନ,
ସମର୍ପିଲି ପ୍ରାଣ ତନୁ ମନ ଆତ୍ମା
ଶରଣରେ ମୁଁ ଅକିଞ୍ଚନ ।।
ବେଙ୍ଗାଲୁରୁ, କର୍ଣ୍ଣାଟକ
ଘର: ଲହୁଣୀପଡ଼ା, ସୁନ୍ଦରଗଡ଼ ଜିଲ୍ଲା।