🌼ଗଜଲ୍🌼
ଅନେକ ଦିନ ହେଲାଣି ନିଜକୁ ମୁଁ ଦେଖିନି
ଇଚ୍ଛା ହୁଏ ମୋତେ ତୁମ ଆଖି ଦେଖିବାକୁ ॥
ଆଇନା ବି ମିଛ କୁହେ ମୋତେ ଥରେ ଥରେ
ଇଚ୍ଛା ହୁଏ ମୋତେ ତୁମ କଥା ଶୁଣିବାକୁ ।।
ସବୁଥର ପରି ଗପଟି ସରିଲା ,ତଥାପି ମରିନି ଗଛ
ଇଚ୍ଛା ହୁଏ ମୋତେ ଥରେ ଆମ ଗପ ଲେଖିବାକୁ ।।
ମିଛଖୁସି ସତଦୁଃଖର ମୁହାଣେ ଜୀବନ କରିଛି ଠିଆ
ଇଚ୍ଛା ହୁଏ ମୋତେ ପୁଣି ନୂଆ ବାଟ ଚାଲିବାକୁ ॥
କହିଦେଲେ ସରିଯିବ, ମରିଯିବ ମନର ଦରଜ
ଇଚ୍ଛା ହୁଏ ମୋତେ କିଛି ବାକି ରଖିବାକୁ ॥
ଦିନର ଅନ୍ଧାର ଏଠି ରାତିଠୁ ଅଧିକ ଗାଢ
ଇଚ୍ଛା ହୁଏ ମୋତେ ମୋର ସତ୍ତା ଜାଳିବାକୁ ॥
“ରଶ୍ମି” ହସୁଛି ଦିନରେ ରାତିରେ ମଝି ଆକାଶରେ
ଇଚ୍ଛା ହୁଏ ମୋତେ ଥରେ ସତ କହିବାକୁ ॥
ରଶ୍ମିରେଖା ଦାସ,
କଟକ