ଚମତ୍କାରୀ ସାଧୁବାବା
ଭୈରବପୁର ଗାଁ। ପ୍ରାୟ ସତୁରୀ ଉପରେ ଘର ହେବ। ବଡ ଗାଆଁଟିଏ ହେଲେ ମଧ୍ଯ ଲୋକମାନେ ଭାରି ଶାନ୍ତିପ୍ରିୟ। ଗାଆଁର କୌଣସି ବି ଲୋକ କିଛି କଥା ନେଇ କୋର୍ଟ କଚେରୀ ଯାଇଥିବାର ନଜିର୍ ନାହିଁ। ଯଦି ବା କେବେ କେମିତି ଲୋକମାନଙ୍କ ମଧ୍ୟରେ ଛୋଟମୋଟ ଝଗଡ଼ା ବା ମନୋମାଳିନ୍ୟ ହୁଏ, ଗାଆଁର ମୁରବୀମାନେ ତାର ସମାଧାନ କରିଦିଅନ୍ତି।
ଏମିତି ଦିନ ଯାଉଥାଏ। ଦିନକର କଥା। ଗାଆଁକୁ ଆସିଲେ ଜଣେ ସାଧୁ ବାବା ଆଉ ତାଙ୍କରକେତେକ ଶିଷ୍ୟ।ଶିଷ୍ୟମାନଙ୍କଠାରୁ ଗାଆଁ ଲୋକେ ଜାଣିବାକୁ ପାଇଲେ ଯେ ସାଧୁ ଜଣକ ତପସ୍ୟା ବଳରେ ଏମିତି ସିଦ୍ଧି ଲାଭ କରିଛନ୍ତି ଯେ, ବହୁ ଅସାଧ୍ୟ ରୋଗକୁ ଅତି ସହଜରେ ଭଲ କରିଦେଉଛନ୍ତି। ସେମାନଙ୍କ କଥା ସତ କି ମିଛ ଜାଣିବାକୁ କିଛି ଲୋକ ଗାଆଁର ଜଣେ ମୂକ ଲୋକକୁ ନେଇ ସାଧୁ ବାବାଙ୍କ ପାଖକୁ ଗଲେ। ଆଶ୍ଚର୍ଯ୍ୟର କଥା ! ମୂକ ଜଣକ କଥା କହିବାକୁ ଲାଗିଲା।ଏହା କେମିତି ସମ୍ଭବ ହେଲା ପଚାରିବାରୁ ବାବା କହିଲେ, “ମୁଁ କିଛି କରିନି। ଯାହା ଭଗବାନଙ୍କ ଇଚ୍ଛା, ତାହା ହେଇଛି।”
ବାବାଙ୍କ ଉତ୍ତର ଗ୍ରାମବାସୀମାନଙ୍କୁ ପସନ୍ଦ ଆସିଲା। ସମସ୍ତେ ମିଶି ଗାଆଁ ମଥାରେ ସାଧୁ ଆଉ ତାଙ୍କ ଶିଷ୍ୟମାନଙ୍କ ପାଇଁ ଘରଟିଏ ତିଆରି କରିଦେଲେ। ପ୍ରତିଦିନ ସକାଳେ ସାଧୁ ରୋଗୀଙ୍କୁ ଦେଖନ୍ତି ଆଉ ସଞ୍ଜରେ ଲୋକମାନଙ୍କୁ ହରିକଥା ଶୁଣାନ୍ତି।
ଦିନେ ଜଣ ସ୍ତ୍ରୀ ଲୋକ ସାଧୁଙ୍କ ନିକଟକୁ ଆସିଲା। ତାର ପିଲାପିଲି ହେଉନଥିବାରୁ ମନଦୁଃଖ କରି ବାବାଙ୍କୁ ସବୁକଥା ଜଣାଇଲେ।ସାଧୁ ଜଣକ ସେ ସ୍ତ୍ରୀଲୋକକୁ କିଛି କ୍ଷଣ ଚାହିଁଲେ। ପୁଣି କହିଲେ, “ମାଆ !!! ଏହା ମୋ ସାଧ୍ୟ ବାହାରେ। କିଛି ଚମତ୍କାର ହିଁ ତୁମ ଅସୁବିଧା ଦୂର କରିପାରିବ। ମୋ ନିଜ କ୍ଷେତ୍ରରେ ମଧ୍ଯ ଏମିତି ହୋଇଥିଲା। *ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।”*
ଏହା ଶୁଣି ସ୍ତ୍ରୀଲୋକଟିର ମୁହଁ ପ୍ରଫୁଲ୍ଲ ଦେଖାଗଲା। ସିଏ କହିଲା, “ବାବା !!!ଆପଣଙ୍କ ମାଆ ଯାହା ଯାହା ସବୁ କରିଥିଲେ, ମୁଁ ମଧ୍ଯ ସେମିତି କରିବି। ତାହେଲେ ଅସୁବିଧା ଦୂର ହେଇଯିବ।
ସାଧୁ ଜଣକ ସ୍ମିତ ହସି କହିଲେ, “ଚେଷ୍ଟା କରି ଦେଖ ମାଆ !!! ଯଦି କିଛି ଚମତ୍କାର ହେଇଗଲା…।”
ସ୍ତ୍ରୀ ଲୋକଟି ବାବାଙ୍କୁ ମୁଣ୍ଡିଆ ମାରି ଘରକୁ ଫେରିଲା।
ସ୍ନେହାଶିଷ ତ୍ରିପାଠୀ, ଭଦ୍ରକ