ବିଶ୍ୱାସ
ରାମଚନ୍ଦ୍ରପୁର ନାମରେ ଗୋଟିଏ ଗାଁ ଥିଲା। ବଳରାମ ନାମ ରେ ଜଣେ ଜମିଦାର ଥିଲେ ତାଙ୍କର ଧନ ସମ୍ପତି କୋଉଥିରେ ଅଭାବ ନଥିଲା।
ହେଲେ ସେ ଅପୁତ୍ରିକ ଥିଲେ। ତାଙ୍କର ପତ୍ନୀଙ୍କ ନାମ ଥିଲା ସ୍ନେହମୟୀ। ବିବାହର ଦଶ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ସନ୍ତାନ ସୁଖରୁ ବଞ୍ଚିତ ଥିବାରୁ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ।
ବହୁତ ଲୋକ ତାଙ୍କର ବଦନାମୀ କରୁଥିଲେ। ସେ ନଈ କୁ ଗାଧେଇ ଗଲେ କିଛି ସ୍ତ୍ରୀ ଲୋକ ତାଙ୍କୁ ବନ୍ଧ୍ୟା କହି ତାଙ୍କର କୁତ୍ସା ରଟନା କରି ତାଙ୍କୁ ଅଶୁଭ ବୋଲି କହୁଥିଲେ।
ଏସବୁ ଶୁଣି ସେ ମର୍ମାହତ ହୋଇ ଘରକୁ ଫେରି ଆସି ମନମାରି ବାରି ପଟ ଦାଣ୍ଡ ଦୁଆରେ ଲଥ କରି ବସିପଡିଲେ। ଆକାଶରେ ସୂର୍ଯ୍ୟ ଙ୍କ ରକ୍ତିମ ଆଭାକୁ ଅବଲୋକନ କରୁଥିଲେ। ତାଙ୍କ ଆଖିରେ ଆଖିଏ ପ୍ରଶ୍ନ ଓଠରେ ବାଷ୍ପରୁଦ୍ଧ ଶବ୍ଦସବୁ ଛାତିରେ ଛାତିଏ କୋହକୁ ଚାପିଧରି ଅଣନିଶ୍ୱାସୀ ହୋଇପଡୁଛନ୍ତି।
ଯେମିତି ଅଶାନ୍ତ ସମୁଦ୍ର ର ଢେଉ ସବୁ କୂଳ ଲଙ୍ଘି ଚିତ୍କାର କରୁଛନ୍ତି। ମନେ ପଡିଯାଉଛି ପିଲାବେଳର ସେ ଖେଳ ସବୁ, ବୋହୁଚୋରି ଖେଳ, କଣ୍ଢେଇ ବାହାଘର ଖେଳ।
କଣ୍ଢେଇ ପୁଅ ସହ ସଖି କଣ୍ଢେଇ ଝିଅ ର ବାହାଘର। କେଡେ ସୁନ୍ଦର ଥିଲା ସେ ଦିନ ସବୁ।ଆଞ୍ଜୁଳାଏ ସ୍ମୃତି ଯେମିତ ମନ ଇଲାକାରେ ବିଞ୍ଚି ହୋଇ ପଡିଛି।
କିନ୍ତୁ ଆଜି ଯୌବନର ତୁଠ ରେ ଅବତୀର୍ଣ୍ଣ ହୋଇ ମଧ୍ୟ ମାତୃତ୍ୱ ସୁଖରୁ ମୁଁ ବଞ୍ଚିତ କଣ ପାଇଁ???
ଏତିକି ବେଳେ ସ୍ୱାମୀ ବଳରାମ ବାବୁଙ୍କ ଡାକରେ ସ୍ନେହମୟୀ ଦେବୀ ପ୍ରକୃତିସ୍ଥ ହେଲେ,ଆରେ କଣ ସବୁ ଭାବି ଯାଉଛ। ସ୍ନେହମୟୀ ସ୍ୱାମୀ ଙ୍କ କୋଳରେ ମୁଣ୍ଡ ଦେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ, କହିଲେ ଆଜି ମୁଁ ନଈ କୁ ଗାଧେଇବାକୁ ଗଲାବେଳେ ସବୁ କହୁଛନ୍ତି ମୁଁ କୁଆଡେ ବନ୍ଧ୍ୟା,ଅଶୁଭ ହେବ ମୋ ଛାଇ ପଡିଲେ।ନିଜ କୋହକୁ ସମ୍ଭାଳି ନପାରି କହିଲେ ଏଥିରେ ମୋର କଣ ଦୋଷ କହିଲ..
ସବୁ ନାରୀ ସ୍ବପ୍ନ ର ଯେଉଁ ଦିବ୍ୟପ୍ରାସାଦ ଗଢ଼ନ୍ତି ସେଠି ମାତୃତ୍ୱ ରେ ହିଁ ସାର୍ଥକତା ପାଆନ୍ତି। ହେଲେ ମୋ ଜୀବନ ନିରର୍ଥକ..
ବଳରାମ ବାବୁ ପତ୍ନୀ ଙ୍କୁ କୋଳେଇ ଆଣି ପ୍ରବୋଧନା ଦେଇ କହିଲେ ଆରେ ତୁମେ ଅଧୀର ହେଲେ କଣ ଚଳିବ ଭଗବାନ ଙ୍କ ଉପରେ ଦୃଢ ବିଶ୍ୱାସ ରଖ ସେ ତୁମ ମନବାଞ୍ଛା ନିଶ୍ଚିତ ପୂରଣ କରିବେ ସେ କେବେ କାହା କୋଳ ଶୂନ୍ୟ ରଖନ୍ତିନି।
ମନକୁ ବୁଝାଇ ନେଲେ ସ୍ନେହମୟୀ ଦେବୀ।ସବୁ ଓଷା ବାର ବ୍ରତ ଇତ୍ୟାଦି କଲେ……
ଦାନ ଧର୍ମ ରେ ବହୁ ଟଙ୍କା ଖର୍ଚ୍ଚ କଲେ। ସବୁଦିନ ମନ୍ଦିର ଯାଇ ବିକଳ ପ୍ରାର୍ଥନା କରନ୍ତି। ଦିନେ ସେ ମନ୍ଦିର ଯିବା ରାସ୍ତାରେ ଦେଖିଲେ ଜଣେ ମହାତ୍ମାଙ୍କୁ ପଛ ପଟରୁ ଏକ ଟ୍ରକ ଆସି ଜୋରେ ଧକ୍କା ଦେଲା ସେ ଚେତା ଶୂନ୍ୟ ହୋଇ ଛିଟକି ପଡିଲେ, ସ୍ନେହମୟୀ ସଂଗେ ସଂଗେ ମହାତ୍ମା ଙ୍କୁ ଡାକ୍ତରଖାନା ନେଇଗଲେ ଯାହା ଟଙ୍କା ଖର୍ଚ୍ଚ ହେଲା ସବୁ ବ୍ୟବସ୍ଥା କଲେ, ଆରୋଗ୍ୟ ପାଇଁ ଭାଗବନ ଙ୍କ ପାଖରେ ପ୍ରାର୍ଥନା କଲେ ।
କିଛି ଦିନ ପରେ ମହାତ୍ମା ପୁରା ସୁସ୍ଥ ହୋଇ ସ୍ନେହମୟୀ ଙ୍କୁ ଧନ୍ୟବାଦ ଜଣାଇ କହିଲେ ମାଆ ରେ ଭାଗବାନ ତୋର ମଙ୍ଗଳ କରନ୍ତୁ ପୁତ୍ରବତୀ ହେବୁ ମୁଁ ଆଶୀର୍ବାଦ କରୁଛି।
ସ୍ନେହମୟୀ ଦେବୀଙ୍କ ଆଖିରେ ଲୁହ ଜକେଇ ଆସିଲା ଭୋ ଭୋ ହୋଇ କାନ୍ଦି ଉଠି କହିଲେ ବାବା ମୋର ବିବାହ କୁ ଦଶ ବର୍ଷ ହେଲାଣି, ହେଲେ ମୁଁ ସନ୍ତାନ ସୁଖ ରୁ ବଞ୍ଚିତ। ମହାତ୍ମା ଜଣେ ମହାପୁରୁଷ ଙ୍କ ଠିକଣା ଦେଇ ଆଶୀର୍ବାଦ କରି ଚାଲିଗଲେ।
ସ୍ନେହମୟୀ ଦେବୀ ସେ ଠିକଣା ରେ ପହଂଚି ମହାପୁରୁଷଙ୍କୁ ସନ୍ତାନ ପାଇଁ ବର ପ୍ରାର୍ଥନା କଲେ. ମହାପୁରୁଷ ଙ୍କ ଆଶୀର୍ବାଦ ରେ କିଛି ଦିନପରେ ସ୍ନେହମୟୀ ଦେବୀ ଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କଲା। ତାଙ୍କର ଆନନ୍ଦର ସୀମା ରହିଲାନି। ସେହିଦିନ ଠାରୁ ସ୍ନେହମୟୀ ଦେବୀ ଙ୍କର ଈଶ୍ୱର ଙ୍କ ଉପରେ ଭରସା ଏବଂ ବିଶ୍ୱାସ ଆସିଗଲା।ସେ ତାଙ୍କ ସ୍ୱାମୀ ବଳରାମ ବାବୁ ଏବଂ ପୁତ୍ର ସନ୍ତାନ ସହିତ ଆନନ୍ଦରେ ରହିଲେ ।
*ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ସେହି ମହାପୁରୁଷଙ୍କୁ ଭେଟି ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।”*
ପଦ୍ମାବତୀ ସ୍ୱାଇଁ
ବଡରମ୍ପାସ, କେନ୍ଦୁଝର