ମାଟିଘୋଡା
ଭବେଶ ଚନ୍ଦ୍ର ବେହେରା
…………………………………………
ମାଟିକି କରିଛି ହାଡ ମାଉଁସ
ଭାଟିରେ ଖାଉଛି ନିଆଁ ପାଉଁଶ
ପାଟିଚିପି ଯାଏ ସହି
ଫାଟିଗଲେ କେବେ
ତୁଟିଯିବ ଭାବ
କେହି ପାରିବନି କହି ।
ଖରା ବରଷା କି ଗ୍ରୀଷମ ତାତି
ଭରା ଫଗୁଣ କି ପୂନେଇଁ ରାତି
ପାଏନି ଆଦର ସ୍ନେହ
ରଙ୍ଗ ଛାଡିଗଲେ
ଫିକା ପଡିଯାଏ
କମଦମ ମାଟି ଦେହ ।
ନୂଆ ନୂଆ ବେଶି ସ୍ନେହ ଆଦର
ଥୁଆ ପୂରୁଣାରେ କମେ ତା’ ଦର
ଛାଡିଗଲେ ଗୋଡ ହାତ
ଅଧାଭଙ୍ଗା ଦେହ
ଅମଙ୍ଗଳ ବୋଲି
ଦେଖେନି ଅଗଣା ଛାତ ।
ଥରେ ଭାଙ୍ଗିଗଲେ ହୁଏନି ଯୋଡି
ଛାଡିଯାଏ ଥିଲେ ଖପରା ଗୋଡି
ହୋଇପାରେ ନାହିଁ ଛିଡା
ଦରଦୀ ମନରେ
ଦିନେବି କାହାକୁ
କହେନି ଦରଜ ପିଡା ।
ଦେହରେ ଦିଶିଲେ ଟିକିଏ ଖୁଣ
କେହି ବୁଝେନାହିଁ ଥିଲେବି ଗୁଣ
ହୋଇଯାଏ ସାତପର
ଛାଡିବାକୁ ହୁଏ
କାଚ ଆଲମାରୀ
ଚିକ୍କଣ ଚଟାଣ ଘର ।
ଅଳିଆ ଗଦାକୁ ଶେଷ ଭରସା
ବଳିଯାଏ ଶନି ମାରକ ଦଶା
ଖୋଲେନାହିଁ ଥରେ ପାଟି
ଖରା ବରଷାରେ
ପଡିପଡି ଦିନେ
ହୋଇଯାଏ ମୁଠେ ମାଟି ।
………………………………………….
ଭବେଶ ଚନ୍ଦ୍ର ବେହେରା
ଅତି ସୁନ୍ଦର କବିତା ଆଗକୁ କିଛି ନୂଆ ଆଶା କରୁଅଛି ଧନ୍ୟ ବାଦ