ବିଜୟ
ସେଦିନ ସନ୍ଧ୍ୟାରେ ପ୍ରଥମ ଥର କରି ଦେଖା ହୋଇଥିଲା ରାମବାବୁଙ୍କ ସହିତ ଦିଗପହଣ୍ଡି ବଡ଼ ବଜାରର ଛାତି ଉପରେ। ସେ କାହାକୁ ଗୋଟେ ତାଗିଦ୍ କରୁଥିବାର ସ୍ୱର ଭାସି ଆସୁଥିଲା ମୋ କନାର ଦରଜା ପାଖକୁ। ଲାଗୁଥିଲା ଯେପରି ଏ କଣ୍ଠ ସ୍ୱର ସହିତ ମୁଁ ଖୁବ୍ ପୂର୍ବରୁ ପରିଚିତ। ମନ ଭିତରେ ସୃଷ୍ଟି ହୋଉଥିବା ପ୍ରଶ୍ନବାଚୀ ବିଷୟ ଉପରେ ତତକ୍ଷଣାତ୍ ପୂର୍ଣ୍ଣଚ୍ଛେଦ ଦେଇ ଆଗେଇ ଚାଲିଲି ରମବାବୁଙ୍କ ଆଡ଼କୁ । ଉତ୍ସାହ ତ ନିଶ୍ଚିତ ଥିଲା ତାଙ୍କୁ ଭେଟିବା ପାଇଁ କିନ୍ତୁ ସେଠାରେ ଯେଉଁ ଭୀଷଣ ବନ୍ୟା ପରିସ୍ଥତି ଆରମ୍ଭ ହୋଇଥିଲା କାଳେ ମୁଁ ସେଥିରେ ଭାସିନଯାଏ ତାର ଆଶଙ୍କା ମଧ୍ୟ ମୋ ଭିତରେ ଭିତରେ ଘନୀଭୂତ ହେଉଥାଏ। ତଥାପି ଧିରେ ଧିରେ ପାଦ ପକେଇ ଆଗକୁ ବଢ଼ିଲି। ମୋର ଦୁଃସାହାସିକ ଯାତ୍ରାରେ ସଫଳ ହୋଇସାରିବା ପରେ ତାଙ୍କ ସହ କଥା ବାର୍ତ୍ତାରୁ ଯାହା ଜଣାପଡିଲା ସେ ପାଳିଥିବା କୁକୁର ଟି ଦୀର୍ଘ ପାଞ୍ଚ ଘଣ୍ଟା ଧରି ନିଖୋଜ ଅଛି ଅଥବା ଘରଣୀର ଅନୁସନ୍ଧାନରେ ଚମ୍ପଟ୍ ମାରିଛି । ସେ ଅବା ଆଉ କଣ କରିପାରେ , ଯାହା ଭଗବାନଙ୍କ ଇଚ୍ଛା ଅବଶ୍ୟ ରାମବାବୁଙ୍କୁ ଏକଥା ବୁଝିବାର ଥିଲା ।
ପରିଚୟ ତଦାରଖ କରିବାରୁ ଜାଣିବାକୁ ପାଇଲି ବାପା ଆଉ ରାମବାବୁ ଦୁହେଁ ପିଲାବେଳର ସାଥୀ। ଭେଟିବାର କେବେ ସୁଯୋଗ ପାଇନଥିଲେ ମଧ୍ୟ ଫୋନରେ ଥରେ ଦୁଇଥର କଥା ହେବାର ସୌଭାଗ୍ୟ ଅର୍ଜନ କରିଥିଲି। ବାପା କହୁଥିଲେ ରାମବାବୁ କୁଆଡ଼େ ଦୀର୍ଘ ବର୍ଷ ଧରି ଓଡ଼ିଶାର ପ୍ରଶାସନିକ ସେବାରେ ନିଯୁକ୍ତି ଥିଲେ। କିନ୍ତୁ କୌଣସି ରାଜନୈତିକ ଦଳ ତାଙ୍କ କାର୍ଯ୍ୟର ସଚ୍ଚୋଟତାକୁ ବୁଝିବାକୁ ସକ୍ଷମ ନଥିଲେ ତେଣୁ ଚାକିରି ଛାଡି ବର୍ତ୍ତମାନ ସେ ଶିକ୍ଷକତାରେ ମନୋନିବେଶ କରିଛନ୍ତି । ଶେଷରେ ରାମବାବୁ ମୋତେ କୋଳେଇ ନେଇ କହିଲେ , ତୋ ସହ ଦେଖା ହେଲା ଭାରି ଖୁସି ଲାଗିଲା ସମୟ ପାଇଲେ ବାପାଙ୍କୁ ଧରି ଘରକୁ ନିଶ୍ଚିତ ଆସିବୁ। ବଡ଼ ପାଟିରେ ହଁ ମାରି ସଉଦା ଧରି ଫେରି ଆସିଲି।
ସକାଳର ସୁଖକର ନିଦ ବୋଉର ଝାଡୁ ପାହର ସହିତ ଉଠି ବସିଲା। ବାପା ତେଣେ ଡାକ ପକାଇଲେଣି , ଶୀଘ୍ର ବାହାରେ ବେପରାରେ ଯିବାକୁ ଡେରି ହୋଇଯିବ। ଏସବୁ ମୋ ପାଇଁ କିଛି ନୂଆଁ କଥା ନାହିଁ…. ନୀତି ଦିନର ଘଟଣା। ସେହି ପୁରୁଣା ସାଇକେଲ ଟିଏ ଧରି ଏ ଗାଁରୁ ସେ ଗାଁକୁ ଘୁରିବେଲୁ , କେବେ ଭଲ ଦିପାଇସା ରୋଜଗାର ହୁଏତ ଆଉ କେବେ ନିରାଶ ହୋଇ ଫେରେ ।
ସୂର୍ଯ୍ୟ ଯେବେ ମୁଣ୍ଡ ଉପରକୁ ଉଠିଯାଏ ସେତେବେଳେ ଭାରି ଲାଗେ ସାଇକେଲର ଚକ ଦୁଇଟି । ଆଜିର କଥା ନକହିଲେ ଭଲ , ଧାରାବାହିକ ଭାବରେ ଦୌଡ଼ୁଥିବା ଜୀବନ ଯେମିତି ଅଟକି ଯାଇଥିଲା ପାଖ ଗାଁର ଜଣେ ବସ୍ତ୍ର ବ୍ୟବସାୟୀଙ୍କ କେଇପଦ କଥାରେ। ମୁଁ କଣ ଜାଣିଥିଲି ସେ ଜଣେ ବସ୍ତ୍ର ବ୍ୟବସାୟୀ ବୋଲି , ଏମିତିରେ ପଚାରିଦେଲି ” ଆଜ୍ଞା ଧୋତି ଖଣ୍ଡେ ରଖିବେ କି ? ” ଆଛା ଏହାର ଦାମ୍ କେତେ କହିଲ ? ମାତ୍ର ଦୁଇଶହ ପଚାଶ ଟଙ୍କା ଆଜ୍ଞା। ସେଇଠୁ ତ କଥା ଆରମ୍ଭ ; ରେଳ ଗାଡ଼ିର ସବୁ ଶକ୍ତିକୁ ନିଜ ଭିତରକୁ ଟାଣି ନେଇ କହିବା ଆରମ୍ଭ କଲେ, *ହଇଓ ଭାଇ ….. ତୁମ ହାତବୁଣା ଖଦଡ଼ ଧୋତିର ଦାମ ଯାହା , ତାର ଅଧା ରେଟରେ ଆମେ ମେସିନ ବୁଣା ଧୋତି ଯୋଗେଇଲେ ବି ଲୋକ କିଣୁ ନାହାନ୍ତି।ଶୁଦ୍ଧଘରିଆ ଲୋକ କିଏ ହାବୁଡିଲେ ଧୋତି ଗାମୁଛା କିଛି ବିକ୍ରି ହୁଏ ଯେ …. ସେମାନେ କିନ୍ତୁ ଖୋଜି ଖୋଜି ସବୁଠୁଁ ଶସ୍ତା ଧୋତି ହିଁ ନିଅନ୍ତି।କୁହନ୍ତି ଏଗୁଡା ଦାମିକିଆ ନେଇ ଲାଭ କ’ଣ ?ତୁଠ କର୍ମ ପରେ ଏ ବସ୍ତ୍ର ସବୁ ମାରା। ଦେବକର୍ମ ଆଉ ସବୁ ଭଲକାମକୁ ଅଯୋଗ୍ୟ।ଆଉ ବାହାଘରିଆ କିଣାବିକା ହେଲେ ଲୋକ ସେଇ ଟଙ୍କାରେ ଶସ୍ତା ପ୍ୟାଣ୍ଟ ସାର୍ଟ କପଡା ବରଂ ନେଇ ଯାଉଛନ୍ତି କିନ୍ତୁ ଧୋତି ଗାମୁଛା ଆଉ କିଣୁ ନାହାନ୍ତି ବନ୍ଧୁ ବେଭାର ପାଇଁ।ଆଉ ତୁମର ଏ କୁମ୍ଭପକା ଧୋତିକୁ ମୁଁ ରଖି କରିବି କ’ଣ ! କିଣିବ କିଏ ?*
ଅବାକ୍ ହୋଇ ଚାହିଁ ରହିଥିଲି ତାଙ୍କୁ ଏକାନ୍ତ ଭାବେ ନିରୁପାୟ ପୁଣି ନିଃଶବ୍ଦ ହୋଇ ।କ୍ଷଣିକର ଜଡତାକୁ ଭଙ୍ଗ କରିସାରିବା ପରେ ବସ୍ତାନିଟିକୁ ଉଠେଇ ଫେରିବାକୁ ବାଧ୍ୟ ହେଲି ଯେମିତି। ସତେତ ତାଙ୍କ କଥାରେ ଯୁକ୍ତିଯୁକ୍ତ ଥିଲା ନିଶ୍ଚିନ୍ତ । ଏଇତ ଅଦୂରରେ ଦୃଶ୍ୟମାନ ହେଉଛନ୍ତି ରାମବାବୁ.. ବୋଧେ ମୋରି ଆଡ଼କୁ ଆସୁଛନ୍ତି ନା କଣ ! ଆସନ୍ନ ସନ୍ଧ୍ୟାର ମଳିନତା ମୋ ମୁଖରେ ସ୍ପଷ୍ଟ ପ୍ରତିବିମ୍ବିତ ହେଉଥିଲା ; ପାଖକୁ ଆସି ହାତଟାକୁ ଜାବୁଡି ଧରି ପଚାରିଲେ , କିଛି ଅସୁବିଧା ହୋଇଛିକି ବାବୁ ମୁହଁ ଟା ଶୁଖିଯାଇଛି ଯେ। ଯଦି ମୋ ଉପରେ ତୁମର ସେତିକି ଦୃଢ଼ ବିଶ୍ବାସ ଅଛି ତେବେ ନିର୍ଦ୍ଵନ୍ଦରେ କହିପାର। ନା କକା ସେମିତି କିଛି ନୁହେଁ… ସେ ଭାଇନା ଜଣକ ଏମିତି କହିଲେ ବାସ୍ ସେଇକଥା ଭାବୁଥିଲି। ସବୁ ଶୁଣି ସାରିବା ପରେ ଜଣେ ବିପ୍ଲବୀର ସ୍ଵରରେ କହିଲେ, ବର୍ତ୍ତମାନର ବଦଳୁଥିବା ସମୟ ଓ ପରିସ୍ଥିତି ସହିତ ନିଜକୁ ପରିବର୍ତ୍ତନ ନକରିପାରିବା ଆମର ଅପାରଗ ପଣିଆ ବୋଲି କୁହାଯାଇ ପାରେ କିନ୍ତୁ ଅତୀତର ଗୌରବମୟ ପରମ୍ପରାକୁ ଭୁଲି କୌଣସି ମାନବ ସମାଜ ସଫଳତା ଲାଭ କରିପାରି ନାହାଁନ୍ତି। ରାମବାବୁଙ୍କ ସେ କଥା ଗୁଡ଼ିକ ମୋତେ ଅଭିମନ୍ତ୍ରିତ କରି ବିଜୟର ପଥ ପ୍ରସ୍ତୁତ କରୁଥିଲେ ନିହାନ୍ତି, ଏଥିରେ ଦ୍ଵିମତ ନାହିଁ।
ନଦୀର ଗତି ସହିତ ତାଳ ଦେଇ ସମୟ ମଧ୍ୟ ଆଉ ପଛକୁ ଫେରନାହିଁ। ମୋର ଦୁଃର୍ଭାଗ୍ୟ ଯେ ରାମବାବୁ ଆଉ ମୋ ପାଖରେ ନାହାନ୍ତି ମୋତେ ପ୍ରେରଣା, ଶକ୍ତି ଓ ସାହସ ଦେବାକୁ। ଏକ ଦୁର୍ଘଟଣା ପରେ ସେ ଏବେ ଆରପାରିରେ । ଦଶମ ଶ୍ରେଣୀର ଇତିହାସ କି ଭୂଗୋଳ ନୁହେଁ ଯେ ମୁଁ ତାଙ୍କୁ ଏତେ ସହଜରେ ଭୁଲିଯିବି । ଦୀର୍ଘ ଏକ ଦଶନ୍ଧିର ତପସ୍ୟା ପରେ ଆଜି ପ୍ରତି ଘରେ ଘରେ ପରିଚିତ ମୁଁ ଆଉ ମୋର ହସ୍ତ ନିର୍ମିତ ଖଦଡ଼ ଧୋତି। ଶେଷରେ ବିଜୟ ତୁମର କେବଳ ତୁମର ଆଉ ଏକାନ୍ତ ଭାବେ ତୁମର ରାମବାବୁ।
ଶିବ ସେଠୀ
ଗଞ୍ଜାମ