ବନ୍ଧୁ
ବନ୍ଧୁ ହେ ମୋର ଏ କି କଲ ?
ଧୋକା ଦେଇ ହୃଦେ ଦୁଃଖ ଦେଲ
ହେଲେ ସଂସାରସାଗର ଲଙ୍ଘନେ
ନୁଆବଳ ମତେ ଦେଇଦେଲ
ବନ୍ଧୁ ହେ —-
ଅନ୍ତରଙ୍ଗ ବନ୍ଧୁ ଭାବିଥିଲି
ମନକଥା ଖୋଲି କହୁଥିଲି
ଆଶ୍ବାସଭରା କଥା ପଦେ ଶୁଣି
କେତେ ଖୁସି ମୁହିଁ ହେଉଥିଲି
ଅନ୍ତରଙ୍ଗ—-
ବିଶ୍ୱାସରେ ବିଷ ଦେଇଦେଲ
ହୃଦେ ଥିଲା ତୁମ ହଳାହଳ
ମୋ ଅନ୍ତରରେ ନିଆଁ ଜାଳି ବନ୍ଧୁ
କେଉଁ ସୁଖ ଅବା ପାଇଗଲ ?
ବିଶ୍ୱାସରେ—
ମିଛ ପଦେ ମୁହିଁ କହେନାହିଁ
ବାପା ବୋଉ ଅଛନ୍ତି ଶିକ୍ଷା ଦେଇ
ସତ୍ ପଥରେ ଚାଲିଅଛି ସଦା
ଡରିଯିବି କୁହ କାହିଁ ପାଇଁ ?
ମିଛ ପଦେ—-
ଈଶ୍ୱର ସଦା ସାହା ମୋର
ତିଳେହେଁ ସେପାଇଁ ନାହିଁ ଡର
ସର୍ପ ସମାନ କ୍ରୂର ଅବିଶ୍ୱାସୀ
ଚେହେରାଟି ତୁମ ଦେଖାଇଲ
ଈଶ୍ୱର—–
ପାଣିରେ ପକାଇଥିଲ ସର
ବଚନ କହୁଥିଲ କି ମଧୁର !
ଆପଣାର ଯେବେ ଭାବିଲି ତୁମକୁ
ପଶ୍ଚାତରୁ ମାରିଦେଲ ତୀର
ପାଣିରେ —–
ବିରାଡ଼ି ବୈଷ୍ଣବ ସାଜିଥିଲ
ମିଠା ମିଠା କଥା କହୁଥିଲ
ସ୍ବାର୍ଥରେ ଯେବେ ଆଞ୍ଚ ଆସିଗଲା
ଅସଲ ଚେହେରା ଖୋଲିଦେଲ
ବିରାଡି—-
ବନ୍ଧୁ ହେ ମୋର କୁଶଳେ ଥାଅ
ମୋକଥା ମନରୁ ପୋଛିଦିଅ
ମୁଁ ମଧ୍ୟ ତୁମକୁ ଭୁଲିଯାଏ
ଏତିକି ଆଶୀଷ କରିଦିଅ
ବନ୍ଧୁ ହେ—-
ଯେତେଦିନ ମନେ ପଡୁଥିବ
ହୃଦରୁ ମୋ ରକ୍ତ ଝରୁଥିବ
ଧୋକାବାଜ୍ ଧୋକା ଦେଇ ଜାଣେ
ଅନ୍ତରାତ୍ମା ମୋର ରଟୁଥିବ
ଯେତେଦିନ—
ମିଥ୍ୟା,ର ରାଜୁତି ଅଳ୍ପଦିନ
ବୁଝୁଥିବ ଏବେ ତୁମ ମନ
ସତ୍ୟର ସଦା ଜୟ ହୋଇଥାଏ
ସରଳ କଥାଟି ହୃଦୟେ ଘେନ
ମିଥ୍ୟା,ର—-
ଭାବିଥିଲ ମୁହିଁ ଭାଙ୍ଗିଯିବି
ତୁମ ପାଶେ ନିଉଛାଳି ହେବି
ବୃଥା ଅଟଇ ଭାବନା ତୁମର
ମୁଁ ଜଗତବନ୍ଧୁଙ୍କ ବନ୍ଧୁ ହେବି
ଭାବିଥିଲ—-
ତାଙ୍କ ଠାରୁ ବଳି ବନ୍ଧୁ ନାହିଁ
ସୁଖେ ଦୁଃଖେ ସାହା ଭାବଗ୍ରାହୀ
ଭାବକୁ ନିକଟ ଅଭାବକୁ ଦୂର
ବନ୍ଧୁ ପଣରେ ଘେନିଛି ମୁହିଁ
ତାଙ୍କ ଠାରୁ—-
ମମତା ଶତପଥୀ
କେନ୍ଦ୍ରାପଡା