କର୍ମଫଳ
ସୀମାଞ୍ଚଳ ପଣ୍ଡା
ନିଜ କର୍ମଫଳ ଆପଣାର ବଳ
ତା’ଲାଗି ସବଳ ଦୁର୍ବଳ ନର,
କର୍ମଫଳ ଭୋଗ କର୍ତ୍ତାର ସଂଯୋଗ
ଭବେ ଜନ୍ମଲାଭ ବିଧି ପ୍ରକାର।
କର୍ମ ଭୂମି ଏହି ସସାଗରା ମହୀ
କର୍ମ ପାଇଁ ଜୀବ ଜନ୍ମ ସକଳ,
ଧରଣୀ ସେବକ ସାରା ଜୀବ ଦେଖ
ସେବାରେ ସରିବ ଜୀବନ କାଳ,
କର୍ମ କେବେ ହୀନ ନ ଥାଏ ମହାନ
କର୍ମୀ ପାଇଁ କିଆଁ ଭେଦ ବିଚାର?
ନିଜ କର୍ମଫଳ ଆପଣାର ବଳ
ତା’ଲାଗି ସବଳ ଦୁର୍ବଳ ନର।
କର୍ମ ଗୁଣ ମାନ ପ୍ରକାର ଉତ୍ଥାନ
କି ଅବା ପତନ ଜୀବନ କାଳେ,
ଫଳ ଭୋଗ କରି ବଞ୍ଚଇ ସଂସାରୀ
ବିଚିତ୍ର ଜୀବନ ଯୋଗ ଭୂତଳେ!
ଚଳମାନ କର୍ମ କ୍ରିୟମାଣ ଧର୍ମ
ସଙ୍ଗେ ହୁଏ ଭୋଗ ଚଳଣି ବେଳେ,
ବଳକା ଯେତେକ ହୁଅଇ ସଞ୍ଚିତ
ପ୍ରାରବ୍ଧ ସେ’ ପର ଜନ୍ମରେ ମିଳେ,
ଫଳ ଭୋଗ ପାଇଁ କର୍ତ୍ତା ସିନା ଦାୟୀ
ଆନେ ନିନ୍ଦି ମହା ଦୋଷ ନ କର,
କର୍ମ ଫଳ ଭୋଗ କର୍ତ୍ତାର ସଂଯୋଗ
ଭବେ ଜନ୍ମଲାଭ ବିଧି ପ୍ରକାର।
ପ୍ରାରବ୍ଧ ସଂଯୋଗ ଭବେ ଭାଗ୍ୟ ଯୋଗ
କର୍ମ ଘେନି ଫଳ ବେନି ପ୍ରକାର,
କଲା କର୍ମ ଯୋଗ ଆପଣେ ଭୋଗିବ
ବେଳ ହୁଁ ସଜାଗ ହୁଅ ସତ୍ୱର!
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,