ଅନାଥର ନାଥ
*********
ଅନାଥ ର ନାଥ
ଆହେ ଜଗନ୍ନାଥ
ହେ ପ୍ରଭୁ ଜଗତସାଇଁ
ପତିତପାବନ
ବାନାକୁ ଉଡାଇ
ରଥଯାତ କରୁଥାଇ ।
ଭକତ ଜନଙ୍କ
ଗୁହାରି ଶୁଣିଣ
ଭକତବତ୍ସଳ ହରି
ଦୀନ ଦୁଃଖି ରଙ୍କି
ଉଦ୍ଧାର ପାଇଁ କି
ଜଗତ ମଙ୍ଗଳ କରି ।
ତୁମ୍ଭ ଦରଶନ
ଲଭିବାକୁ ମନ
ଆତୁର ହୁଏ ପରାଣ
ଭକତି ଅନ୍ତରେ
ତୁମ୍ଭ ନାମ ସ୍ମରେ
ଜପିବାକୁ ପ୍ରତିକ୍ଷଣ ।
ରଥ ଯାତରାକୁ
ବରଷକେ ଥରେ
ଚାତକ ପରାୟେ ଚାହିଁ
ରତ୍ନ ସିଂହାସନୁ
ରତନବେଦିକୁ
ବିଜେ କରି ଭାବଗ୍ରାହୀ ।
ଭକ୍ତ ସାଲବେଗ
ଭକତର ଡାକେ
ନନ୍ଦିଘୋଷ ଅଟକାଇ
ପୁରୀ ବଡ଼ଦାଣ୍ଡେ
ତୋ ରଥ ଗଡ଼ଇ
ଭକ୍ତ ଦରଶନ ପାଇଁ ।
*********************”
ପ୍ରସନ୍ନ କୁମାର ମେହେର
ଦିଗଶିରା,ଡୁଙ୍ଗୁରିପାଲି ସୁବର୍ଣ୍ଣପୁର