ଅକୁହା ଦୁଃଖ
*******************
ଘର ଓ ଘରଣୀ, ପତି ଓ ପତିନୀ
ଗୋଟିଏ ମୁଦ୍ରାର ଦୁଇ,
ଏକା ଘରଟିରେ , ନିବାସ ପାତର
ନଖ ମାଂସ ସରି ହୋଇ ll
ଦୁହିଁଙ୍କ ମନଟି, ହୋଇଲେ ଏକାଠି
ବଢ଼େ ପ୍ରଗତିର ବାଟ,
ହୁଅଇ ସମୃଦ୍ଧି, ସୁଖ ଭୋଗ ବୃଦ୍ଧି
ଶାନ୍ତିଟି ହୁଅଇ ଭେଟ ll
ପୁଅ, ଝିଅ, ସାଥେ, ଭାଇ ଓ ଭଉଣୀ
ପିତା ମାତା ଗୁରୁଜନେ,
ସଭିଙ୍କ କର୍ତ୍ତବ୍ୟ, ସୁସ୍ଥ ହାବ ଭାବ
ମହତ, ସମ୍ମାନ, ଆଣେ ll
କଲେ ଅବହେଳା, ମନମାନି ଚଳା
ମନମୁଖୀ କାରବର,
ହୋଇ କେ ଅବୁଝା, ମନୁଆଁ ସେ ରାଜା
ଅନଇତିକ ବେଭାର ll
କେତେ ଯେ ଶକୁନି, ମନ୍ଥରାଟି ପୁଣି
ହେଉଥିବେ ଆତଯାତ,
ଘର ଭଙ୍ଗା ନୀତି, କାନ କୁହା ପ୍ରୀତି
ଏକ ଏକତାକୁ ଖତ ll
ଦାଣ୍ଡରେ ଭଲେଇ, ସଜତନେ କହି
(ଘରେ )ଧୂଆଁ ଧୂପ ନିରନ୍ତର ,
ସେତ ଜଳା ପୋଡା, ଅସହ୍ୟ ଯନ୍ତ୍ରଣା
ଅକୁହା ବେଦନା ଘୋର ll
ଘରର ଗୁମର, କରିଲେ ପ୍ରଚାର
କୁଳ କୁଟୁମ୍ବକୁ ଲାଜ,
ନକହିଲେ କଥା, ଅନ୍ତରର ବ୍ୟଥା
ଜ୍ୱଳନଟି ହୁଏ ତେଜ ll
କେ କିସ କହିବ, କେତେ ବାହୁନିବ
ନୁଆଁରେ ଘିଅକୁ ଢ଼ାଳି,
ହିତ ଶତ୍ରୁଙ୍କର, କଥା କାରବାର
ବେଦନାଠୁ ଯିବ ବଳି ll
କରି ଉଘାଟଣା, ମାରୁଥିବେ ଠୁଣା
ଚୂନ ବୋଳା ଘାଆପରେ
ଆଶ୍ୱାସନା ଦୂର, ବଚନ ନିଷ୍ଠୁର
ଆନନ୍ଦରେ ତାଳି ମାରେ ll
କରି କେତେ କାଣ୍ଡ, ଚଢ଼ି ବାଡ଼ି ଦାଣ୍ଡ
ଛଳନା ଲୋତକ କାଢ଼ି,
ହୋଇବେ ଭଲେଇ,କହିବେ ସଫେଇ
(ଖୋଲି)କଥା ଚାତୁରୀର ପେଢ଼ି ll
ନିଜେ ଏକା ଭଲ, ଅନ୍ୟ ସବୁ ଭେଲ
ଅବିଗୁଣ ସବୁ ଭରା,
ହୁଅନ୍ତି ଉଦଣ୍ଡ, ଦେଉଛନ୍ତି ଦଣ୍ଡ
ଅସହ୍ୟ ଅଶାନ୍ତି ପରା ll
ଗାତୁଆ ମୂଷାଟି ,ଗାତ କରେ କୋଠି
ଧରା ଦିଏ ନାହିଁ ଜମା,
ଭିତିରି ଭିତିରି, କେତେ ଗାତ କରି
ଟପିଯାଏ ସବୁ ସୀମା ll
ହୋଇ ଉଦାସୀଆ,କରେ କେତେ ବାୟା,
ସତେ ନିଦାବିଷ୍ଣୁ ସିଏ,
କେତେ ଅଭିନୟ, କେତେ ଲୁହ କୋହ
ଉଦାର ପଣିଆ ଥୁଏ ll
ଘର ଢ଼ିଙ୍କି ଯେବେ, କୁମ୍ଭୀର ହୋଇବ
କାହାକୁ କହିବି ଦୁଃଖ,??
ନିଇତି ମରଣ, ସଂଘର୍ଷଟି ପୁଣ
ସବୁ ଜାଣି ହେବ ମୂକ ll
କଲେ ପ୍ରତିବାଦ, ମହତଟି ରଦ୍ଦ
ନାହିଁ ନଥିବା ଯାତରା,
ଅଜାଗା ଘାଆଟି, ବିନ୍ଧା ଛିଟିକାଟି
ସରମ ବେଦନା ଭରା ll
******************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206, ଯୋଗାଯୋଗ
6372127449