ପ୍ରିୟାର ଚିଠି
ଏଇ ଶୁଣୁଛ
ତମ ବିନା ବାରିଅଗଣା ଗୋଲାପ ମୁର୍ଚ୍ଛା ଧରିଲାଣି
ଆସିଲାବେଳେ ସାଙ୍ଗରେ ଆଣିବ ଗୋଲାପ ଫୁଲ
ତମ ବିନା ବସନ୍ତ ରେ ବି ଅନୁଭୂତ ହୁଏ ଶ୍ରାବଣ
ଖାଇ ଗୋଡ଼ଉଛି ମୋ ଘର ଚାରି କାନ୍ଥ
ସତରେ ପ୍ରେମ ସଉଦା ରେ ଭାରି ପଡିଗଲା ବିରହ ମୂଲ…..
ଶୁଣନା ତମ ଉପବସ୍ତ୍ର ଖଣ୍ଡେ ଦବ ସନ୍ତକ ସ୍ୱରୂପ
ସେ ମୋ ରାତିର ସହଚର ଆଉ ବିରହ ର ସାଥି
ତାକୁ ଆଲିଙ୍ଗନ କରି ସ୍ପର୍ଶ ନେବି ତମର
ତୁମ ଫେରିବା ଯାଏ ସେ ମୋ ଜୀବନ ସାଥି……
ସତରେ କୋହର ଯନ୍ତ୍ରଣା ଖାଲି ତକିଆ ସହୁଛି
ଆଉ ବିରହରେ ବିଜୁଛି ମୋ ଶୟନ ଶେଜ
ଏ ପ୍ରେମ ପ୍ରତୀକ୍ଷାର ସତେ କେବେ ହବ ଅନ୍ତ
କେବେ ନାଲି ଶାଢ଼ୀ ପିନ୍ଧି ତମପାଇଁ ହେବି ସଜବାଜ….
ଶୁଣନା ମୋ ପାଇଁ ଆଣିବ ତମ ସେଜର ଚାଦର
ଯୋଉଠି ବାନ୍ଧି ହେଇଥିବ ପ୍ରୀତି ମୁଠା ମୁଠା
ଆଉ ତମ ବିରହର ତତଲା ନିଶ୍ୱାସ ର ଝଡ଼
ତାକୁ ଆଲିଙ୍ଗନ କରି ମୁଁ ଯୋଡି ଦେବି ମୋ ଲୁହ ଆଉ କୋହ
ସେଇ ଚାଦର ରେ ସୃଷ୍ଟି ହେବ ବିରହର ବନ୍ୟା…..
ଶୁଣନା ଅଣିଥିବ ତମ ପାଦତଳ ମାଟି
ମୁଁ ତାକୁ ଅଗଣା ଗୋଲାପ ଗଛରେ ଢାଳିବି
ଯେତେବେଳେ ବିରହ ବାଧିବ
ଗୋଲାପ ମୂଳର ସେ ମାଟିକୁ ଭିଜେଇ ବାସ୍ନା ନେବି ତାର
ଆଉ ଜାଣନା ଏ ଚିଠି ମୋର ନୀରବ ଆଉ ବିରହ ର କରୁଣ ଚିତ୍କାର…..
ମଧୁସ୍ମିତା ରାଉତ,
ଢେଙ୍କାନାଳ