କହରେ କାଳିଆ
କହରେ କାଳିଆ କେଉଁ ଦୋଷ ପାଇଁ
ଦୁଃଖ ପରେ ଦୁଃଖ ଦେଉ,
କେଉଁ ଅପରାଧ କଲିରେ ତୋହର
ସୁଖକୁ ଛଡାଇ ନେଉ।
ଜନମ କାଳରୁ ଏନ୍ତୁଡ଼ି ଶାଳରୁ
ମାଆକୁ ଛଡେଇ ନେଲୁ,
ଅଜ୍ଞାନ ଶିଶୁର ହସ ଛଡ଼ାଇଣ
କେତେ ସୁଖ ତୁ ପାଇଲୁ।
ପିତା ମାତା ଆଉ ବନ୍ଧୁ ପରିଜନ
ହୋଇଲେ ମୋ ଠାରୁ ଦୂର,
କାହିଁକି ଡାକିବି କାଳିଆସୁନା ରେ
ତୋତେ ମୁଁ ବଡ଼ ଠାକୁର।
ଜୀବନ ଯମୁନା ଉଜାଣି ବହିଲା
ଖୁସି ସବୁ ଦେଲା ଧୋଇ,
ଏଇ ଜନମରେ ବହୁତ ସହିଲି
ପାରୁନାହିଁ ଆଉ ସହି।
ନ୍ୟାୟ ଦଣ୍ଡଧାରୀ ଜାଣନ୍ତି ସଭିଏଁ
କିଏ ସେ ଡ଼ାକିବ ଆଉ,
ପତିତପାବନ ଦୁଃଖ ହାରି ତୋର
ନାମେ କଳଙ୍କ ନ ରହୁ।
କେତେ ଦୁଃଖୀରଙ୍କି ଦୁଃଖେ ସଢ଼ିସଢ଼ି
ଯାଆନ୍ତିରେ ଏଠି ମରି,
ତୋ ପରି ଠାକୁର ମଉନ ରହିଲେ
ଯମ ତ ହେଲା ଭଗାରୀ।
ନାମରେ ତୋହର କଳଙ୍କ ନ ଲାଗୁ
ଯେତେ ଦେଲେ ଦୁଃଖ ଦେ,
ନୀଳାଚଳ ନାଥ ଦୟାକରି ଏହି
ବିଶ୍ୱର ଦୁଃଖ ତୁ ନେ।
ନନ୍ଦିନୀ ରାଉତ
ଅନୁଗୋଳ