କିଛି ଅବାସ୍ତବ ଇଚ୍ଛା

ବେଳେବେଳେ ଇଚ୍ଛା ହୁଏ
ଚୁପଚାପ୍ ବସି ତୁମ କଥା ଭାବିବାକୁ,
ମନ କାନଭାସ୍ ରେ ତୁମ ଚିତ୍ର ଆଙ୍କିବାକୁ,
ତୁମ ଠିକଣାରେ ମୋ ଠିକଣା ହଜେଇଦେବାକୁ ,
ସଂପର୍କର ସେ ଅଡୁଆ ସୂତାରେ ଛନ୍ଦି ହୋଇ
ପ୍ରେମର ଲୁଚାଛପା ଖେଳ ଖେଳିବାକୁ,
ଫିକା ଫିକା ଜହ୍ନ ଆଲୁଅରେ ପ୍ରେମପତ୍ର ଲେଖିବାକୁ।

ବେଳେବେଳେ ଇଚ୍ଛା ହୁଏ
ତୁମ ହାତରେ ହାତଛନ୍ଦି ଜୀବନର ବାଟ ଚାଲିବାକୁ,
ତୁମ ସ୍ୱପ୍ନର ତାଜମହଲରେ ରାଣୀ ସାଜିବାକୁ,
ତୁମ ପାଖେ ସ୍ୱାଧୀନତା ହରାଇ ଦେଇ,
ଏକ ଅମର ପ୍ରେମ କାହାଣୀ ଲେଖିବାକୁ।

ବେଳେବେଳେ ଇଚ୍ଛା ହୁଏ
ବର୍ଷାର ସେ ରିମଝିମ୍ ସ୍ୱର ଶୁଣିବାକୁ,
ଅଦିନିଆ ବର୍ଷାରେ ଭିଜି ମତୁଆଲା ହେବାକୁ,
ତୁମ ବାହୁ ବନ୍ଧନରେ ବାନ୍ଧି ହୋଇ ରହିବାକୁ,
ଘଣ୍ଟାର କଣ୍ଟା ଉପରେ ହାତ ଚାପି ରଖି
ସମୟକୁ ସେଇଠି ଅଟକେଇଦେବାକୁ।

ବେଳେବେଳେ ଇଚ୍ଛା ହୁଏ
ପୂର୍ଣ୍ଣମୀ ରାତ୍ରିରେ ଖୋଲା ଆକାଶ ତଳେ ବସିବାକୁ,
ତୁମ କୋଳରେ ମଥାରଖି ଜହ୍ନକୁ ଚାହିଁ ରହିବାକୁ,
ଆଞ୍ଜୁଳା ଆଞ୍ଜୁଳା କରି ଜ୍ୟୋସ୍ନା ପିଇବାକୁ,
ତୁମ ଶାଶ୍ୱତ ସ୍ନେହକୁ ସାଉଁଟିବାକୁ,
ଆଉ ଶେଷରେ ସେ ଅନ୍ତରଙ୍ଗ ମୁହୁର୍ତ୍ତଗୁଡାକୁ
ଫ୍ରେମ୍ ରେ ସାଇତି ରଖିବାକୁ।

ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା

Leave a Reply

Your email address will not be published. Required fields are marked *