ବାପା
****ତୋରାଣି କଂସାରେ
ଅମୃତ ମଣୋହି କରି
ଭାଗ୍ୟ ସହ ନିତି ଯୁଝି
ଭୋକର ଭୂଗୋଳକୁ
ଚିରା ଗାମୁଛାରେ ଢାଙ୍କିବାର
ପ୍ରୟାସ କରୁ କରୁ
ପରିବାର ପାଇଁ ଖୁସି ଯୋଗାଡୁଥିବା
ବିଜୟୀ ସମ୍ରାଟ- “ମୋ ବାପା” ।
ରୌଦ୍ରତାପର ତାଣ୍ଡବରେ
ନିଃଶେଷ ହୋଇଥିବା ଦୁବ
ଆଷାଢ଼ ଛୁଆଁରେ
ଆଖିମେଲିବା ଭଳି
ଆଶାର ବୁନ୍ଦାଏ ଜଳରେ ବି
ଅଙ୍କୁରୋଗଦମ ହୋଇ,
ଅବିନାଶୀ ଇଚ୍ଛା ତାଙ୍କର
ଆଖିମେଲେ
ଅନୁଭବରେ ଦୃଶ୍ୟ ହୁଏ-
ଛୋଟିଆ ଅଭାବୀ ସଂସାର ହିଁ
ତାଙ୍କ ଖୁସିର ସାମ୍ରାଜ୍ୟ !
ପ୍ରଜାପତିର ଡେଣାକୁ ସିନା
ଅକୁଳନ ହୋଇପାରେ
ବଗିଚାର ପରିସୀମା
ବାପା କିନ୍ତୁ ଖୋଜୁଥାନ୍ତି ମୋ ପାଇଁ
ତାରା ଓ ଜହ୍ନର ଠିକଣା !
ଯଦିଓ ଚାଖଣ୍ଡେ ସେଇଁଲେବି
ହାତେ ଚିରିଯାଏ
ତଥାପି, କ’ଣ ତାଙ୍କ ସ୍ବପ୍ନ ସରେ ?
ନିଜ ସୁଖ ତୁଚ୍ଛ ହୁଏ
ରକ୍ତ ପୁଣି ପାଣି ହୋଇ ଝରେ
ମିଳିଯାଏ ମୋତେ କିନ୍ତୁ
ଅସୁମାରୀ ଖୁସିର ପାଉଣା ।
ନୁଖୁରା ସ୍ବପ୍ନଙ୍କୁ
ଖରାର ହଳଦୀ ମଖେଇବାର
ଢ଼େର ଆଗରୁ……
ଅନେକ ସମୟରେ
ନିଖୋଜ ହୋଇଯାଏ ସକାଳ
ଯଦିଓ, ଦୁଶ୍ଚିନ୍ତାର ଝାଂଜିରେ
ଅହରହ ସିଝୁଥାନ୍ତି ବାପା
ଜୀବନର ମଧ୍ୟାହ୍ନରୁ ଦ୍ବିପ୍ରହର ।
ତଥାପି, କିଏ ଯେମିତି
ସାନ୍ତ୍ୱନାର ବାରି ଢାଳି
ଶିତଳାଉଥାଏ ତାଙ୍କ ହୃଦତଳ
ଅମା ଅନ୍ଧକାର କାଟି
କାଲି ନିଶ୍ଚେ ଦୃଶ୍ୟ ହେବ
ସ୍ବପ୍ନର ନୂତନ ସକାଳ
ଖରା ଝଲମଲ….!!!
***************
# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#