ଜନ୍ମଭୂମି
ଜନ୍ମଭୂମି ମୋର ଅତି ଆପଣାର
ସାକ୍ଷାତ ସିଏ ମୋ ମାଆଟି ପରି,
ଦେଇଛି ଜନମ ଗଢ଼ିଛି ଜୀବନ
କଢ଼ାଇଛି ବାଟ ହାତକୁ ଧରି।
ତା’ ଦେହ ପବନ ମୋ ହୃଦ ସ୍ପନ୍ଦନ
ଦାନା ପାଣି ପାଇ ଯାଏ ମୁଁ ବଢ଼ି,
ସୁନ୍ଦର ପ୍ରକୃତି ଦେଇଛି ସ୍ବୀକୃତି
ସତ୍ୟ ପାଇଁ ମର୍ତ୍ତେ ଯିବାକୁ ଲଢ଼ି,
ପାଇଛି ମୁଁ ଶିକ୍ଷା କରିଛି ମୁଁ ଦୀକ୍ଷା
ସେବାସମର୍ପଣେ ହେବିସଂସ୍କାରୀ,
ଜନ୍ମ ଭୂମି ମୋର ଅତି ଆପଣାର
ସାକ୍ଷାତ ସିଏ ମୋ ମାଆଟି ପରି।
ଶାଶ୍ୱତ ପ୍ରେମରେ ମାନବ ଧର୍ମରେ
ସବୁରି ହୃଦୟ କରିବି ଜୟ,
ଭେଦାଭେଦ ଭାବ କରି ପରିତ୍ୟାଗ
ଘୃଣା ରୁ ଆପଣା ହେବ ଉଦୟ।
ମାଆ ମାତୃଭାଷା ହେବ ମୋ ଭରସା
ମମତା ବଳରେ ସମତା ବାଣ୍ଟି,
ଶାନ୍ତି ମୈତ୍ରୀ ପ୍ରେମେ ସକଳ ସନ୍ତାନେ
ସତ୍ୟ ଅହିଂସାରେ ନେବି ସାଉଁଟି,
ରୋଧିବି ଅନ୍ୟାୟ ଅଭାବେ ସହାୟ
ରଖିବି ଜନନୀ ସୁରକ୍ଷା ଶିରୀ,
ଦେଇଛି ଜନମ ଗଢ଼ିଛି ଜୀବନ
କଢ଼ାଇଛି ବାଟ ହାତକୁ ଧରି।
ଶକ୍ତି ବୃତ୍ତି କୃତି ସମାଜ ସଂସ୍କୃତି
ଆଣିବି ସଂସ୍କାର ଶିକ୍ଷା ସମ୍ବଳେ,
ହସିବେ ଦୁର୍ବଳ ଜନ୍ମଭୂମି କୋଳ
ବାସିବ ଖୁସିର ସାମର୍ଥ୍ୟ ବଳେ!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ