*କୃଷକ ଜୀବନ*
ଲହୁଲୁହ ନିଗାଡି ସେ କରୁଥାଏ ଶ୍ରମ
ଧର୍ମ ଯେ ଅଟଇ ତା’ର ଏକମାତ୍ର କର୍ମ
ବୁଝେନାହିଁ କେବେ ସିଏ ଛନ୍ଦ କି କପଟ
ରକତକୁ ପାଣି କରି ପୁରାଏ ତା’ ପେଟ ।।
ଋଣଭାର ବଢିଗଲେ ଯାଏ ତା’ର ପ୍ରାଣ
ଦେଶର ଯେ ମେରୁଦଣ୍ଡ କୃଷକ ସେ ଜାଣ
ମାଟିକୁ ଆଦରି ସଦା ଜୀଏଁ ତ ଜୀବନ
ସୁନାର ଫସଲ ଅଟେ ତା’ ପାଇଁ ସପନ ।।
ଆଖିର ଲୁହକୁ ପିଇ ଓଠେ ହସୁଥାଏ
ଚାଷ କାର୍ଯ୍ୟକରି ତା’ ଜୀବନ ବିତୁଥାଏ
ଆରାମ ତା’ କପାଳରେ ହୋଇନାହିଁ ଲେଖା
ଚାଷଜମି ସାଥେ ତା’ର ହୁଏ ନିତି ଦେଖା ।।
ଅଭାବର ପୀଡାରେ ସେ ଜଳେ ରାତି ଦିନ
ବୁଝେନାହିଁ କେହି କେବେ ଅଛି ତା’ର ମନ
ରୁଗ୍ଣମୟ ଶରୀରରେ ଅଛି କେତେ ଶକତି
ମାଟି ମାଆକୁ ଯେ ନିତି କରୁଥାଏ ଭକତି ।।
ପାଏନାହିଁ ଜୀବନରେ କେବେ ସିଏ ସୁଖ
ଜୀବନଟା ଚାଲିଯାଏ ମିଳେ ଖାଲି ଦୁଃଖ
ଆଜୀବନ ମିଳୁଥାଏ ନିତି ଅନାଦର
ଝାଟିମାଟି କୁଡିଆରେ ଗଢେ ତା’ର ଘର ।।
*ମୁକ୍ତିରାଣୀ ଦେବତା*
*ମନ୍ଦାରଖଣ୍ଡ, ଯାଜପୁର*